ଗ୍ଵାଦରରେ ଆଣବିକ ବୁଡ଼ାଜାହାଜ ମୁତୟନ!

Advertisment

ଧରାପଡ଼ିଲା ସିପିଇସିର ଭିତିରି ଉଦ୍ଦେଶ୍ୟ

ଧରାପଡ଼ିଲା ସିପିଇସିର ଭିତିରି ଉଦ୍ଦେଶ୍ୟ

ଗ୍ଵାଦରରେ ଆଣବିକ ବୁଡ଼ାଜାହାଜ ମୁତୟନ!

ନୂଆଦିଲ୍ଲୀ: ବିପୁଳ ଅର୍ଥ ସାରି ଚୀନ୍‌ ଆରମ୍ଭ କରିଥିବା ଚୀନ୍‌ ପାକିସ୍ତାନ ଆର୍ଥିକ ଅଳିନ୍ଦ(ସିପିଇସି) ପଛର ଭିତିରି ଉଦ୍ଦେଶ୍ୟ ଏବେ ସାମନାକୁ ଆସିବାରେ ଲାଗିଛି। ଏହି ଯୋଜନା ମାଧ୍ୟମରେ ଚୀନ୍‌ ଦକ୍ଷିଣ ପାକିସ୍ତାନର ଗ୍ଵାଦର ବନ୍ଦରରେ ପରମାଣୁ କ୍ଷମତା ସଂପନ୍ନ ବୁଡ଼ାଜାହାଜ ମୁତୟନ କରିବ ବୋଲି ଇସାରା ମିଳିଛି। ସେହି ଶ୍ରେଣୀୟ ବୁଡ଼ାଜାହାଜର ଯୋଗାଯୋଗ ପାଇଁ ଆବଶ୍ୟକ ଆନୁଷଙ୍ଗିକ ଭିତ୍ତିଭୂମି ଗ୍ଵାଦର ଠାରେ ସ୍ଥାପନ ଚାଲିଥିବା ଘଟଣା ଏପରି ଆଶଙ୍କାକୁ ସ୍ପଷ୍ଟ କରୁଛି। ତେଣୁ ଦୁଇ ପଡ଼ୋଶୀ ଦେଶ ଚୀନ୍‌ ଓ ପାକିସ୍ତାନ ମଧ୍ୟରେ ବାଣିଜ୍ୟ କାରବାର ବୃଦ୍ଧି ପାଇଁ ସିପିଇସି ଅଭିପ୍ରେତ ବୋଲି ଯେତେ ସଫେଇ ଦିଆଯାଇଥିଲେ ହେଁ ଚୀନ୍‌ର ମନ୍ଦ ଉଦ୍ଦେଶ୍ୟ ଏଥିରୁ ବାରି ହୋଇପଡୁଛି। ଗ୍ଵାଦର ବନ୍ଦରକୁ ବାଣିଜ୍ୟ କାରବାର ଅପେକ୍ଷା ଚୀନ୍‌ ତାହାକୁ ସାମରିକ କାର୍ଯ୍ୟକ୍ରମ ପାଇଁ ଅଧିକ ବ୍ୟବହାର କରିବ ବୋଲି ସୁରାକ ପାଇଲା ପରେ ଭାରତର ମୁଣ୍ଡବିନ୍ଧା ଅସ୍ୱାଭାବିକ ଭାବେ ବଢ଼ିଯାଇଛି।

ଯୋଗାଯୋଗ ବ୍ୟବସ୍ଥା ପାଇଁ ପ୍ରସ୍ତୁତ ହେଉଛି ଆନୁଷଙ୍ଗିକ ଭିତ୍ତିଭୂମି
ଆରବସାଗରରେ ଚୀନ୍‌ର ସାମରିକ ଉପସ୍ଥିତି ଆଶଙ୍କାରେ ଭାରତ ବିବ୍ରତ

ଉଲ୍ଲେଖ ଥାଉ କି, ପାକିସ୍ତାନର ସବୁ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଏହି ଗ୍ଵାଦର ବନ୍ଦରର ନିର୍ମାଣ ଏବଂ ନବୀକରଣ କାର୍ଯ୍ୟ ଚୀନ୍‌ ପକ୍ଷରୁ କରାଯାଇଛି। ଏହାଦ୍ୱାରା ଚୀନ୍‌ ଭାରତ ମହାସାଗରୀୟ ଇଲାକାକୁ ଗମନାଗମନ ସୁବିଧା ଉପଲବ୍‌ଧ କରିପାରିବ ବୋଲି ରଖିଥିବା ଆଶା ପୂରଣ ହୋଇଛି। ତେବେ ଏଥି ସହିତ ଚୀନ୍‌ ମଧ୍ୟ ଏହି ଅଞ୍ଚଳରେ ନିଜର ନୌସେନା ଉପସ୍ଥିତିକୁ ନିଶ୍ଚିତ କରିବାରେ ପ୍ରତିବନ୍ଧକ ମଧ୍ୟ ରହିବ ନାହିଁ ବୋଲି ଭାବୁଛି। ସେହିପରି ସେଠାରେ ଏକ ବୁଡ଼ାଜାହାଜ ମୁତୟନ ଦ୍ୱାରା ସମଗ୍ର ଅଞ୍ଚଳର ସମ୍ପ୍ରତି ବୃହତ୍‌ ଶକ୍ତି ସାଜିଥିବା ଭାରତୀୟ ନୌସେନାର ଗତିବିଧି ଉପରେ ମଧ୍ୟ କଡ଼ା ନଜର ରଖିହେବ। ଏଥି ସହିତ ସେହି ଅଞ୍ଚଳରେ ଭାରତୀୟ ନୌସେନାର ପ୍ରଭାବକୁ ମଧ୍ୟ ଚୀନ୍‌ ପ୍ରତିହତ କରିବାର ସାମର୍ଥ୍ୟ ରଖିବ।

ସ୍ମରଣଯୋଗ୍ୟ, ସାମରିକ ଦୃଷ୍ଟିକୋଣରୁ ଏଭଳି ସ୍ଥିତିରେ ପରମାଣୁ ଶକ୍ତି ସଂପନ୍ନ ବୁଡ଼ାଜାହାଜର ଭୂମିକା ଅଦ୍ୱିତୀୟ। କାରଣ ତାହା ପାରମ୍ପରିକ ବୁଡ଼ାଜାହାଜ ପରି ନିୟମିତ ବ୍ୟବଧାନରେ ଇନ୍ଧନ ଭରିବାକୁ ବାହାରକୁ ନବାହାରି ଏବଂ କୂଳକୁ ନଆସି ମାତ୍ରାଧିକ ସମୟ ଯାଏ ସେହିପରି ଅଗଭୀର ସମୁଦ୍ର ତଳେ କାର୍ଯ୍ୟକ୍ଷମ ରହିପାରିବ। ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ନିକଟରେ ଏକ ଚୀନ୍‌ ପ୍ରତିନିଧିମଣ୍ଡଳ ପାକିସ୍ତାନ ଗସ୍ତରେ ଯାଇ ଗ୍ଵାଦରରେ ପରମାଣୁ ବୁଡ଼ାଜାହାଜର ନିୟୋଜନ ପାଇଁ ପ୍ରାକ୍‌ ଆନୁଷଙ୍ଗିକ ଭିତ୍ତିଭୂମି ପ୍ରସ୍ତୁତ କରିବା ସମ୍ପର୍କରେ ଆଲୋଚନା କରିଛନ୍ତି। ଏପରିକି ଚୀନ୍‌ ସେଠାରେ ତିନିଟି ବୁଡ଼ାଜାହାଜ ସ୍ଥାପନ କରିବା ପାଇଁ ଆବଶ୍ୟକ କଥାବାର୍ତ୍ତା କରିଥିବା ଜଣାଯାଇଛି।

କିଛି ଦିନ ତଳେ ଇରାନ ସୀମା ନିକଟ ଜିଓ୍ଵାନି ବନ୍ଦରରେ ଚୀନ୍‌ ଏକ ପୋତାଶ୍ରୟ ନିର୍ମାଣ କରୁଥିବା ଖବର ମିଳିଛି। ସେଠାରେ ନିଜର ଯୁଦ୍ଧଜାହାଜଗୁଡ଼ିକର ଚଳାଚଳ ସହ ଗ୍ଵାଦରରେ ବ୍ୟାବସାୟିକ ଜାହାଜଗୁଡ଼ିକ ଡେରା ପକାଇବ ବୋଲି କୁହାଯାଉଥିବା ବେଳେ ଏବେ ଗ୍ଵାଦରକୁ ହିଁ ଚୀନ୍‌ ନିଜ ସାମରିକ ଦକ୍ଷତାର ଅନ୍ୟତମ କେନ୍ଦ୍ର ଭାବେ ବିଚାର କରୁଛି। ଚୀନ୍‌ ଏବେ ପାକିସ୍ତାନ ନୌସେନା ସହାୟତାରେ ବୁଡ଼ାଜାହାଜ ପାଇଁ ଉଦ୍ଦିଷ୍ଟ ଭିଏଲ୍‌ଏଫ୍‌(ଭେରି ଲୋ’ ଫ୍ରିକ୍ୱେନ୍ସି) କେନ୍ଦ୍ର ନିର୍ମାଣ କରୁଛି। ଏଥିପାଇଁ ୨୦୫ ଫୁଟ୍‌ ଲମ୍ବର ଆଣ୍ଟେନା ଟାଓ୍ଵାର ସମେତ ଭୂତଳ କୋଠା ଏବଂ ପାଓ୍ଵାର ଷ୍ଟେସନ୍‌ ବି ବସାଚାଲିଛି। ତେଣୁ ଏସବୁ କାର୍ଯ୍ୟକ୍ରମରୁ ଚୀନ୍‌ ଗ୍ଵାଦରରେ ବୁଡ଼ାଜାହାଜ ସ୍ଥାପନ କରୁଥିବା ସ୍ପଷ୍ଟ ଜଣାପଡୁଛି। ତେବେ ବେଜିଂର ଏହି ପଦକ୍ଷେପକୁ କିପରି ମୁକାବିଲା କରାଯିବ ତାହା ଏବେ ଭାରତର ପ୍ରତିରକ୍ଷା ବିଭାଗ ପାଇଁ ଆହ୍ଵାନ ଆଣିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe