୨୮ ବର୍ଷ ପରେ ଆସିଲା ବାବ୍ରି ମସଜିଦ୍ ଧ୍ୱଂସ ମାମଲାର ଚୂଡ଼ାନ୍ତ ରାୟ : ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କଲେ କୋର୍ଟ

୨୮ ବର୍ଷ ପରେ ଆସିଲା ବାବ୍ରି ମସଜିଦ୍ ଧ୍ୱଂସ ମାମଲାର ଚୂଡ଼ାନ୍ତ ରାୟ : ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କଲେ କୋର୍ଟ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ବାବ୍ରି ମସଜିଦ୍ ଧ୍ୱଂସ ମାମଲାର ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି ଲକ୍ଷ୍ନୌର ସିବିଆଇ ସ୍ବତନ୍ତ୍ର କୋର୍ଟ। ବାବ୍ରି ମସଜିଦ୍ ଧ୍ୱଂସ ପାଇଁ ଦାୟୀ କରାଯାଇଥିବା ୩୨ଜଣ ଅଭିଯୁକ୍ତଙ୍କୁ  ନିର୍ଦ୍ଦୋଷ ଘୋଷଣା କରିଛନ୍ତି କୋର୍ଟ। ଅଭିଯୁକ୍ତଙ୍କୁ  ଦୋଷୀ ସାବ୍ୟସ୍ତ କରିବା ପାଇଁ ଠୋସ୍ ପ୍ରମାଣ ନ ଥିବାରୁ ବିଚାରପତି ସୁରେନ୍ଦ୍ର କୁମାର ଯାଦବ ସମସ୍ତଙ୍କୁ ‘ଦୋଷମୁକ୍ତ’ କରିଛନ୍ତି। ନିଜ ରାୟରେ ୩୨ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରି ବିଚାରପତି କହିଛନ୍ତି ଯେ,  ବାବ୍ରି ମସଜିଦ୍ ଭଙ୍ଗାକୁ ପୂର୍ବ ଯୋଜନାପ୍ରସୂତ କୁହାଯାଇ ପାରିବ ନାହିଁ। ଏହା ସାମୟିକ ଆବେଗ ହୋଇପାରେ, କିନ୍ତୁ ଏହା ପୂର୍ବ ଯୋଜନାପ୍ରସୂତ ନୁହେଁ । ୩୨ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଠୋସ୍ ପ୍ରମାଣ ନାହିଁ। ସିବିଆଇ ଯେଉଁ ଆରୋପ ଲଗାଇଥିଲା, ତାର କୌଣସି ପ୍ରମାଣ ନାହିଁ। ପ୍ରମାଣ ଆକାରରେ ଯେଉଁ ଭିଡିଓ ସିବିଆଇ ଦାଖଲ କରିଥିଲା, ତାହା ଟ୍ୟାମ୍ପରିଂ ହୋଇଥିବା କହିଛନ୍ତି ବିଚାରପତି ଯାଦବ।

publive-image indiatoday

ସୂଚନା ମୁତାବକ,  ବାବ୍ରି ମସଜିଦ୍ ଧ୍ୱଂସ ମାମଲାରେ ମୋଟ୍ ୪୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହା ମଧ୍ୟରୁ ୧୭ ଅଭିଯୁକ୍ତଙ୍କର ପରଲୋକ ଘଟିଛି । ଅନ୍ୟ ୩୨ ଅଭିଯୁକ୍ତଙ୍କ ମଧ୍ୟରେ  ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମହନ୍ତ ନୃତ୍ୟ ଗୋପାଳ ଦାସ, ସାକ୍ସି ମହାରାଜ, ବିନୟ କଟିୟାର, ଧରମଦାସ, ବେଦାନ୍ତୀ, ଲାଲୁ ସିଂ, ଚମ୍ପତ ରାୟ, ପବନ ପାଣ୍ଡେ, ମୂରଲୀ ମନୋହର ଯୋଶୀ, କଲ୍ୟାଣ ସିଂ ଏବଂ ଉମାଭାରତୀ ପ୍ରମୁଖ ଥିଲେ ।

୧୯୯୨ ମସିହା  ଡିସେମ୍ୱର ୬ ତାରିଖରେ ବାବ୍ରି ମସଜିଦକୁ କରସେବକମାନେ ଭାଙ୍ଗି ଦେଇଥିଲେ । ଏହାକୁ ନେଇ ଉତ୍ତରପ୍ରଦେଶରେ ବ୍ୟାପକ ସାଂପ୍ରଦାୟିକ ଦଙ୍ଗା ହୋଇଥିଲା। ୨୮ ବର୍ଷ ଧରି ଚାଲିଥିବା ଏହି ମାମଲାରେ ୩୫୧ ଜଣ ଲୋକଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିବା ବେଳେ ୬୦୦ଟି  ଦସ୍ତାବିଜ କୋର୍ଟଙ୍କୁ ପ୍ରଦାନ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe