ଚାଉଳ ଉଠାଣରେ କେନ୍ଦ୍ର ସରକାରଙ୍କ ପାତରଅନ୍ତର ନୀତି: ତେଲେଙ୍ଗାନାକୁ ହଁ, ଓଡ଼ିଶାକୁ ନା

ଏଫସିଆଇ-ଯୋଗାଣ ନିଗମର ବୈଠକ: କମିଛି କେନ୍ଦ୍ରର ଚାଉଳ କ୍ରୟ

Sify.com

ନୂଆଦିଲ୍ଲୀ : ବଳକା ଉଷୁନା ଚାଉଳ ଉଠାଣକୁ ନେଇ କେନ୍ଦ୍ର ସରକାର ଟାଳଟୁଳ ନୀତି ଆପଣାଇଛନ୍ତି। ଭିନ୍ନ ରାଜ୍ୟ ପାଇଁ ଭିନ୍ନ ନୀତି। ବାରମ୍ବାର ଦାବି ସତ୍ତ୍ବେ କେନ୍ଦ୍ର ସରକାର ଓଡ଼ିଶାରୁ ବଳକା ଉଷୁନା ଚାଉଳ ଉଠାଣ କରୁନଥିବା ବେଳେ ତେଲେଙ୍ଗାନାକୁ ଅନୁମତି ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ୨୦୨୦-୨୧ ଓ ୨୦୨୧-୨୨ ଖରିଫ୍‌ ବିପଣନ ଋତୁରେ ବଳକା ଧାନରୁ ୬.୦୫ ଲକ୍ଷ ଟନ ପୁଷ୍ଟିକର ଉଷୁନା ଚାଉଳ ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ଗୋଦାମରେ ରଖିବାକୁ କେନ୍ଦ୍ର ସରକାର ତେଲେଙ୍ଗାନାକୁ ଚଳିତ ମାସ ୧୧ତାରିଖରେ ଅନୁମତି ଦେଇଛନ୍ତି।

କେନ୍ଦ୍ର ସରକାର ତ‌େଲେଙ୍ଗାନାକୁ ଏଫ୍‌ସିଆଇ ଗୋଦାମରେ ପୁଷ୍ଟିକର ଉଷୁନା ଚାଉଳ ରଖିବା ପା‌ଇଁ ଅନୁମତି ପ୍ରଦାନ କରିବା ଏବଂ ଓଡ଼ିଶା ଦାବିକୁ ଅଣଦେଖା କରିବା‌ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟରୁ ଉତ୍ପାଦିତ ଚାଉଳ ସଂଗ୍ରହ ପାଇଁ ଓଡ଼ିଶା ଲଗାତାର କେନ୍ଦ୍ର ନିକଟରେ ଦାବି କରିଆସୁଛି। ନିକଟରେ ଓଡ଼ିଶା ସରକାର ରାଜ୍ୟରେ ବଳକା ପଡ଼ିରହିଥିବା ୧୩ ଲକ୍ଷ ମେଟ୍ରିକ ଟନ ଚାଉଳକୁ ଏଫ୍‌ସିଆଇ ମାଧ୍ୟମରେ ଉଠାଇବା ପାଇଁ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଥିଲେ। ଶାସକ ଦଳ ବିଜେଡିର ସାଂସଦମାନେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଏହି ପ୍ରସଙ୍ଗକୁ ଦୃଢ଼ ଭାବେ ଉଠାଇଥିଲେ। ଓଡ଼ିଶାର ଏହି ଦାବିକୁ ବିଭିନ୍ନ ଆଳ ଦେଖାଇ କେନ୍ଦ୍ର ଆଜି ସୁଦ୍ଧା ଗ୍ରହଣ କରିନାହିଁ।

ଓଡ଼ିଶାର ଅନୁରୂପ ଦାବି ‌ତେଲେଙ୍ଗାନା ଶାସନ କ୍ଷମତାରେ ଥିବା ଟିଆର୍‌ଏସ୍‌ ଦ୍ବାରା କରାଯାଇଥିଲା। ଗତମାସରେ ଟିଆର୍‌ଏସ୍‌ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ‌ତେ‌ଲେଙ୍ଗାନା ଭବନରେ ରାଜ୍ୟମାନଙ୍କ ନିକଟରେ ଥିବା ଚାଉଳକୁ ଏଫ୍‌ସିଆଇ ଦ୍ବାରା ତୁରନ୍ତ ଉଠାଣ କରାଯାଉ ବୋଲି ଦାବି କରି ମହାଧାରଣା ଦିଆଯାଇଥିଲା। କେନ୍ଦ୍ର ଉପରେ ଜୋରଦାର୍‌ ଚାପ ପକାଇବା ପରେ କେନ୍ଦ୍ର ସରକାର ତେଲେଙ୍ଗାନାକୁ ଅନୁମତି ପ୍ରଦାନ କରିଥିବା ଅନୁମାନ କରାଯାଉଛି। ବିଜେଡିର ଦାବିକୁ ଟିଆର୍‌ଏସ୍‌ ଦୋହରାଇ ଅନୁମତି ପାଇବାରେ ସଫଳ ହୋଇଥିବାବେ‌ଳେ ବିଜେଡିର ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରିବେ ନା ନାହିଁ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ଅନ୍ୟ ପକ୍ଷରେ କେନ୍ଦ୍ରର ଏହି ପାତରଅନ୍ତର ନୀତିକୁ ବୁଦ୍ଧିଜୀବୀ ମହଲ ନାପସନ୍ଦ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe