https://zeenews.india.com/
ନୂଆଦିଲ୍ଲୀ: କେନ୍ଦ୍ର ସରକାର ୧୨ଟି ରାଜ୍ୟରେ ‘ଏକ ରାଷ୍ଟ୍ର, ଏକ ରାସନକାର୍ଡ’ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ରହିଛି ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜୁରାଟ, ମହାରାଷ୍ଟ୍ର, ହରିଆଣା, ରାଜସ୍ଥାନ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ଗୋଆ, ଝାଡ଼ଖଣ୍ଡ ଏବଂ ତ୍ରିପୁରା। ‘ଏକ ରାଷ୍ଟ୍ର, ଏକ ରାସନକାର୍ଡ’ ଯୋଜନା ଅଧୀନରେ ସାର୍ବଜନୀକ ବିତରଣ ବ୍ୟବସ୍ଥାର ହିତାଧିକାରୀମାନେ ଏ ମଧ୍ୟରୁ କେଉଁ ବି ରାଜ୍ୟରେ ନିଜର ବର୍ତ୍ତମାନର ରାସନକାର୍ଡ ଜରିଆରେ ରାସନ ନେଇପାରିବେ। ଏହାଦ୍ବାରା ସମଗ୍ର ଦେଶରେ ଗୋଟିଏ କାର୍ଡ ପ୍ରଚଳିତ ହେବ। ୨୦୨୦ ଜୁନ୍ ମାସ ସୁଦ୍ଧା ଏହି ‘ଏକ ରାଷ୍ଟ୍ର, ଏକ ରାସନକାର୍ଡ’ ବ୍ୟବସ୍ଥାରେ ପୂରା ଦେଶ ଯୋଡ଼ି ହୋଇ ସାରିଥିବ ବୋଲି ସୂଚନା ରହିଛି।
Image Courtesy of Zee Newsମୁଖ୍ୟତଃ, କାମ କରିବା ପାଇଁ ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକ ଏବଂ ଦିନ ମଜୁରିଆମାନଙ୍କର ଉପକାର ଲାଗି ଏହି ଯୋଜନା କେନ୍ଦ୍ର ସରକାର ହାତକୁ ନେଇଛନ୍ତି। ଏହି କାର୍ଡ ଜରିଆରେ ସେମାନେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅଧୀନରେ ଯେକୌଣସି ସରକାରୀ ସାମଗ୍ରୀ ବଣ୍ଟନ କରୁଥିବା ଦୋକାନରୁ ( ‘ଫେୟାର୍ ପ୍ରାଇସ୍ ସପ୍’) (ଏଫ୍ପିଏସ୍) ରିହାତି ଦରରେ ଖାଦ୍ୟଶସ୍ୟ ପାଇ ପାରିବେ। ଏହା ସହ ସେମାନଙ୍କୁ ଅବଶ୍ୟ ‘ଇଲେକ୍ଟ୍ରୋନିକ୍ ପଏଣ୍ଟ୍ ଅଫ୍ ସେଲ୍’ରେ (ଇପିଓଏସ୍) ଆଧାର ଚିହ୍ନିତ ବାୟୋମେଟ୍ରିକ୍ (ଟିପଚିହ୍ନ) ଦେବାକୁ ପଡ଼ିବ।
୨୦୨୦ ମସିହା ଜୁନ୍ ୧ ତାରିଖଠାରୁ ‘ଏକ ରାଷ୍ଟ୍ର, ଏକ ରେସନ୍ କାର୍ଡ’ ଯୋଜନା ସମଗ୍ର ଦେଶରେ ଲାଗୁ ହେବ ବୋଲି ଖାଉଟି ବ୍ୟାପାର, ଖାଦ୍ୟ ଓ ସର୍ବସାଧାରଣ ବଣ୍ଟନ ବିଭାଗର ମନ୍ତ୍ରୀ ରାମବିଳାସ ପାସଓ୍ଵନ ଡିସେମ୍ବର ୩ ତାରିଖ ଦିନ ଘୋଷଣା କରିଥିଲେ।
Follow Us