Image Courtesy of India Today
ନୂଆଦିଲ୍ଲୀ: ‘ଇସ୍ରୋ’ର ପୂର୍ବତନ ବୈଜ୍ଞାନିକ ଡକ୍ଟର୍ ଏସ୍ ନମ୍ବି ନାରାୟଣନ୍ଙ୍କ ବିରୋଧରେ ୧୯୯୪ରେ ହୋଇଥିବା ଗୁପ୍ତଚର ମାମଲାରେ କେରଳର କେତେକ ସରକାରୀ ଅଧିକାରୀଙ୍କ ନାମରେ ‘ଏଫ୍ଆଇଆର୍’ ପଞ୍ଜିକରଣ କରାଯାଇଥିବା କଥା ଆଜି ‘ସିବିଆଇ’ ସୁପ୍ରିମ୍ କୋର୍ଟଙ୍କୁ କହିଛି।
‘ବିଚାରପତି ଡିକେ ଜୈନ୍ କମିଟି’ର ଫଳାଫଳକୁ ଆଧାର କରି ‘ସିବିଆଇ’ ଉପରୋକ୍ତ ‘ଏଫ୍ଆଇଆର୍’ ଫାଇଲ୍ କରିଥିବା କହିବା ସହ ମୁଦ ଦିଆଯାଇଥିବା ଏ ସଂକ୍ରାନ୍ତ ପ୍ରାଥମିକ ରିପୋର୍ଟର ଗୋଟାଏ କପି ସୁପ୍ରିମ୍ କୋର୍ଟରେ ଦାଖଲ କରିଛି। କିନ୍ତୁ, ‘ବିଚାରପତି ଡିକେ ଜୈନ୍ କମିଟି’ର ଫଳାଫଳକୁ ଆଧାର କରି ‘ଏଫ୍ଆଇଆର୍’ କରିପାରିବ ନାହିଁ ବୋଲି କହି ଆଇନ ଅନୁସାରେ ନିରପେକ୍ଷ ତଦନ୍ତ ଆରମ୍ଭ କରିବା ଲାଗି ସୁପ୍ରିମ୍ କୋର୍ଟ ‘ସିବିଆଇ’କୁ ନିର୍ଦେଶ ଦେଇଛନ୍ତି।
Image Courtesy of The New Indian Expressବିଚାରପତି ଏଏମ୍ ଖାନୱିଲ୍କର୍ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଲେ, ରିପୋର୍ଟ ପଢ଼ିବା ପରେ ଅଦାଲତ ହୃଦୟଙ୍ଗମ କଲେ ଯେ, ‘ସିବିଆଇ’ ତଦନ୍ତ କରିବା ଆବଶ୍ୟକ। ଏଥର ‘ସିବିଆଇ’ ତଦନ୍ତ ଚଳାଇବ।
‘ସିବିଆଇ’ ପକ୍ଷରୁ ହାଜର ହୋଇଥିବା ସଲିସିଟର୍ ଜେନେରାଲ୍ ତୁଷାର ମେହେଟାଙ୍କୁ ଖଣ୍ଡପୀଠ କହିଲେ ଯେ, ଉକ୍ତ ‘ଏଫ୍ଆଇଆର୍’ର କପି ‘ସିବିଆଇ’ର ୱେବ୍ସାଇଟ୍ରେ ଅପ୍ଲୋଡ୍ ହେବା ଆବଶ୍ୟକ। ସଲିସିଟର୍ ଜେନେରାଲ୍ ତୁଷାର ମେହେଟା କହିଲେ ଯେ, ସନ୍ଧ୍ୟା ସୁଦ୍ଧା ତାହା ହୋଇଯିବ।
ଏହା ବ୍ୟତିରେକେ, ଉକ୍ତ ରିପୋର୍ଟ ସାର୍ବଜନୀନ କରାଯିବ ନାହିଁ ଏବଂ ‘ସିବିଆଇ’ ଅବାଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ କହି ସୁପ୍ରିମ୍ କୋର୍ଟ ‘ଜଷ୍ଟିସ୍ ଡିକେ ଜୈନ୍ କମିଟି’କୁ ଭାଙ୍ଗି ଦେଇଛନ୍ତି।
Follow Us