ଗଞ୍ଜେଇ ଚାଷ ପାଇଁ ଗୋଲାପୀ ପଡ଼ିଗଲା ଅଷ୍ଟ୍ରେଲୀୟ ସହରର ଆକାଶ

Advertisment
ଗଞ୍ଜେଇ ଚାଷ ପାଇଁ ଗୋଲାପୀ ପଡ଼ିଗଲା ଅଷ୍ଟ୍ରେଲୀୟ ସହରର ଆକାଶ

Image Courtesy of Independent

ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟାରେ ଅଷ୍ଟ୍ରେଲିଆର ଉତ୍ତରାଞ୍ଚଳ ଭିକ୍ଟୋରୀୟ ନଗରୀ ମଲ୍‌ଡ୍ୟୁରର ଆକାଶ ଗୋଟାଏ ବିଚିତ୍ର ଗୋଲାପୀ ରଙ୍ଗରେ ଉଦ୍‌ଭାସିତ ହେବାରୁ ଲୋକେ ଆନନ୍ଦରେ ଆଚମ୍ବିତ ହୋଇଯାଇଥିଲେ।

ମେଘାଚ୍ଛନ୍ନ ଆକାଶ କିପରି ଉଜ୍ଜ୍ବଳ ଗୋଲାପୀ ଆଭାରେ ଝଲସି ଉଠିଥିଲା ତା’ର କେତେଗୁଡ଼ିଏ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଫଟୋରୁ ଜଣାପଡୁଛି, ସତେ ଅବା ଭୂପୃଷ୍ଠରୁ ତ୍ରିଭୁଜାକାର ଆଲୋକ ଧାରା ଆକାଶକୁ ପଡୁଛି।

କେତେକ ପ୍ରତ୍ୟକ୍ଷଦର୍ଶୀ ରହସ୍ୟ କରି ଏହାକୁ ‘ଏଲିଏନ୍‌’ ଅଥବା ଜନପ୍ରିୟ ଡ୍ରାମା ସିରିଜ୍‌ ‘ଷ୍ଟ୍ରେଞ୍ଜର୍‌ ଥିଙ୍ଗ୍ସ୍’ ବୋଲି କହିଥିଲେ।

କିନ୍ତୁ, ଖୁବ୍‌ ଶୀଘ୍ର ଜଣାପଡ଼ିଲା ଯେ, ନିକଟବର୍ତ୍ତୀ ଅଞ୍ଚଳରେ ଔଷଧ କମ୍ପାନି ‘କାନ୍‌ ଗ୍ରୁପ୍‌’ ମାଲିକାନାରେ ଥିବା ଗୋଟାଏ ଗଞ୍ଜେଇ ଫାର୍ମରୁ ଉକ୍ତ ଗୋଲାପୀ ରଶ୍ମି ବାହାରୁଛି।

publive-image Image Courtesy of The Guardian

ଏ ସଂକ୍ରାନ୍ତରେ ସ୍ପଷ୍ଟିକରଣ ଦେଇ ‘କାନ୍‌ ଗ୍ରୁପ୍‌’ କହିଥିଲା: ଆମ କେନ୍ଦ୍ରରେ ଥିବା ନୂଆ ଚାଷ ଜୋନ୍‌ ପରୀକ୍ଷା କରିବା ବେଳେ ଗତରାତିରେ ଆମେ ସ୍ଥାନୀୟ ବାସିନ୍ଦାମାନଙ୍କୁ ଟିକେ ‘ଲାଇଟ୍‌ ସୋ’ ଦେଖାଇ ଥିଲୁ। ଆମେ ସୁନିଶ୍ଚିତ କରି କହୁଛୁ ଯେ, ଏହା ସୂର୍ଯ୍ୟପୃଷ୍ଠର ବିକିରଣ ନୁହେଁ କି, ମହାଜାଗତିକ ତୋରଣ ନୁହେଁ।

ଉଲ୍ଲେଖଯୋଗ୍ୟ, ଅଭିବୃଦ୍ଧି ନିମନ୍ତେ ଗଞ୍ଜେଇ ଚାରା ବିଭିନ୍ନ ରଙ୍ଗର ଆଲୋକ ରଶ୍ମି ଆବଶ୍ୟକ କରେ। ଉଦାହରଣସ୍ବରୂପ, ଫୁଲ ଧରିବା ବେ‌ଳ ଆସିଲେ ଗଞ୍ଜେଇ ଗଛର ଉଚ୍ଚତା ବୃଦ୍ଧି ଏବଂ ଅଧିକ କଢ଼ ଧରିବା ପାଇଁ ଲାଲ୍‌ ଆଲୋକ ପ୍ରୟୋଗ କରାଯାଇଥାଏ।

ଜନସାଧାରଣଙ୍କ ମନରୁ ସନ୍ଦେହ ଦୂର କରିବା ଲାଗି ଗୁରୁବାର ସକାଳେ ‘କାନ୍‌ ଗ୍ରୁପ୍‌’ର ‘ସିଇଓ’ ପିଟର୍‌ କ୍ରୋକ୍‌ ଉପରୋକ୍ତ କଥା ‘ଏବିସି ନିଉଜ୍‌’କୁ କହିଛନ୍ତି। ‌ସେ କହିଛନ୍ତି, ଚଳିତ ବର୍ଷ ସମ୍ପୂର୍ଣ୍ଣ ନୂଆ ଫାର୍ମଟିଏ କାର୍ଯ୍ୟକ୍ଷମ କରିଛୁ। ଗତକାଲି ଆରମ୍ଭ ହୋଇଥିବା ନୂଆ କୋଠରିକୁ ପରୀକ୍ଷା କରିବା ପାଇଁ ‘ଏଲ୍‌ଇଡି’ ଲାଇଟ୍‌ ପ୍ରୟୋଗ କରିଥିଲୁ।

ଔଷଧ ଏବଂ ଗବେଷଣା ନିମନ୍ତେ ‘କାନ୍‌ ଗ୍ରୁପ୍‌ ଲିମିଟେଡ୍‌’କୁ ଲାଇସେନ୍‌ସ୍‌ ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe