ଚିନ୍ତାରେ କେନ୍ଦ୍ର ସରକାର

ଚିନ୍ତାରେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତିଙ୍କ ବିରୋଧରେ ୪ ଜଣ ବିଚାରପତି ଗୁରୁତର ଅଭିଯୋଗ ଆଣି ସାମ୍ବାଦିକ ସମ୍ମିଳନୀ କରିବା ଘଟଣା ସରକାରଙ୍କୁ ଚିନ୍ତାରେ ପକାଇଛି। ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସହ ଫୋନ୍‌ରେ କଥାବାର୍ତ୍ତା କରିଛନ୍ତି। ତେବେ ଏ ବାବଦରେ ସରକାରଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ଜାରି କରାଯାଇ ନାହିଁ। ନ୍ୟାୟପାଳିକାର ଏହି ମାମଲାରେ ସରକାର ସିଧାସଳଖ କୌଣସି ହସ୍ତକ୍ଷେପ କରିବେ ନାହିଁ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି। ସରକାରଙ୍କ କହିବା କଥା ହେଲା ଏହି ମାମଲା ସୁପ୍ରିମ୍‌ କୋର୍ଟର ଆଭ୍ୟନ୍ତରୀଣ ବ୍ୟାପାର ଏବଂ ସରକାର ଏଥିରେ କୌଣସି ପକ୍ଷ ନୁହନ୍ତି। ତେବେ ପୂରା ମାମଲା ସଂପର୍କରେ ପ୍ରଧାନ ବିଚାରପତି ଦୀପକ ମିଶ୍ର ଆଜି ଏଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଳଙ୍କ ସହ ଆଲୋଚନା କରିଛନ୍ତି।

ସାମ୍ବାଦିକ ସମ୍ମିଳନୀ ଜରୁରୀ ନଥିଲା: ଏଟର୍ଣ୍ଣି ଜେନେରାଲ
ସୁପ୍ରିମ୍‌ କୋର୍ଟରେ ଦେଖାଦେଇଥିବା ସମସ୍ୟାର ଆନ୍ତାକାଲି ସୁଦ୍ଧା ସମାଧାନ ହୋଇଯିବ, କିନ୍ତୁ ୪ ବିଚାରପତିଙ୍କ ଦ୍ୱାରା ଯେଭଳି ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଗଲା ତାହାକୁ ଏଡ଼ାଇ ଦିଆଯାଇପାରିଥାନ୍ତା ବୋଲି ଏଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଳ କହିଛନ୍ତି। ସୁପ୍ରିମ୍‌ କୋର୍ଟର ବିଚାରପତିମାନେ ବିଶାଳ ଅଭିଜ୍ଞତା ଓ ଜ୍ଞାନର ଅଧିକାରୀ। ସେମାନେ ଏହି ସଙ୍କଟର ସରଳ ସମାଧାନ କରିପାରିବେ ବୋଲି ଏଟର୍ଣ୍ଣି ଜେନେରାଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe