Krishi Jagran
ନୂଆଦିଲ୍ଲୀ : କେନ୍ଦ୍ର ସରକାର ଓଡ଼ିଶାର ଏକ ବହୁ ପୁରୁଣା ଦାବିକୁ ପୂରଣ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଲ୍ଲୀରେ ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର ପ୍ରତିଷ୍ଠା କରିବା ପାଇଁ ଜମି ଯୋଗାଇଦେବା ପାଇଁ ଏକ ପ୍ରସ୍ତାବ ଦେଇଥିଲେ । ଦିଲ୍ଲୀର ଜାକିର ହୁସେନ ମାର୍ଗସ୍ଥିତ ଓବରାଏ ହୋଟେଲ ଏବଂ ଜେପିଏମ୍ ସିନିୟର୍ ସେକେଣ୍ଡାରି ସ୍କୁଲ ଫର୍ ବ୍ଲାଇଣ୍ଡ୍କୁ ଲାଗିରହିଥିବା ଜମିକୁ ଆବଣ୍ଟନ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଚଳିତ ବର୍ଷ ମେ ୨୩ରେ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଉପରେ ବିଚାର କରିବା ପାଇଁ କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଅଧୀନସ୍ଥ ଲ୍ୟାଣ୍ଡ୍ ଆଲଟମେଣ୍ଟ୍ ସ୍କ୍ରିନିଂ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକରେ ଅଧ୍ୟକ୍ଷତା କରିଥିଲେ ଅତିରିକ୍ତ ସଚିବ କାମରାନ ରିଜଭି। କମିଟି ଦ୍ବାରା ଓଡ଼ିଶା ସରକାରଙ୍କ ଜମି ଆବଶ୍ୟକତାର ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। କମିଟି ସମସ୍ତ ପ୍ରସଙ୍ଗକୁ ବିଚାର କରି ରାଜ୍ୟ ସରକାରଙ୍କୁ ଇଣ୍ଟିଗ୍ରେଟେଡ୍ କ୍ୟାମ୍ପସ ପ୍ରତିଷ୍ଠା କରିବା ପାଇଁ ୨.୭ ଏକର ଜମି ଆବଣ୍ଟନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।
ବ୍ୟାବସାୟିକ ଦରରେ ଆବଣ୍ଟିତ ଜମିରେ ଇଣ୍ଟିଗ୍ରେଟେଡ୍ କ୍ୟାମ୍ପସ୍ ଅନ୍ତର୍ଗତ ରାଜ୍ୟ ଅତିଥି ଗୃହ, ସାଂସ୍କୃତିକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ସ୍ଥାପନ କରାଯିବ। ଉଲ୍ଲେଖଯୋଗ୍ୟ, ୨୦୧୯ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀଙ୍କୁ ପତ୍ର ଲେଖି ଦିଲ୍ଲୀରେ ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର ପ୍ରତିଷ୍ଠା ପାଇଁ ଜମି ଆବଣ୍ଟନ ପାଇଁ ପତ୍ର ଲେଖିଥିଲେ।
Follow Us