ବୋଫର୍ସ ମାମଲାରେ ସିବିଆଇର ‘ୟୁ ଟର୍ଣ୍ଣ’: ପୁନଃ ତଦନ୍ତ ପାଇଁ ଅନୁମତି ମାଗି ଅଦାଲତରେ ଆଗତ କରିଥିବା ଦରଖାସ୍ତକୁ କଲା ପ୍ରତ୍ୟାହାର

ବୋଫର୍ସ ମାମଲାରେ ସିବିଆଇର ‘ୟୁ ଟର୍ଣ୍ଣ’: ପୁନଃ ତଦନ୍ତ ପାଇଁ ଅନୁମତି ମାଗି ଅଦାଲତରେ ଆଗତ କରିଥିବା ଦରଖାସ୍ତକୁ କଲା ପ୍ରତ୍ୟାହାର

Law Times

ନୂଆଦିଲ୍ଲୀ: ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ବୋଫର୍ସ ମାମଲାରେ ‘ୟୁ ଟର୍ଣ୍ଣ’ ନେଇଛି ସିବିଆଇ। ବୋଫର୍ସ ଦୁର୍ନୀତିର ପୁନଃ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦିଲ୍ଲୀର ଏକ ଅଦାଲତରେ କରିଥିବା ଏକ ଆବେଦନକୁ ନିଜ ତରଫରୁ ଆଜି ପ୍ରତ୍ୟାହାର କରିନେଇଛି। ବୋଫର୍ସ କାରବାର ପାଇଁ ୬୪ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଥିବା ଅଭିଯୋଗ କରିବା ସହ ଏହି ମାମଲାରେ ଆହୁରି ଅଧିକ ତଦନ୍ତର ଆବଶ୍ୟକତା ରହିଥିବା ଦର୍ଶାଇ ଗତ ୨୦୧୮ ଫେବ୍ରୁଆରି ୧ ତାରିଖରେ ଦିଲ୍ଲୀର ଏକ ଅଦାଲତରେ ସିବିଆଇ ପକ୍ଷରୁ ଏକ ଦରଖାସ୍ତ ଆଗତ କରାଯାଇ ଏଥିପାଇଁ ଅଦାଲତଙ୍କ ଅନୁମତି ମଗା ଯାଇଥିଲା।

ତେବେ, ସିବିଆଇର ଏହି ଅନୁମତି ଦରଖାସ୍ତକୁ ଆଜି ସିବିଆଇ ନିଜ ତରଫରୁ ପ୍ରତ୍ୟାହାର କରି ନେଇଛି। ଦିଲ୍ଲୀର ଚିଫ୍‌ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ନବୀନ କୁମାର କାଶ୍ୟପଙ୍କ ଅଦାଲତରେ ହାଜାର ହୋଇ ଆଜି ସିବିଆଇ ପୁନଃ ତଦନ୍ତ ପାଇଁ ଅନୁମତି ମାଗି ଆଗତ କରିଥିବା ଦରଖାସ୍ତକୁ ବର୍ତ୍ତମାନ ପାଇଁ ପ୍ରତ୍ୟାହାର କରିନେବାକୁ ଚାହୁଁଛି ବୋଲି କହିଥିଲା। ପୂର୍ବରୁ ଏହି ଅନୁମତି ଦରଖାସ୍ତର ଶୁଣାଣି କରି ଅଦାଲତ ସିବିଆଇକୁ ପ୍ରଶ୍ନ କରିଥିଲେ ଯେ ଦୀର୍ଘ ବର୍ଷର ବ୍ୟବଧାନ ପରେ ସିବିଆଇ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଏହି ମାମଲାର ପୁନଃ ତଦନ୍ତ କରିବାକୁ ଚାହୁଁଛି? ତେବେ, ଅଦାଲତଙ୍କ ପ୍ରଶ୍ନର ଉତ୍ତର ରଖିବା ପୂର୍ବରୁ ସିବିଆଇ ଆଜି ଯେତେବେଳେ ଏହି ପୁନଃ ତଦନ୍ତ ପାଇଁ ଅନୁମତି ଦରଖାସ୍ତକୁ ପ୍ରତ୍ୟାହାର କରି ନେବାକୁ ଚାହୁଁଛି ବୋଲି କହିଥିଲା।

ସିବିଆଇର ଏ ଅନୁରୋଧ ଶୁଣିବା ପରେ ଅଦାଲତ କହିଥିଲେ ଯେ ଦରଖାସ୍ତ କରିଥିବା ବ୍ୟକ୍ତି ବା ସଂସ୍ଥା ଯେତେବେଳେ ନିଜ ତରଫରୁ ଦରଖାସ୍ତକୁ ପ୍ରତ୍ୟାହାର କରିନେବା ପାଇଁ ଅନୁରୋଧ କରୁଛନ୍ତି, ସେ କ୍ଷେତ୍ରରେ ଅଦାଲତଙ୍କର କୌଣସି ଅସୁବିଧା ନାହିଁ। କାରଣ, ଏ ଦାରଖାସ୍ତ କାହିଁକି ଆଗତ କରିଥିଲେ ଓ କାହିଁକି ପ୍ରତ୍ୟାହାର କରୁଛନ୍ତି ତାହା କେବଳ ସିବିଆଇକୁ ହିଁ ଜଣା। ଅଦାଲତଙ୍କର ଏଥିରେ ହସ୍ତକ୍ଷେପ କରିବାର ଅଧିକାର ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe