ଏ ବର୍ଷ ଦଶମ ଶ୍ରେଣୀରେ ହାରାହାରି ୩୩% ନମ୍ବର ରଖିଲେ ପାସ୍‌: ସିବିଏସ୍‌ଇ

Advertisment
ଏ ବର୍ଷ ଦଶମ ଶ୍ରେଣୀରେ ହାରାହାରି ୩୩% ନମ୍ବର ରଖିଲେ ପାସ୍‌: ସିବିଏସ୍‌ଇ

Image Courtesy of HT

ନୂଆଦିଲ୍ଲୀ: ମାର୍ଚ ମାସରେ ୧୦ମ ବୋର୍ଡ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ପୃଥକ୍‌ ପାସ୍‌ ମାର୍କ ଉପରେ ବାଧ୍ୟତାମୂଳକ ବ୍ୟବସ୍ଥାକୁ କୋହଳ କରିଛି ସିବିଏସ୍‌ଇ।

ଦେଶର ସମସ୍ତ ସିବିଏସ୍‌ଇ ଅନୁବନ୍ଧିତ ସ୍କୁଲ୍‌ଗୁଡ଼ିକୁ ପଠାଯାଇଥିବା ଏକ ସର୍କ୍ୟୁଲାର୍‌ରେ କୁହାଯାଇଛି ଯେ କେବଳ ଚଳିତ ବର୍ଷର ଛାତ୍ରଛାତ୍ରୀଙ୍କ ନିମନ୍ତେ ହାରାହାରି ୩୩% ମାର୍କ ବ୍ୟବସ୍ଥା କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି। ସେମାନଙ୍କୁ ବୋର୍ଡ ପରୀକ୍ଷାରେ ଆଉ ପୃଥକ୍‌ ଭାବେ ୩୩% ରଖିବାକୁ ପଡ଼ିବ ନାହିଁ କି, ଇଣ୍ଟର୍‌ନାଲ୍‌ ଆସେସ୍‌ମେଣ୍ଟ୍‌କୁ ହିସାବକୁ ନିଆଯିବ ନାହିଁ।

ସର୍କ୍ୟୁଲାର୍‌ରେ କୁହାଯାଇଛି: ଫେବ୍ରୁଆରି ୧୬ ତାରିଖରେ ବୋର୍ଡର ପରୀକ୍ଷା କମିଟି ଏକ ବୈଠକରେ ଏକତ୍ର ହୋଇଥିଲେ। ୨୦୧୮ ବ୍ୟାଚ୍‌ର ଦଶମ ପରୀକ୍ଷାର୍ଥୀମାନେ ୨୦୧୭ରେ ନବମ ଶ୍ରେଣୀରେ ଥିଲେ। ସେମାନଙ୍କର ମୂଲ୍ୟାୟନ ପୃଷ୍ଠଭୂମି ଥିଲା ଭିନ୍ନ। ନବମ ଏବଂ ଦଶମର ପାଠ୍ୟକ୍ରମକୁ ଗୋଟିଏ ଗ୍ରୁପ୍‌ରେ ନିଆ ଯାଉଥିବାରୁ ଏ ଥର ପାଇଁ ଏ ଭଳି ବ୍ୟବସ୍ଥା କରାଯାଇଛି।

୭ ବର୍ଷର ବ୍ୟବଧାନ ପରେ ଏ ବର୍ଷ ୧୦ମ ପରୀକ୍ଷା ବାଧ୍ୟତାମୂଳକ କରାଯାଉଛି। ୨୦୦୯ରେ ମାନବ ସମ୍ବଳ ବିକାଶ ମନ୍ତ୍ରଳାୟ କହିଥିଲା ଯେ ୨୦୧୦-୧୧ ଠାରୁ ୧୦ ପରୀକ୍ଷା ଇଚ୍ଛାଧୀନ କରାଯିବ।

ନୂତନ କୋହଳ ବ୍ୟବସ୍ଥା ଅନୁସାରେ, ପାସ୍‌ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଇଣ୍ଟର୍‌ନାଲ୍‌ ଆସେସ୍‌ମେଣ୍ଟ୍‌ ଏବଂ ଥିଓରି ମାର୍କ ମିଶାଇ ସମୁଦାୟ ୩୩% ନମ୍ବର ରଖିବାକୁ ପଡ଼ିବ। ପୂର୍ବରୁ ବୋର୍ଡ ସର୍ତ୍ତ ରଖିଥିଲା କି, ବୋର୍ଡ ପରୀକ୍ଷାରେ ୩୩% ଏବଂ ଇଣ୍ଟର୍‌ନାଲ୍‌ ଆସେସ୍‌ମେଣ୍ଟ୍‌ରେ ୩୩% ରଖିବାକୁ ପଡ଼ିବ।

ଏହା ବ୍ୟତିରେକେ, ପ୍ରଥମଥର ପାଇଁ ବୋର୍ଡ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସ୍ୱତନ୍ତ୍ର ରିହାତି ଓ ସୁବିଧା କରିଛି। ଦରକାର ହେଲେ ଏ ଭଳି ଛାତ୍ରଛାତ୍ରୀ କମ୍ପ୍ୟୁଟର୍‌ ସହାୟତାରେ ପରୀକ୍ଷା ଉତ୍ତର ଲେଖି ପାରିବେ। କିନ୍ତୁ, ସେମାନେ ନିଜେ ଲାପ୍‌ଟପ୍‌ କିଂବା କମ୍ପ୍ୟୁଟର୍‌ ବ୍ୟବସ୍ଥା କରିବେ। ସେମାନଙ୍କୁ ପ୍ରଶ୍ନ ପତ୍ର ପଢ଼ି ଶୁଣାଇ ଦେବାର ବ୍ୟବସ୍ଥା ମଧ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe