Image Courtesy of NDTV
ନୂଆଦିଲ୍ଲୀ: ବିଦେଶୀ ପାଣ୍ଠି ଆଇନ ଉଲ୍ଲଂଘନ ଅଭିଯୋଗରେ ଗୃହ ବ୍ୟାପାର ମନ୍ତ୍ରାଳୟ ଶନିବାର ଦିନ ‘ରାଜୀବ ଗାନ୍ଧୀ ଫାଉଣ୍ଡେସନ୍’ର ‘ଫରେନ୍ କଣ୍ଟ୍ରିବ୍ୟୁସନ୍ ରେଗୁଲେସନ୍ ଆକ୍ଟ୍’ (ଏଫ୍ସିଆର୍ଏ) ଲାଇସେନ୍ସ୍ ରଦ୍ଦ କରିଛି।
‘ରାଜୀବ ଗାନ୍ଧୀ ଫାଉଣ୍ଡେସନ୍’ ହେଉଛି ଗାନ୍ଧୀ ପରିବାର ସହ ଜଡ଼ିତ ଏକ ଅଣ-ସରକାରୀ ସଙ୍ଗଠନ।
ପ୍ରାପ୍ତ ସୂଚନା ଅନୁସାରେ, ୨୦୨୦ ଜୁଲାଇରେ ଗୃହ ବ୍ୟାପାର ମନ୍ତ୍ରାଳୟ ଗୋଟାଏ ‘ଇଣ୍ଟର୍-ମିନିଷ୍ଟ୍ରିୟାଲ୍’ କମିଟି ଗଠନ କରିଥିଲା। ଉକ୍ତ କମିଟିର ତଦନ୍ତ ରିପୋର୍ଟ ଆଧାରରେ ଫାଉଣ୍ଡେସନ୍ର ଲାଇସେନ୍ସ୍ ରଦ୍ଦ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ସୂଚନାଯୋଗ୍ୟ, ସମ୍ଭାବ୍ୟ ‘ମନି ଲଣ୍ଡରିଙ୍ଗ୍ ଆକ୍ଟ୍’, ‘ଇନ୍କମ୍ ଟ୍ୟାକ୍ସ୍’ ଓ ‘ଏଫ୍ସିଆର୍ଏ’ ଉଲ୍ଲଂଘନ ହୋଇଥିବା ସନ୍ଦେହରେ ଗାନ୍ଧୀ ପରିବାରର ୩ଟି ଫାଉଣ୍ଡେସନ୍ ଉପରେ ତଦନ୍ତ କରିବା ଲାଗି କେନ୍ଦ୍ର ସରକାର ପ୍ରବର୍ତ୍ତନ ନିର୍ଦେଶାଳୟର ଜଣେ ଅଧିକାରୀଙ୍କ ନେତୃତ୍ବରେ ଏକ ‘ଇଣ୍ଟର୍-ମିନିଷ୍ଟରିଆଲ୍ କମିଟି’ ଗଠନ କରିଥିଲେ। ଗାନ୍ଧୀ ପରିବାରର ତିନୋଟି ଫାଉଣ୍ଡେସନ୍ ହେଉଛି: ରାଜୀବ ଗାନ୍ଧୀ ଫାଉଣ୍ଡେସନ୍, ରାଜୀବ ଗାନ୍ଧୀ ଚାରିଟେବଲ୍ ଟ୍ରଷ୍ଟ୍ ଓ ଇନ୍ଦିରା ଗାନ୍ଧୀ ମେମୋରିଆଲ୍ ଟ୍ରଷ୍ଟ୍।
Image Courtesy of India Today‘ଏଫ୍ସିଆର୍ଏ’ ଲାଇସେନ୍ସ୍ ରଦ୍ଦ ହୋଇଥିବା କଥା ଜଣାଇ ‘ରାଜୀବ ଗାନ୍ଧୀ ଫାଉଣ୍ଡେସନ୍’ର କାର୍ଯ୍ୟନିର୍ବାହୀମାନଙ୍କ ନିକଟକୁ ନୋଟିସ୍ ଜାରି କରାଯାଇଛି। କିନ୍ତୁ, ‘ରାଜୀବ ଗାନ୍ଧୀ ଫାଉଣ୍ଡେସନ୍’ ଏ ସଂକ୍ରାନ୍ତରେ କୌଣସି ପ୍ରତିକ୍ରିୟା ବ୍ୟକ୍ତ କରିନାହିଁ।
କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ‘ରାଜୀବ ଗାନ୍ଧୀ ଫାଉଣ୍ଡେସନ୍’ର ଅଧ୍ୟକ୍ଷା ଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍, ସାଂସଦ ରାହୁଲ୍ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟ୍ରଷ୍ଟି ଅଛନ୍ତି।
୧୯୯୧ରେ ଗଠିତ ‘ରାଜୀବ ଗାନ୍ଧୀ ଫାଉଣ୍ଡେସନ୍’ ସେହି ବର୍ଷରୁ ୨୦୦୯ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ମହିଳା ଓ ଶିଶୁ, ଶାରିରୀକ ଅକ୍ଷମ ଆଦି ଅନେକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ କାର୍ଯ୍ୟ କରିଥିଲା। କିନ୍ତୁ, ୨୦୧୦ରୁ ଶିକ୍ଷା କ୍ଷେତ୍ରରେ ଧ୍ୟାନ ଦେବା ପାଇଁ ଫାଉଣ୍ଡେସନ୍ ନିଷ୍ପତ୍ତି ଗ୍ରହଣ କରିଥିବା କଥା ତା’ର ୱେବ୍ସାଇଟ୍ରୁ ଜଣାପଡ଼ିଛି।
Follow Us