କୃଷି ଆଇନ୍‌ କମିଟିର ସଦସ୍ୟମାନଙ୍କୁ କୃଷକ ସଙ୍ଗଠନ ନିନ୍ଦା କରି ପାରିବେ ନାହିଁ: ସୁପ୍ରିମ୍‌ କୋର୍ଟ

କୃଷି ଆଇନ୍‌ କମିଟିର ସଦସ୍ୟମାନଙ୍କୁ କୃଷକ ସଙ୍ଗଠନ ନିନ୍ଦା କରି ପାରିବେ ନାହିଁ: ସୁପ୍ରିମ୍‌ କୋର୍ଟ

Image Courtesy of NDTV

ନୂଆଦିଲ୍ଲୀ: ବିବାଦୀୟ କୃଷି ଆଇନ କମିଟି ପୁନର୍ଗଠନ ନିମନ୍ତେ ଆଗତ ଆବେଦନ ପ୍ରସଙ୍ଗରେ ଆଜି ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ଆଜି ଏହି ଆବେଦନର ଶୁଣାଣି ସମୟରେ ଭାରତର ପ୍ରଧାନ ବିଚାରପତି ଏସ୍‌ଏ ବୋବଡ଼େ କହିଲେ, କୃଷି କ୍ଷେତ୍ରରେ ସେମାନେ ବିଚକ୍ଷଣ ବୁଦ୍ଧିସମ୍ପନ୍ନ। ଆପଣମାନେ ତାଙ୍କୁ ନିନ୍ଦୁଛନ୍ତି କେମିତି?

କୃଷକମାନଙ୍କୁ ଉଦ୍ଦେଶ୍ୟ କରି ସୁପ୍ରିମ୍‌ କୋର୍ଟ କହିଲେ, କମିଟି ଆଗରେ ହାଜର ହେବା ନ ହେବା ତାଙ୍କ ଇଚ୍ଛା। କିନ୍ତୁ, ଅତୀତରେ ଦେଇଥିବା କିଛି ମନ୍ତବ୍ୟ ଯୋଗୁଁ କମିଟିର ବିଶେଷଜ୍ଞମାନଙ୍କର କୁତ୍ସାରଟନାରୁ ସେମାନେ ନିବୃତ ହେବା ଆବଶ୍ୟକ।

ଏହି କମିଟିରେ ଥିବା କେତେକ ବିଚକ୍ଷଣ କୃଷି ବିଶେଷଜ୍ଞଙ୍କର ନିନ୍ଦାଗାନ କରୁଥିବା କୃଷକ ସଙ୍ଗଠନ ଏବଂ ତଥାକଥିତ ସମାଲୋଚକମାନଙ୍କୁ ସୁପ୍ରିମ୍‌ କୋର୍ଟ ଭର୍ତ୍ସନା କରିଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି, କମିଟିରେ ଥିବା ବିଶେଷଜ୍ଞମାନେ ପକ୍ଷପାତୀ ବୋଲି କହିବାକୁ କାହାର ଅଧିକାର ନାହିଁ।

publive-image Image Courtesy of Mint

କୃଷି ଆଇନ କାର୍ଯ୍ୟକାରୀ ଉପରେ ରହିତାଦେଶ ଜାରି କରି କୃଷକମାନଙ୍କର ଅଭିଯୋଗ ଶୁଣିବାକୁ କମିଟି ଗଠନ କରାଯାଇଥିବାରୁ ଆନ୍ଦୋଳନରତ କୃଷକମାନେ ଅବରୋଧ ହଟାଇବା ଉଚିତ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି।

କୃଷକ ସଙ୍ଗଠନ ତରଫରୁ ଅଦାଲତରେ ହାଜର ହୋଇ ପ୍ରଶାନ୍ତ ଭୂଷଣ କହିଲେ ଯେ, କୃଷି ଆଇନ ଉଚ୍ଛେଦ ବ୍ୟତୀତ ଅନ୍ୟ କୌଣସି ଜିନିଷ ତାଙ୍କୁ ଆନ୍ଦୋଳନରୁ ବିରତ କରିପାରିବ ନାହିଁ ବୋଲି ପ୍ରତିବାଦକାରୀମାନେ ବୁଝିସାରିଛନ୍ତି।

ଏହାଛଡ଼ା, ସାଧାରଣତନ୍ତ୍ର ଦିବସ ଦିନ କୃଷକମାନଙ୍କ ଟ୍ରାକ୍ଟର୍‌ ରାଲିକୁ ଅନୁମତି ଦେବେ କି, ନାହିଁ ତାହା ସମ୍ପୂର୍ଣ୍ଣରୂପେ ପୁଲିସ ଉପରେ ନିର୍ଭର କରୁଛି କହି ସୁପ୍ରିମ୍‌ କୋର୍ଟ ଦିଲ୍ଲୀ ପୁଲିସ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe