କୋଲକାତା: ଆର୍ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ଡାକ୍ତର ସନ୍ଦୀପ ଘୋଷ ୩୧ ବର୍ଷୀୟା ଡାକ୍ତରଙ୍କ ଦୁଷ୍କର୍ମ-ହତ୍ୟା ଘଟଣାକୁ ଆତ୍ମହତ୍ୟା ବୋଲି ଚିତ୍ରଣ କରି ମାମଲାକୁ ଚାପି ଦେବାକୁ ଚେଷ୍ଟା କରିଥିଲେ ଏବଂ ଏଥିପାଇଁ ପ୍ରମାଣ ନଷ୍ଟ କରାଯାଇ ଥାଇପାରେ ବୋଲି ସିବିଆଇ କୋଲକାତାର ଏକ ଅଦାଲତକୁ କହିଛି। ପୂର୍ବରୁ ସରକାରୀ ହସ୍ପିଟାଲରେ ଆର୍ଥିକ ଅନିୟମିତତା ମାମଲାରେ ଗିରଫ ଘୋଷଙ୍କ ବିରୋଧରେ ଏବେ ପ୍ରମାଣ ନଷ୍ଟ ଅଭିଯୋଗ ରହିଛି। ଏହି ମାମଲାରେ ତାଲା ଥାନା ଅଧିକାରୀ ଅଭିଜିତ ମଣ୍ଡଳଙ୍କୁ ମଧ୍ୟ ଗିରଫ କରାଯାଇଛି।
କୋର୍ଟରେ ଦାଖଲ ହୋଇଥିବା ସିବିଆଇର ରିମାଣ୍ଡ ନୋଟ୍ ଅନୁଯାୟୀ, ଡାକ୍ତର ଘୋଷ ଅଗଷ୍ଟ ୯ ସକାଳ ୯ଟା ୫୮ମିନିଟରେ ଘଟଣା ସମ୍ପର୍କରେ ସୂଚନା ପାଇଥିଲେ ମଧ୍ୟ ତୁରନ୍ତ ପୁଲିସରେ ଅଭିଯୋଗ କରି ନ ଥିଲେ। ପୀଡ଼ିତାଙ୍କ ଶରୀରରେ ବାହ୍ୟ କ୍ଷତ ଚିହ୍ନ ଥିବା ସତ୍ତ୍ୱେ ସେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ। ପୀଡ଼ିତାଙ୍କୁ ଦୁଷ୍କର୍ମ ସହ ହତ୍ୟା କରାଯିବା ପରେ ଡାକ୍ତର ଘୋଷ ପୁଲିସ ଅଧିକାରୀ ଓ ଜଣେ ଓକିଲଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ସିବିଆଇ କହିଛି। ଏପରିକି ଡାକ୍ତରଖାନାକୁ ଆସିଥିବା ପୀଡ଼ିତାଙ୍କ ପିତାମାତାଙ୍କୁ ମଧ୍ୟ ସେ ଭେଟି ନ ଥିଲେ। ଘଟଣା ପରେ ସେ ଠିକ୍ ସମୟରେ ମେଡିକାଲ ଔପଚାରିକତା ପୂରଣ କରିବାରେ ବିଫଳ ହୋଇଥିଲେ ଏବଂ ତୁରନ୍ତ ମୃତଦେହକୁ ଶବ ଗୃହକୁ ପଠାଇବାକୁ ଅଧସ୍ତନ ଅଧିକାରୀମାନଙ୍କୁ କହିଥିଲେ ବୋଲି ସିବିଆଇ ଅଦାଲତଙ୍କୁ କହିଛି।
ପୁଲିସ ଅଧିକାରୀ ମଣ୍ଡଳଙ୍କ ବିରୋଧରେ ରିମାଣ୍ଡ ନୋଟ୍ରେ ସିବିଆଇ କହିଛି ଯେ ଶ୍ରୀ ମଣ୍ଡଳ ସକାଳ ୧୦ଟା ୩ମିନିଟରେ ସୂଚନା ପାଇଥିଲେ, କିନ୍ତୁ ଏକ ଘଣ୍ଟା ପରେ ଡାକ୍ତରଖାନାରେ ପହଞ୍ଚିଥିଲେ। ପ୍ରଥମ ଜେନେରାଲ ଡାଏରି ଏଣ୍ଟ୍ରିରେ ଉଲ୍ଲେଖ କରାଯାଇଛି ଯେ ପୀଡ଼ିତା ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଅଥଚ ତା’ ପୂର୍ବରୁ ଯାଞ୍ଚ ସରି ପୀଡ଼ିତାଙ୍କ ମୃତ୍ୟୁ ହୋଇ ସାରିଥିବା ଜଣାପଡ଼ିଥିଲା। ଅପରାଧର ଜଘନ୍ୟ ପ୍ରକୃତି ସତ୍ତ୍ୱେ ପୁଲିସ ଅଧିକାରୀ ଠିକ୍ ସମୟରେ ଏଫ୍ଆଇଆର୍ ରୁଜୁ କରିବାରେ ବିଫଳ ହୋଇଥିଲେ ବୋଲି ଏଜେନ୍ସି କହିଛି। ସିବିଆଇ କହିଛି ଯେ ଅଧିକାରୀ ଜଣକ ଘଟଣାସ୍ଥଳକୁ କର୍ଡନ କରିବାରେ ବିଫଳ ହୋଇଥିଲେ। ଫଳରେ ଅନଧିକୃତ ଲୋକମାନେ ସେଠାରେ ପହଞ୍ଚି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ନଷ୍ଟ କରିଥିଲେ। ମୃତ୍ୟୁ ପ୍ରମାଣପତ୍ର ଓ ଶବ ବ୍ୟବଚ୍ଛେଦରେ ବିଳମ୍ବ ପାଇଁ ମଧ୍ୟ ଏଜେନ୍ସି ମଣ୍ଡଳଙ୍କୁ ଦାୟୀ କରିଛି। ସିବିଆଇ କହିଛି ଯେ ପରିବାର ଲୋକେ ଦ୍ୱିତୀୟ ଶବ ବ୍ୟବଚ୍ଛେଦ ପାଇଁ ଦାବି କରିବା ସତ୍ତ୍ୱେ ଅଧିକାରୀ ତରବରିଆ ଭାବେ ଶବ ସତ୍କାର କରିବାକୁ ଅନୁମତି ଦେଇଥିଲେ। କୋର୍ଟ ଗତକାଲି ଡାକ୍ତର ଘୋଷ ଓ ଶ୍ରୀ ମଣ୍ଡଳଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ଦେଇଛନ୍ତି। ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବ।
Follow Us