ଜାତିଆଣ ଦଙ୍ଗା: ମହାରାଷ୍ଟ୍ର ଅଚଳ

Advertisment

ଜଣେ ଦଳିତ ଯୁବକଙ୍କୁ ପିଟି ପିଟି ହତ୍ୟା, ୪ ଆହତ,୨୫ ଗାଡ଼ିରେ ନିଆଁ, ୫୦ରୁ ଅଧିକ ଯାନ ଭଙ୍ଗାରୁଜା

ଜଣେ ଦଳିତ ଯୁବକଙ୍କୁ ପିଟି ପିଟି ହତ୍ୟା, ୪ ଆହତ,୨୫ ଗାଡ଼ିରେ ନିଆଁ, ୫୦ରୁ ଅଧିକ ଯାନ ଭଙ୍ଗାରୁଜା

ଜାତିଆଣ ଦଙ୍ଗା: ମହାରାଷ୍ଟ୍ର ଅଚଳ

ପୁନେ-ମୁମ୍ବାଇରେ ସ୍କୁଲ୍‌ କଲେଜ ବନ୍ଦ, ୧୪୪ ଧାରା
ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ, ଆଜି ମହାରାଷ୍ଟ୍ର ବନ୍ଦ
ମୁମ୍ବାଇ: ପୁନେଠାରୁ ୪୦ କିମି ଦୂର ଶିରୁର ତହସିଲ ଅଧୀନ ଭୀମା କୋରେଗାଓଁ ଠାରେ ସୋମବାର ସୃଷ୍ଟ ଜାତିଆଣ ଦଙ୍ଗା ଆଜି ଉଗ୍ରରୂପ ନେଇଛି। ସେଠାରେ ଗତକାଲି ଭୀମା କୋରେଗାଓଁ ଯୁଦ୍ଧର ୨୦୦ ବର୍ଷ ପୂର୍ତ୍ତି ପାଳନ ବେଳେ ଦଳିତ ଏବଂ ମରାଠା ସମ୍ପ୍ରଦାୟ ମଧ୍ୟରେ ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ ସହ ୪ ଜଣ ଆହତ ହୋଇଥିଲେ। ଉତ୍ତ୍ୟକ୍ତ ଲୋକେ ୨୫ଟି ଯାନରେ ନିଅାଁ ଲଗାଇଦେବା ସହ ୫୦ରୁ ଅଧିକ ଗାଡ଼ି ଭଙ୍ଗାରୁଜା କରିଛନ୍ତି। ଏହାକୁ ବିରୋଧ କରି ଆଜି ଦଳିତମାନେ ମରାଠା ସମ୍ପ୍ରଦାୟ ବିରୋଧରେ ପ୍ରତିବାଦ ଆନ୍ଦୋଳନ ଜାରି ରଖିଛନ୍ତି। ମୁମ୍ବାଇର ବିଭିନ୍ନ ସ୍ଥାନରେ ରାସ୍ତାରୋକ ଏବଂ ରେଳରୋକ ଦ୍ୱାରା ଗମନାଗମନ ପ୍ରାୟ ଠପ୍‌ ହୋଇଯାଇଛି। ପୁନେ ଏବଂ ମୁମ୍ବାଇରେ ଆଜି ସ୍କୁଲ୍‌ କଲେଜ ସବୁ ବନ୍ଦ କରି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍‌ ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ପୁନେ ଓ ମୁମ୍ବାଇର କେତେକ ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି।
ସୂଚନା ଥାଉ କି, ୧୮୧୮ ଜାନୁଆରି ପହିଲାରେ ଭୀମା କୋରେଗାଓଁ ଯୁଦ୍ଧରେ ତତ୍କାଳୀନ ବ୍ରିଟିଶ ବାହିନୀ ସ୍ଥାନୀୟ ମରାଠାମାନଙ୍କର ପେଶଓ୍ଵା ବାଜିରାଓ-୨ ବାହିନୀକୁ ପରାସ୍ତ କରିଥିଲେ। ବ୍ରିଟିଶ ସେନାରେ ଥିବା ଦଳିତ ତଥା ସେତେବେଳର ଅଛୁଆଁ ମାହାର ସମ୍ପ୍ରଦାୟଙ୍କ ଲାଗି ଏହି ବିଜୟ ହୋଇଥିବା ବିଶ୍ୱାସ କରି ଦଳିତ ନେତାମାନେ ସୋମବାର ପୁନେଠାରେ ସେହି ଯୁଦ୍ଧର ୨୦୦ ବର୍ଷ ପୂର୍ତ୍ତି ଉତ୍ସବ ମନାଇଥିଲେ। ଏଥିରେ ଲକ୍ଷ ଲକ୍ଷ ସଂଖ୍ୟାରେ ଦଳିତ ସାମିଲ ହୋଇଥିଲେ। ଅପରପକ୍ଷେ, ବ୍ରିଟିଶମାନଙ୍କର ଏହି ବିଜୟ ଉତ୍ସବକୁ ଦଳିତମାନେ କାହିଁକି ପାଳୁଛନ୍ତି ବୋଲି କିଛି ସ୍ଥାନୀୟ ମରାଠା ସମ୍ପ୍ରଦାୟ ସଦସ୍ୟ ଉତ୍ସବସ୍ଥଳକୁ ଯାଉଥିବା ଲୋକଙ୍କୁ ପ୍ରଶ୍ନ କରିଥିଲେ। ଏହାକୁ ନେଇ ଯୁକ୍ତିତର୍କ ଆରମ୍ଭ ହେବା ସହ ପରେ ଏହା ହିଂସାର ରୂପ ନେଇଥିଲା। ଉତ୍ତ୍ୟକ୍ତ ଜନତା ପଥର ଫିଙ୍ଗିବା ସାଙ୍ଗକୁ ଗାଡ଼ିମୋଟରରେ ଭଙ୍ଗାରୁଜା ଏବଂ ଜଳାପୋଡ଼ା କରିଥିଲେ। ଏହାକୁ ବିରୋଧ କରୁଥିବା ରାହୁଲ୍‌ ଫତାଙ୍ଗଲେ ନାମକ ଜଣେ ୨୮ ବର୍ଷୀୟ ଦଳିତ ଯୁବକଙ୍କର ଉତ୍ତ୍ୟକ୍ତ ଲୋକଙ୍କ ମାଡ଼ରେ ମୃତ୍ୟୁ ହୋଇଥିଲା। ଏଥି ସହ ୪ ଜଣ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ।
ଏହି ଘଟଣା ପ୍ରଘଟ ହେବା ପରେ ଆଜି ସକାଳୁ ଶହ ଶହ ସଂଖ୍ୟାରେ ଦଳିତ ସମ୍ପ୍ରଦାୟ ଲୋକ ପୁନେ ସମେତ ମୁମ୍ବାଇରେ ପ୍ରତିବାଦ ଆନ୍ଦୋଳନ କରିଛନ୍ତି। ମୁଲୁନ୍ଦ, ଚେମ୍ବୁର, ଭାନଦୁପ, ରାମବାଇ, ଆମ୍ବେଦକର ନଗର ଏବଂ କୁର୍ଲାର ନେହରୁ ନଗରରେ ଆନ୍ଦୋଳନକାରୀ ଯୁବକମାନେ ଦୋକାନବଜାର ବନ୍ଦ କରିଦେଇଛନ୍ତି। ବିଭିନ୍ନ ସ୍ଥାନରେ ରାସ୍ତାରୋକ ଏବଂ ରେଳରୋକ ଯୋଗୁଁ ସାଧାରଣ ଜୀବନଯାତ୍ରା ଭୀଷଣ ଭାବରେ ପ୍ରଭାବିତ ହୋଇଛି। ବିଶେଷ କରି ଗୋବାନ୍ଦି ଚେମ୍ବୁରରେ ରେଳରୋକ ଦ୍ୱାରା ମୁମ୍ବାଇର ହାର୍ବର ଲାଇନ୍‌ରେ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସେହିପରି ଚେମ୍ବୁର ନାକ୍କାରେ ମଧ୍ୟ ଟ୍ରାଫିକ୍‌ ପ୍ରଭାବିତ ହୋଇଛି।
ଅପରପକ୍ଷେ, ମରାଠା ଗୋଷ୍ଠୀ ମଧ୍ୟ ପୁଣେରେ ଆନ୍ଦୋଳନ ଜାରି ରଖିବା ସହ ବସ୍‌ ଭଙ୍ଗାରୁଜା କରିଛନ୍ତି। ଫଳରେ ଅହମଦାନଗର ଏବଂ ଔରଙ୍ଗାବାଦ୍‌କୁ ଯୋଗାଯୋଗ ବନ୍ଦ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଫଡ୍‌ନାଭିସ୍‌ ମୃତକଙ୍କ ପରିବାର ସଦସ୍ୟଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିବା ସହ ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ହିଂସା ଉଦ୍ରେକ କଲାଭଳି ବାର୍ତ୍ତା ନ ବ୍ୟାପିବା ଲାଗି କିଛି ସମୟ ପାଇଁ ମୋବାଇଲ ଫୋନ୍‌ ନେଟଓ୍ଵର୍କ ବନ୍ଦ କରିଦିଆଯାଇଛି। ଅପରପକ୍ଷେ, ଏନ୍‌ସିପି ମୁଖ୍ୟ ଶରଦ ପଓ୍ଵାର ଏହି ହିଂସାକାଣ୍ଡ ପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି। ଉତ୍ସବସ୍ଥଳରେ ଜନସମାବେଶକୁ ନିୟନ୍ତ୍ରଣ କରିବା ଲାଗି ଆବଶ୍ୟକ ପୁଲିସ ବଳ ନଥିଲେ ବୋଲି ସେ ଅଭିଯୋଗ ଆଣିଛନ୍ତି। ସେହିପରି ପୂର୍ବତନ ସାଂସଦ ତଥା ବି ଆର୍‌ ଆମ୍ବେଦକରଙ୍କ ନାତି ଭରିପା ବହୁଜନ ମହାସଂଘ (ବିବିଏମ୍‌) ନେତା ପ୍ରକାଶ ଆମ୍ବେଦକର ସରକାରଙ୍କ ତଦନ୍ତ ନିର୍ଦ୍ଦେଶକୁ ଅଗ୍ରାହ୍ୟ କରି ଆସନ୍ତାକାଲି ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ୧୯୨୭ ମସିହାରେ ବି ଆର୍‌ ଆମ୍ବେଦକର ସଂପୃକ୍ତ ଭୀମା କୋରେଗାଓଁ ଯୁଦ୍ଧସ୍ଥଳ ପରିଦର୍ଶନ କରିବା ପରେ ସେହି ଯୁଦ୍ଧକୁ ଜାତିଆଣ ପ୍ରଥା ବିରୋଧୀର ମାନ୍ୟତା ଦେଇଥିଲେ। ତେବେ ଏ ପ୍ରସଙ୍ଗରେ ଐତିହାସିକମାନେ ବିଭକ୍ତ ହୋଇଥିବା ବେଳେ ଦଳିତମାନେ ଏହାର ବର୍ଷ ପୂର୍ତ୍ତି ପାଳନ କରି ଆସୁଥିଲେ। ମାତ୍ର ଚଳିତ ବର୍ଷ ଅଖିଳ ଭାରତୀୟ ବ୍ରାହ୍ମଣ ମହାସଂଘ ପରି କିଛି ଦକ୍ଷିଣପନ୍ଥୀ ଚିନ୍ତାଧାରା ଗୋଷ୍ଠୀ ଏପରି ଉତ୍ସବକୁ ଦେଶବିରୋଧୀ ବୋଲି ଆଖ୍ୟା ଦେବାରୁ ବିବାଦ ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe