ପେଟ୍ରୋଲ, ଡିଜେଲ ଅଢ଼େଇ ଟଙ୍କା କମିଲା

କେନ୍ଦ୍ର ଛାଡ଼ିଲା ଦେଢ଼ ଟଙ୍କା, କମ୍ପାନି ଛାଡ଼ିବେ ୧ ଟଙ୍କା, ୧୩ ରାଜ୍ୟ ସରକାର କମାଇଲେ ଆଉ ଅଢ଼େଇ ଟଙ୍କା, କେନ୍ଦ୍ର ଅନୁରୋଧର ତର୍ଜମା କରିବୁ: ଓଡ଼ିଶା

ପେଟ୍ରୋଲ, ଡିଜେଲ ଅଢ଼େଇ ଟଙ୍କା କମିଲା

ନୂଆଦିଲ୍ଲୀ : ଦୀର୍ଘଦିନର ପ୍ରତୀକ୍ଷା ଓ ଛକାପଞ୍ଝା ପରେ କେନ୍ଦ୍ର ସରକାର ଆଜି ତେଲ ଦର କମାଇଛନ୍ତି। ଦେଶରେ ତେଲ ଦର ଅଣାୟତ୍ତ ହୋଇ ଯାଇଥିବା ବେଳେ ସରକାର ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେବାକୁ ଯାଇ ପେଟ୍ରୋଲ ଓ ଡିଜେଲ ଦର ଅଢ଼େଇ ଟଙ୍କା ହ୍ରାସ ଘୋଷଣା କରିଛନ୍ତି। କେ‌ନ୍ଦ୍ର ସରକାର ଦେଢ଼ ଟଙ୍କା ଟିକସ ଛାଡ଼ିଥିବା ବେଳେ ତେଲ କମ୍ପାନି ଗୁଡ଼ିକୁ ୧ ଟଙ୍କା ଛାଡ଼ିବାକୁ କହିଛନ୍ତି। ‌କେନ୍ଦ୍ର ସରକାର ତେଲ ଦର ହ୍ରାସ ଘୋଷଣା କରିବାର କିଛି ସମୟ ପରେ ଏନଡିଏ ଶାସିତ ୧୩ଟି ରାଜ୍ୟ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ସମାନ ପରିମାଣରେ ହ୍ରାସ ଘୋଷଣା କରିଛନ୍ତି। ଫଳରେ ଯେଉଁ ୧୩ଟି ରାଜ୍ୟ‌ ସରକାର ଅଢ଼େଇ ଟଙ୍କା ଲେଖାଏଁ ସ୍ଥାନୀୟ ଟିକସ କମାଇଛନ୍ତି ସେଠାରେ ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ୫ ଟଙ୍କା ଶସ୍ତା ହୋଇଯାଇଛି। ଗୁରୁବାର ମଧ୍ୟରାତ୍ରିରୁ ନୂଆଦର ଲାଗୁ ହୋଇଛି।

କେନ୍ଦ୍ର ସହ ତାଳ ଦେଇ ସମାନ ପରିମାଣର ଟିକସ ହ୍ରାସ କରିଥିବା ରାଜ୍ୟଗୁଡ଼ିକ ହେଲେ ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼, ଝାଡ଼ଖଣ୍ଡ, ତ୍ରିପୁରା, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ହରିୟାଣା, ଉତ୍ତରାଖଣ୍ଡ, ଗୋଆ, ଅରୁଣାଚଳ ପ୍ରଦେଶ ଏବଂ ଆସାମ। ଫଳରେ ଏସବୁ ରାଜ୍ୟର ଗ୍ରାହକମାନେ ପେଟ୍ରୋଲ ଏବଂ ଡିଜେଲ ଉପରେ ୫ ଟଙ୍କା ଲେଖାଏଁର ରିହାତି ପାଇବେ। ଏ ସଂକ୍ରାନ୍ତରେ ଆଜି ଓଡ଼ିଶାର ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି, ହଠାତ ଆମେ ଭାଟ୍‌ କମାଇବୁ ନାହିଁ। କେନ୍ଦ୍ର ଯେଉଁ ଅନୁରୋଧ କରିଛି ତାହାର ତର୍ଜମା କରି ଦେଖିବୁ।

କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ତେଲ ଦର ହ୍ରାସ ଘୋଷଣା କରିବା ପରେ ରାଜ୍ୟ ଗୁଡ଼ିକ ସମାନ ଧରଣର ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ତେଲ ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ ଦ୍ୱାରା କେନ୍ଦ୍ର ସରକାରଙ୍କୁ ଚଳିତ ଆର୍ଥିକ ବର୍ଷରେ ୧୦ ହଜାର ୫ ଶହ କୋଟି ଟଙ୍କାର ଆର୍ଥିକ ବୋଝ ବହନ କରିବାକୁ ପଡ଼ିବ ବୋଲି ଜେଟଲୀ ହିସାବ ଦେଇଛନ୍ତି।

କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ କମାଇବା ପୂର୍ବରୁ ୪ଟି ରାଜ୍ୟ ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ ଏବଂ କର୍ଣ୍ଣାଟକ ତେଲ ଉପରୁ ଭାଟ୍ କମାଇ ସେମାନଙ୍କ ରାଜ୍ୟର ଗ୍ରାହକଙ୍କୁ ଆଗୁଆ କିଛିଟା ଆଶ୍ୱସ୍ତି ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଅନ୍ତର୍ଜାତୀୟ ବଜାରରେ ‌ଅଶୋଧିତ ତେଲ ଦର ଏବେ ବ୍ୟାରେଲ ପିଛା ୮୬ ଡଲାର ଛୁଇଁଲାଣି। ଏହାବାଦ୍ ଏବେ ବି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରକୁ ନେଇ ଅନିଶ୍ଚିତତା ଲାଗି ରହିଛି।

ଏନଡିଏ ସରକାର ୨୦୧୪ ନଭେମ୍ବରରୁ ୨୦୧୬ ଜାନୁଆରି ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦନ ଶୁଳ୍କ ୯ ଥର ବୃଦ୍ଧି କରିଛନ୍ତି। ଏହି ସମୟ ମଧ୍ୟରେ ପେଟ୍ରୋଲ ଉପରେ ଲିଟର ପିଛା ଉତ୍ପାଦନ ଶୁଳ୍କ ୧୧ ଟଙ୍କା ୭୭ ପଇସା ଏବଂ ଡିଜେଲ ଉପରେ ଉତ୍ପାଦନ ଶୁଳ୍କ ୧୩ ଟଙ୍କା ୪୭ ପଇସା ବୃଦ୍ଧି କରିଛନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମ୍ ଥିବା ବେଳେ କେନ୍ଦ୍ର ସରକାର ତେଲ ଉପରେ ଏହି ଟିକସ ବୃଦ୍ଧି କରିଥିଲେ। କିନ୍ତୁ ଗତବର୍ଷ ଅକ୍ଟୋବରରେ ମାତ୍ର ଥରେ ଉତ୍ପାଦନ ଶୁଳ୍କ ୨ ଟଙ୍କା ହ୍ରାସ କରିଥିବା ବେଳେ ଆଜି ଦ୍ୱିତୀୟ ଥର ପାଇଁ ଦେଢ଼ ଟଙ୍କା ଶୁଳ୍କ ହ୍ରାସ ଘୋଷଣା କରିଛନ୍ତି।

କେନ୍ଦ୍ର ସରକାର ତେଲ ଉପରେ ଉତ୍ପାଦନ ଶୁଳ୍କ ବୃଦ୍ଧି କରି ଗତ ୪ ବର୍ଷ ମଧ୍ୟରେ ଏ ବାବଦ ରାଜସ୍ବ ପ୍ରାୟ ଦୁଇଗୁଣ ବୃଦ୍ଧି କରିପାରିଛନ୍ତି। ୨୦୧୪-୧୫ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ତେଲ ଉପରୁ ଉତ୍ପାଦନ ଶୁଳ୍କ ବାବଦରେ ୯୯,୧୮୪ କୋଟି ଟଙ୍କା ଆଦାୟ କରୁଥିବା ବେଳେ ୨୦୧୭-୧୮ ଆର୍ଥିକ ବର୍ଷରେ ଏହି ରାଶି ୧ ଲକ୍ଷ ୮୪ ହଜାର ୯୧ କୋଟି ଟଙ୍କାରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe