Image Courtesy of India Today
ନୂଆଦିଲ୍ଲୀ: ସମ୍ମତି ବିନା କୌଣସି ବ୍ୟକ୍ତିଙ୍କୁ ବାଧ୍ୟ କରି ଟିକା ଦିଆଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ‘କୋଭିଡ୍-୧୯ ଟିକାକରଣ ଗାଇଡ୍ଲାଇନ୍’ରେ ଉଲ୍ଲେଖ ଥିବା କଥା କେନ୍ଦ୍ର ସରକାର ସୁପ୍ରିମ୍ କୋର୍ଟଙ୍କୁ କହିଛନ୍ତି।
ଶାରୀରିକ ଅକ୍ଷମତା ଥିବା ବ୍ୟକ୍ତିମାନଙ୍କୁ କୋଭିଡ୍-୧୯ ଟିକାକରଣ ସାର୍ଟିଫିକେଟ୍ ଦାଖଲ କରିବାରୁ ଛାଡ଼ କରାଯାଉ ବୋଲି ‘ଏନ୍ଜିଓ’ ‘ଏଭାରା ଫାଉଣ୍ଡେସନ୍’ ସୁପ୍ରିମ୍ କୋର୍ଟରେ କରିଥିବା ଆବେଦନର ଜବାବ ଦେଇ କେନ୍ଦ୍ର ସରକାର ଦାଖଲ କରିଥିବା ସତ୍ୟପାଠରେ ଉପରୋକ୍ତ କଥା କୁହାଯାଇଛି। କେନ୍ଦ୍ର ସରକାର ସୁପ୍ରିମ୍ କୋର୍ଟଙ୍କୁ କହିଛନ୍ତି ଯେ, କୌଣସି କାର୍ଯ୍ୟ ନିମନ୍ତେ ବାଧ୍ୟତାମୂଳକ ଭାବେ ଟିକାକରଣ ସାର୍ଟିଫିକେଟ୍ ଦାଖଲ କରିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ‘ଏସ୍ଓପି’ ଜାରି କରିନାହିଁ।
Image Courtesy of The Hinduସ୍ବାସ୍ଥ୍ୟ ମନ୍ତ୍ରାଳୟ ଫାଇଲ୍ କରିଥିବା ଉକ୍ତ ସତ୍ୟପାଠରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ସାମ୍ପ୍ରତିକ ମହାମାରୀ ପରିସ୍ଥିତି ଦୃଷ୍ଟିରୁ ଜନସାଧାରଣଙ୍କ ବୃହତ୍ତର ସ୍ବାର୍ଥ ନିମନ୍ତେ କୋଭିଡ୍-୧୯ ଟିକାକରଣ ଅଭିଯାନ ଚାଲିଛି।
ସମସ୍ତ ନାଗରିକ ଟିକା ନିଅନ୍ତୁ। ଏଥି ନିମନ୍ତେ ପ୍ରକ୍ରିୟା ଏବଂ ବ୍ୟବସ୍ଥା କରାଯାଇଛି ବୋଲି କେତେକ ଛାପା ଏବଂ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଜରିଆରେ ଉଚିତ ପରାମର୍ଶ ଓ ବିଜ୍ଞାପନ ଦିଆଯାଇଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ଉକ୍ତ ସତ୍ୟପାଠରେ କହିଛି।
କିନ୍ତୁ, ଇଚ୍ଛା ବିରୋଧରେ କୌଣସି ବ୍ୟକ୍ତିବିଶେଷଙ୍କୁ ଟିକା ନେବା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ସ୍ପଷ୍ଟ କରି କହିଛି।
Follow Us