ୱାଶିଂଟନ: ଆମେରିକା ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ହ୍ୱାଇଟ୍ ହାଉସର ଗେଟ୍ କୁ ଏକ କାର୍ ଧକ୍କା ଦେବା ପରେ ଆମେରିକାରେ ହଇଚଇ ସୃଷ୍ଟି ହୋଇଛି। ଶନିବାର ରାତିରେ ହ୍ଵାଇଟ୍ ହାଉସ୍ ର ବାହାର ଗେଟ୍ ରେ ଏକ ଗାଡ଼ି ଧକ୍କା ଖାଇଥିଲା। ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ହ୍ୱାଇଟ୍ ହାଉସ୍ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ୟୁଏସ୍ ସିକ୍ରେଟ୍ ସର୍ଭିସ୍ ଏକ ବିବୃତିରେ କହିଛି ଯେ ରାତି ପ୍ରାୟ ସାଢ଼େ ୧୦ଟା ବେଳେ ହ୍ୱାଇଟ୍ ହାଉସ୍ କମ୍ପ୍ଲେକ୍ସର ବାହାର ପରିଧିରେ ଥିବା ଏକ ଗେଟ୍ ରେ ଏକ ଗାଡ଼ି ଧକ୍କା ଖାଇଥିଲା ଏବଂ ଦୁର୍ଘଟଣା ପରେ ଡ୍ରାଇଭରର ମୃତ୍ୟୁ ଘଟିଥିଲା।
ଏଜେନ୍ସି କହିଛି ଯେ ସୁରକ୍ଷା ପ୍ରୋଟୋକଲ୍ ପାଳନ କରାଯାଇଥିଲା କିନ୍ତୁ ହ୍ୱାଇଟ୍ ହାଉସ୍ ପ୍ରତି କୌଣସି ବିପଦ ନାହିଁ। ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିଁ। ଏହି ଘଟଣା ସମ୍ପର୍କରେ ପୁଲିସ ଏପର୍ଯ୍ୟନ୍ତ ଅଧିକ ସୂଚନା ଦେଇନାହିଁ। ଏହି ଡ୍ରାଇଭର କିଏ ଏବଂ ସେ ହଠାତ୍ କାର୍ ଧରି ହ୍ୱାଇଟ୍ ହାଉସ୍ ଗେଟ୍ ରେ ପହଞ୍ଚିଲେ କେମିତି? ଗାଡିଟି ଗେଟ୍ ସହ ଧକ୍କା ହେବା ଏକ ଦୁର୍ଘଟଣା ନା ଯୋଜନା ମୁତାବକ ଧକ୍କା ଖାଇଥିଲା ସେ ନେଇ ପୁଲିସ କିଛି ସ୍ପଷ୍ଟ କରୁନାହିଁ। ଘଟଣାର ତଦନ୍ତ ଚାଲିଛି। ସିକ୍ରେଟ୍ ସର୍ଭିସ୍ ଏହି ମାମଲାର ତଦନ୍ତ ଜାରି ରଖିବ ବୋଲି ଆମେରିକା ସୁରକ୍ଷା ଏଜେନ୍ସି କହିଛି। ଦୁର୍ଘଟଣାସ୍ଥଳର ତଦନ୍ତ ଦାୟିତ୍ୱ ୱାଶିଂଟନ ମେଟ୍ରୋପଲିଟାନ ପୁଲିସ ବିଭାଗକୁ ହସ୍ତାନ୍ତର କରାଯିବ।
Follow Us