କେନ୍ଦ୍ରର ରୋଜଗାର ମେଳା: ୭୧ ହଜାରଙ୍କୁ ନିଯୁକ୍ତିପତ୍ର ଦେଲେ ପ୍ରଧାନମନ୍ତ୍ରୀ

Advertisment
କେନ୍ଦ୍ରର ରୋଜଗାର ମେଳା: ୭୧ ହଜାରଙ୍କୁ ନିଯୁକ୍ତିପତ୍ର ଦେଲେ ପ୍ରଧାନମନ୍ତ୍ରୀ

Image Courtesy of Zee News

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ‘ରୋଜଗାର ମେଳା’ କାର୍ଯ୍ୟକ୍ରମ ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୧ ହଜାର ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଏହି ନିଯୁକ୍ତିପତ୍ର ପ୍ରଦାନ କରିବା ସହ ନୂଆ କର୍ମଚାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେଇଛନ୍ତି। ଶିକ୍ଷକ, ଅଧ୍ୟାପକ, ନର୍ସ, ନର୍ସିଂ ଅଫିସର, ଡାକ୍ତର, ଫାର୍ମାସିଷ୍ଟ, ରେଡିଓଗ୍ରାଫର ସମେତ ଅନ୍ୟାନ୍ୟ ବୈଷୟିକ ଓ ପାରାମେଡିକାଲ ଆଦି କ୍ଷେତ୍ରରେ ଏହି ନୂଆ ନିଯୁକ୍ତି ଦିଆଯାଇଛି। ଗତମାସରେ କେନ୍ଦ୍ର ସରକାର ୭୫ ହଜାର ନୂଆ ନିଯୁକ୍ତି ଦେବା ପରେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ଏହି ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି।
ଏଥିସହିତ ଗୃହ ମନ୍ତ୍ରାଳୟ ଦ୍ବାରା କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳରେ (ସିଏପିଏଫ)ରେ ଅନେକ ପଦବି ପୂରଣ କରାଯାଉଛି।

ନିଯୁକ୍ତି ସୃଷ୍ଟି ଉପରେ ପ୍ରଧାନମନ୍ତ୍ରୀ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। ତାଙ୍କ ପ୍ରତିଶ୍ରୁତି ପୂରଣ କରିବା ଦିଗରେ ରୋଜଗାର ମେଳା ହେଉଛି ଏକ ପଦକ୍ଷେପ। ପ୍ରଧାନମନ୍ତ୍ରୀ କର୍ମଯୋଗୀ ପ୍ରାରମ୍ଭ ମଡ୍ୟୁଲ ମଧ୍ୟ ଆରମ୍ଭ କରିଛନ୍ତି। ସରକାରଙ୍କ ବିଭିନ୍ନ ବିଭାଗରେ ନୂଆ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ପାଇଁ ଏହା ଏକ ଅନଲାଇନ ଓରିଏଣ୍ଟେସନ ପାଠ୍ୟକ୍ରମ। ଏଥିରେ ସରକାରୀ କର୍ମଚାରୀଙ୍କ ଆଚରଣ କୋଡ୍‌, କାର୍ଯ୍ୟସ୍ଥଳୀର ନୈତିକ ମୂଲ୍ୟବୋଧ ଏବଂ ସାଧୁତା, ମାନବ ସମ୍ବଳ ନୀତି ଏବଂ ଅନ୍ୟାନ୍ୟ ସୁବିଧା ଓ ଭତ୍ତା ଆଦି ବିଷୟରେ ସୂଚନା ଦିଆଯାଇଥାଏ।

ପ୍ରଧାନମନ୍ତ୍ରୀ କହିଛନ୍ତି ରୋଜଗାର ମେଳା ମିସନ ମୋଡ୍‌ରେ କାର୍ଯ୍ୟ କରୁଛି। ଯୁବବର୍ଗ ଆମ ଦେଶର ବଡ଼ ଶକ୍ତି। ଦେଶ ନିର୍ମାଣରେ ସେମାନଙ୍କ ଶକ୍ତିକୁ ଯେଭଳି ବିନିଯୋଗ କରାଯିବ ତାହା ଉପରେ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। ରୋଜଗାର ମେଳା ଜରିଆରେ ଯୁବବର୍ଗକୁ ସଶକ୍ତ କରିବା ଏବଂ ଜାତୀୟ ପ୍ରଗତିର ଉତ୍‌ପ୍ରେରକ ହେବା ଦିଗରେ ଏକ ପ୍ରୟାସ। ଆରମ୍ଭ ହୋଇଥିବା କର୍ମଯୋଗୀ ଭାରତ ପୋର୍ଟାଲରେ ଏକାଧିକ ଅନଲାଇନ ପାଠ୍ୟକ୍ରମ ରହିଛି। ଦକ୍ଷତାବୃଦ୍ଧିରେ ଏହା ବିଶେଷ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe