(Photo Credits: ANI)
କୋଟା: ରାଜସ୍ଥାନର କୋଟାରେ ଥିବା ଜେକେ ଲୋନ୍ ହସ୍ପିଟାଲ୍ ଗତ କିଛି ସପ୍ତାହ ହେବ ଶିଶୁ ମୃତ୍ୟୁକୁ ନେଇ ଚର୍ଚ୍ଚାରେ ରହିଛି। ହସ୍ପିଟାଲ୍ଟି ଶୁକ୍ରବାର ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଦେଖିବାକୁ ମିଳିଛି ଯେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ହସ୍ପିଟାଲ୍ ଭିତରକୁ ପ୍ରବେଶ କଲା ବେଳେ ହସ୍ପିଟାଲ୍ କର୍ତ୍ତୃପକ୍ଷ ତଳେ ପଡ଼ିଥିବା କାର୍ପେଟକୁ ଉଠାଇ ଦେଉଛନ୍ତି। ଜାଣିବାକୁ ମିଳିଛି ଯେ ସ୍ବାସ୍ଥ୍ୟ ମନ୍ତ୍ରୀ ହସ୍ପିଟାଲ୍ ପରିଦର୍ଶନରେ ଆସିବେ ବୋଲି ତାଙ୍କୁ ସ୍ବାଗତ କରିବା ଲାଗି ହସ୍ପିଟାଲ୍ ପକ୍ଷରୁ କାର୍ପେଟ ପକାଯାଇଥିଲା। ମାତ୍ର ଅଚାନକ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିଯିବା ପରେ ହସ୍ପିଟାଲ୍ କର୍ତ୍ତୃପକ୍ଷ ତରତର ହୋଇ ତାହାକୁ ଉଠାଇ ଦେଇଛନ୍ତି।
ହସ୍ପିଟାଲ୍ରେ ପୁଣି ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ହେବା ପରେ ଏପରି ଘଟିଥିବା ଜାଣିବାକୁ ମିଳିଛି। ଏହି ଦୁଇ ଶିଶୁଙ୍କୁ ମିଶାଇ କୋଟାରେ ଗତ କିଛି ସପ୍ତାହ ମଧ୍ୟରେ ଶିଶୁ ମୃତ୍ୟୁ ୧୦୪ରେ ପହଞ୍ଚିଛି। ନିକଟରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଶିଶୁ ମୃତ୍ୟୁକୁ ନେଇ ନିଜର ମତ ରଖି କହିଥିଲେ ‘ହସ୍ପିଟାଲ୍ରେ ଲଗାତାର ଭାବେ ଏପରି ଶିଶୁ ମୃତ୍ୟୁ ଏହି ସୂଚନା ଦେଉଛି ଯେ ରାଜସ୍ଥାନ ସରକାରଙ୍କର ଏ ନେଇ କୌଣସି ଧ୍ୟାନ ନାହିଁ। ଏହା ପାଇଁ ସରକାର କି ଦଣ୍ଡ ଦେବେ ତାହା ସେ କହିବା ଉଚିତ?’
ଉଲ୍ଲେଖଯୋଗ୍ୟ, କୋଟାରେ ଶିଶୁ ମୃତ୍ୟୁ ମାମଲା ଦେଶବ୍ୟାପୀ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଏ ନେଇ ଚୁପ୍ ରହିବା ଘଟଣାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ କଡ଼ା ସମାଲୋଚନା କରିଛନ୍ତି। କୋଟାରେ ଶିଶୁ ମୃତ୍ୟୁକୁ ରୋକିବାରେ ରାଜସ୍ଥାନର ଅଶୋକ ଗେହଲଟ ସରକାର ବିଫଳ ହୋଇଛନ୍ତି। କୋଟାରେ ହେଉଥିବା ଶିଶୁ ମୃତ୍ୟୁ ଘଟଣା ନେଇ ସୋନିଆ ଏବଂ ପ୍ରିୟଙ୍କା ଗାନ୍ଧି ଏତେ ସମ୍ବେଦନହୀନ କାହିଁକି ବୋଲି ଯୋଗୀ ଆଦିତ୍ୟନାଥ ପ୍ରଶ୍ନ କରିଛନ୍ତି। ନିୟମିତ ଭାବେ କୋଟାରେ ଶିଶୁଙ୍କର ମୃତ୍ୟୁ ହେଉଛି। ମୃତ୍ୟୁ ସଂଖ୍ୟା ୧୦୦ ଅତିକ୍ରମ କରିଯାଇଥିଲେ ମଧ୍ୟ ସୋନିଆ- ପ୍ରିୟଙ୍କା ମୁହଁ ନ ଖୋଲିବା ଦୁର୍ଭାଗ୍ୟଜନକ ବୋଲି ଯୋଗୀ କହିଛନ୍ତି। ଏ ନେଇ ଯୋଗୀ ଆଜି ବାରମ୍ବାର ଟ୍ବିଟ୍ କରି ସୋନିଆ ଓ ପ୍ରିୟଙ୍କାଙ୍କୁ ଟାର୍ଗେଟ୍ କରିଛନ୍ତି।
Follow Us