ଜମ୍ମୁ : ପୁଣି ଥରେ ଜମ୍ମୁ-କଶ୍ମୀରର ସୀମାନ୍ତ ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା ସାମ୍ନାକୁ ଆସିଛି। ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟରରେ ନିୟନ୍ତ୍ରଣ ରେଖା ନିକଟରେ ଥିବା ଏକ ଭାରତୀୟ ପୋଷ୍ଟ ଉପରକୁ ପାକିସ୍ତାନୀ ସୈନିକମାନେ ଗୁଳି ଚଳାଇଥିଲେ। ଭାରତୀୟ ସେନା କହିଛି ଯେ କୌଣସି ସୁରକ୍ଷା କର୍ମୀ କ୍ଷତିଗ୍ରସ୍ତ ହୋଇନାହାନ୍ତି ଏବଂ ଆମେ ଗୁଳିଚାଳନାର ଉଚିତ ଜବାବ ଦେଇଛୁ ।
ସୂଚନା ଅନୁସାରେ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଗୁଲପୁର ସେକ୍ଟରରେ ଥିବା ଭାରତୀୟ ସେନା ପୋଷ୍ଟଉପରେ ନିୟନ୍ତ୍ରଣ ରେଖା ପାର ଜଙ୍ଗଲରୁ ଗୁଳିଚାଳନା ଆରମ୍ଭ ହୋଇଥିଲା। ଏହି ଆକ୍ରମଣରେ ପାକିସ୍ତାନ ପକ୍ଷରୁ ପ୍ରାୟ ୧୮ ରାଉଣ୍ଡ ଗୁଳିଚାଳନା କରାଯାଇଥିଲା। ପାକିସ୍ତାନର ଗୁଳିମାଡ଼ର ଜବାବରେ ଭାରତୀୟ ସେନା ୬୦ ରାଉଣ୍ଡ ଗୁଳି ଚଳାଇଥିଲା। ଏହି ଏନକାଉଣ୍ଟର କିଛି ସମୟ ଧରି ଚାଲିଥିଲା, ଯାହା ପରେ ସମ୍ବେଦନଶୀଳ ସୀମାନ୍ତ ଅଞ୍ଚଳରେ ଭାରତୀୟ ସେନା ସତର୍କତା ବଢ଼ାଇଥିଲା।
ରାଓ୍ଵଲକୋଟସ୍ଥିତ ୨ ପାକିସ୍ତାନ ଅଧିକୃତ ଜମ୍ମୁ-କଶ୍ମୀର ବ୍ରିଗେଡ୍ ଅଧୀନରେ ଥିବା ୨୪ଏକେ ବାଟାଲିୟନ ଦ୍ୱାରା ପରିଚାଳିତ ନକରକୋଟରେ ଥିବା ପାକିସ୍ତାନୀ ଫରୱାର୍ଡ ଡିଫେନ୍ସିଭ୍ ଲୋକେସନ୍ (ଏଫଡିଏଲ୍)ରୁ ଏହି ଗୁଳିଚାଳନା ଆରମ୍ଭ ହୋଇଥିଲା। ଏହି ଗୁଳିକାଣ୍ଡ ପଛରେ ପାକିସ୍ତାନୀ ସେନାର ହାତ ଅଛି ନା ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀମାନେ ଅନୁପ୍ରବେଶ ପାଇଁ ସୁଯୋଗ ଖୋଜୁଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି ଅଧିକାରୀମାନେ କହିଛନ୍ତି।
Follow Us