The Indian Express
ପାନାଜୀ : ଗୁରୁବାର ଦିନ ଦକ୍ଷିଣ ଗୋଆ ଜିଲ୍ଲାର ଜୁଆରି ନଦୀରେ ଏକ ସ୍ପୋର୍ଟସ୍ ୟୁଟିଲିଟି ଭେଇକିଲ୍ (ଏସ୍ୟୁଭି) ଖସି ପଡ଼ିବା ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ଜଣ ଅଛନ୍ତି। ବିଳମ୍ବିତ ରାତି ୨ଟା ପାଖାପାଖି ଏହି ଦୁର୍ଘଟଣା ଘଟିଛି। ଗୁରୁବାର ଅପରାହ୍ନରେ ନୌସେନାର ଉଦ୍ଧାରକାରୀ ଦଳ ଗାଡିଟିକୁ ପାଣି ଭିତରୁ ଉପରକୁ ଆଣିଥିଲେ। ଗାଡ଼ିର କବାଟ କାଟିବା ପରେ ୪ ମୃତଦେହ ବାହାର କରାଯାଇଥିଲା।
ରାଜ୍ୟ ରାଜଧାନୀ ପାନଜୀଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଥିବା କର୍ଟାଲିମ୍ ଗ୍ରାମ ନିକଟରେ ଥିବା ଜୁଆରି ନଦୀ ବ୍ରିଜ୍ ଉପରେ ଅନ୍ୟ ଗାଡ଼ିକୁ ଅତିକ୍ରମ କରୁଥିବାବେଳେ କାର୍ଟି ବ୍ରିଜର ରେଲିଂରେ ପିଟି ହୋଇ ନଦୀ ଭିତରକୁ ଖସି ପଡ଼ିଥିଲା ବୋଲି ପୁଲିସ କହିଛି। ମୃତ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷିଣ ଗୋଆର ଲାଟୋଲିମ୍ ଗାଁର ଜଣେ ବ୍ୟକ୍ତି, ତାଙ୍କ ପତ୍ନୀ, ଭାଇ ଏବଂ ଜଣେ ବନ୍ଧୁ ଅଛନ୍ତି। ସେମାନେ ରାଜ୍ୟ ରାଜଧାନୀ ପାନଜୀ ଅଭିମୁଖେ ଯାଉଥିଲେ। ଦୁର୍ଘଟଣାର କିଛି ସମୟ ପରେ ନୌସେନା, ତଟରକ୍ଷୀ ବାହିନୀ, ପୁଲିସ ଏବଂ ରାଜ୍ୟ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା କର୍ମଚାରୀଙ୍କୁ ନେଇ ଏକ ବିଶାଳ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।
Follow Us