ନୂଆଦିଲ୍ଲୀ : ମେ’ ୧୯ରେ ଶେଷ ପର୍ଯ୍ୟାୟ ଲୋକସଭା ନିର୍ବାଚନ। ୨୩ରେ ଫଳାଫଳ ପ୍ରକାଶ ପାଇବ। ଏହାପରେ ଜଣାପଡ଼ିବ କେନ୍ଦ୍ରରେ କିଏ ସରକାର ଗଢ଼ିବ। ତେବେ ବିଭିନ୍ନ ଆକଳନରୁ ରାଜନୈତିକ ସମୀକ୍ଷକ ମାନେ ଏଥର ଝୁଲା ଲୋକସଭା ଅନୁମାନ କରୁଥିବା ବେଳେ କଂଗ୍ରେସ ଏବେଠାରୁ ଅଣ ବିଜେପି ସରକାର ଗଠନ ଦିଗରେ ଉଦ୍ୟମ ଆରମ୍ଭ କରିଦେଇଛି।। ବିରୋଧୀ ଦଳମାନଙ୍କୁ ଏକତ୍ରିତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଏହି ମର୍ମରେ ସୋନିଆ ଗାନ୍ଧୀ ଆଜି ସମସ୍ତ ୟୁପିଏ ସହଯୋଗୀ ଏବଂ ଅଣ ବିଜେପି ଆଞ୍ଚଳିକ ଦଳ ତଥା ବିଜେଡି, ଟିଆରଏସ୍, ଟିଡିପି, ଵାଇଏସଆର କଂଗ୍ରେସର ମୁଖିଆମାନଙ୍କୁ ପତ୍ର ଲେଖି ମେ’ ୨୩ରେ ୟୁପିଏ ଦ୍ବାରା ଆହୂତ ବୈଠକରେ ଯୋଗଦେବା ପାଇଁ ଅନୁରୋଧ କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। କେବଳ ଏତିକି ନୁହେଁ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ହେଉଛି ଯେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଚଳିତ ମାସ ୨୨, ୨୩ ଓ ୨୪ ରେ ନେତାମାନେ ଦିଲ୍ଲୀରେ ଉପସ୍ଥିତ ରହୁଛନ୍ତି କି ନା’ ସେନେଇ ନିଜେ ଯୋଗସୂତ୍ର ଆରମ୍ଭ କରିଛନ୍ତି। ନେତାମାନଙ୍କ ସହିତ ମେ’ ୨୩ ବୈଠକ ପୂର୍ବରୁ ଆଲୋଚନା କରିବା ପାଇଁ ସୋନିଆ ଗାନ୍ଧୀ କିଛି ବରିଷ୍ଠ ନେତାମାନଙ୍କୁ ଦାୟିତ୍ବ ଦେଇଥିବା କୁହାଯାଉଛି। କେନ୍ଦ୍ରରେ କିଭଳି ନରେନ୍ଦ୍ର ମୋଦୀଙ୍କୁ ମାତ୍ ଦିଆଯିବ ତାହା ମେ’ ୨୩ ବୈଠକର ମୁଖ୍ୟ ଏଜେଣ୍ଡା ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ନିର୍ବାଚନ ପୂର୍ବରୁ ମିଳିତ ହୋଇପାରିନଥିବା ବିରୋଧୀ ଦଳ ନେତାମାନଙ୍କୁ ନିର୍ବାଚନ ପରେ ଏକାଠି କରିବାରେ ସୋନିଆ ଗାନ୍ଧୀ ଅଣ୍ଟା ଭିଡ଼ିଥିବା ବେଳେ ଏହି ନେତାମାନଙ୍କର ଆଭିମୁଖ୍ୟ କ’ଣ ରହୁଛି ତା ଉପରେ ସମସ୍ତଙ୍କର ନଜର ରହିବ।
ଅପରପକ୍ଷେ ବିଜେଡିର ନିକଟତର ହେବା ପାଇଁ ବିଜେପି ପ୍ରୟାସ ଜାରି ରଖିଥିବା ଜଣାପଡ଼ିଛି । ଆଜି ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ପଶ୍ଚିମବଙ୍ଗ ହିଂସା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦାହରଣ ଦେଇ ବିଜେପି ଅଧ୍ୟକ୍ଷ ଅମିତ ଶାହ ତାଙ୍କୁ ପରୋକ୍ଷରେ ପ୍ରଶଂସା କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅମିତ ଶାହ କହିଥିଲେ ପଶ୍ଚିମବଙ୍ଗରେ ବିଜେପି ପ୍ରତି ଜନସମର୍ଥନ ବଢୁଥିବାରୁ ତୃଣମୂଳ କଂଗ୍ରେସ ସହ୍ୟ କହିପାରୁ ନାହିଁ। ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ଉପରେ ଆକ୍ରମଣ କରାଯାଉଛି। ତେବେ ଖାଲି ଟିଏମ୍ସି ଶାସିତ ରାଜ୍ୟରେ ଏମିତି କାହିଁକି ହିଂସା ଘଟୁଛି ବୋଲି ଅମିତ ଶାହ ପ୍ରଶ୍ନ କରିଥିଲେ। ଅମିତ ଶାହ ଆଜି ନବୀନଙ୍କୁ ପ୍ରଶଂସା କରି କହିଥିଲେ ଯେ ଓଡ଼ିଶାରେ ନବୀନବାବୁଙ୍କ ଶାସନ ଚାଲିଛି। ଓଡ଼ିଶାରେ ତ କାହିଁକି ଏମିତି ହିଂସା ଘଟୁନି।
Follow Us