The Economic Times
ଡିସେମ୍ବର ୩୧, ୨୦୨୦ ସୁଦ୍ଧା ଚାଲିଥିବା ମାମଲାର ହିସାବ
ସୁପ୍ରିମକୋର୍ଟରେ ସିବିଆଇର ସତ୍ୟପାଠ
୧୫ଟି ମାମଲା ୨୦ ବର୍ଷରୁ ଅଧିକ କାଳ ହେଲା ଚାଲିଛି
ସାରା ଦେଶରେ ଦୋଷୀ ସାବ୍ୟସ୍ତ ହାର ୬୫% ରୁ ଅଧିକ
ନୂଆଦିଲ୍ଲୀ : ଓଡ଼ିଶାରେ ସିବିଆଇ ଦ୍ବାରା ଡିସେମ୍ବର ୩୧, ୨୦୨୦ ସୁଦ୍ଧା ତଦନ୍ତ କରାଯାଉଥିବା ୨୯୭ ମାମଲା ବିଚାର ପର୍ଯ୍ୟାୟରେ ରହିଛି। ଓଡ଼ିଶା ସମେତ ଦେଶରେ ୨୦୧୧ ରୁ ଡିସେମ୍ବର ୩୧, ୨୦୨୦ ପର୍ଯ୍ୟନ୍ତ ସିବିଆଇ ଦ୍ବାରା ତଦନ୍ତ କରାଯାଉଥିବା ମାମଲାଗୁଡ଼ିକର ବିଚାର ତଥା ଦୋଷୀ ସାବ୍ୟସ୍ତର ସ୍ଥିତି ସଂପର୍କରେ ସିବିଆଇ ନିର୍ଦ୍ଦେଶକଙ୍କ ଦ୍ବାରା ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠରେ ଏହା ଉଲ୍ଲେଖ କରାଯାଇଛି।
ଦିଲ୍ଲୀରେ ସର୍ବାଧିକ ୧୨୨୭ ଓ ମହାରାଷ୍ଟ୍ରରେ ୧୦୭୩ ମାମଲା ବିଚରା ସ୍ତର (ଟାଏଲ୍ ଷ୍ଟେଜ୍)ରେ ରହିଛି। ସତ୍ୟପାଠରେ ଓଡ଼ିଶାରେ ୨୦ ବର୍ଷରୁ ଅଧିକ ୧୫ଟି ମାମଲା,୧୫ ରୁ ୨୦ ବର୍ଷ ମଧ୍ୟରେ ୪୭ଟି,୧୦ ରୁ ୧୫ ବର୍ଷ ମଧ୍ୟରେ ୫୩ ଟି,୫ ରୁ ୧୦ ବର୍ଷ ମଧ୍ୟରେ ୭୯ଟି, ୩ ରୁ ୫ ବର୍ଷ ମଧ୍ୟରେ ୫୪ଟି,୨ ରୁ ୩ ବର୍ଷ ମଧ୍ୟରେ ୧୩ଟି ଓ ୨ ବର୍ଷରୁ କମ ୩୬ଟି ମାମଲା ମାମଲା ବିଚାରାଧୀନ ରହିଛି। ଅନ୍ୟ ପକ୍ଷରେ ସାରା ଦେଶରେ ସିବିଆଇ ଦ୍ବାରା ତଦନ୍ତ ହୋଇଥିବା ୯ ହଜାର ୭୫୭ ମାମଲା ‘ଟ୍ରାଏଲ୍ ଷ୍ଟେଜ’ରେ ରହିଥିବା ସୂଚନା ଦିଆଯାଇଛି।
ଏହା ବାଦ୍ ସେସନ୍ସ କୋର୍ଟ, ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ବିଚାରାଧୀନ ୧୩ ହଜାର ୨୯୧ ମାମଲାର ଅପିଲ୍ ସିବିଆଇ ଦ୍ବାରା ତଦାରଖ କରାଯାଉଥିବା ମଧ୍ୟ ସତ୍ୟପାଠରେ ଉଲ୍ଲେଖ ରହିଛି। ୨୦୧୧ ରୁ ୨୦୧୮ ମଧ୍ୟରେ ସିବିଆଇ ଦ୍ବାରା ତଦନ୍ତ ୬ଟି ମାମଲା ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ଗତ ଦଶ ବର୍ଷରେ ସିବିଆଇ ଦ୍ବାରା ତଦନ୍ତ ମାମଲାରେ ସର୍ବଭାରତୀୟ ସ୍ତରରେ ଦୋଷୀ ସାବ୍ୟସ୍ତ ହାର ୬୫ ପ୍ରତିଶତରୁ ଅଧିକ ରହିଛି। ତେବେ ରାଜ୍ୟଭିତ୍ତିକ ଦୋଷୀସାବ୍ୟସ୍ତ ସଂପର୍କରେ କୌଣସି ତଥ୍ୟ ଦିଆଯାଇ ନାହିଁ। ସିବିଆଇ ଦ୍ବାରା ତଦନ୍ତାଧୀନ ମାମଲାରେ ଦୋଷୀସାବ୍ୟସ୍ତ ହାର ଏପ୍ରିଲ୍ ୨୦୨୨ ସୁଦ୍ଧା ୭୫ ପ୍ରତିଶତ ହାସଲ କରାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରାଯାଇଛି।
ଗତ ମାସ ୪ ତାରିଖରେ ସୁପ୍ରିମକୋର୍ଟ ସିବିଆଇ ଦ୍ବାରା ଏକ ମାମଲାର ତଦନ୍ତରେ ୫୪୨ ଦିନ ବିଳମ୍ବ ହୋଇଥିବା ଆବେଦନ ଉପରେ ଶୁଣାଣି କରି ଦକ୍ଷତା ଆକଳନକୁ ନେଇ ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ବାରା ଦେଶରେ କେତେ ମାମଲାର ଫଏସଲା ହୋଇଛି, କେତେ ମାମଲାରେ ଅଭିଯୁକ୍ତକୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯାଇଛି, ନିମ୍ନ ଅଦାଲତ ଏବଂ ହାଇକୋର୍ଟରେ କେତେ ମାମଲା ପଡ଼ିରହିଛି ତାହାର ବିବରଣୀ ସତ୍ୟପାଠ ଜରିଆରେ ଦାଖଲ କରିବାକୁ ସିବିଆଇ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ସଂସ୍ଥା ଦ୍ବାରା ୬୧ ପୃଷ୍ଠାର ସତ୍ୟପାଠ ଦାଖଲ କରାଯାଇଛି। ଏହାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୮କୁ ଧାର୍ଯ୍ୟ କରାଯାଇଛି।
Follow Us