Entrackr
ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାର ଲୋକଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଉଛନ୍ତି। ଏହି ସମୟରେ, କେନ୍ଦ୍ର ସରକାର ନିଜର ସମସ୍ତ କର୍ମଚାରୀଙ୍କ ପାଇଁ ମୋବାଇଲ୍ ଫୋନରେ 'ଆରୋଗ୍ୟ ସେତୁ' ଆପ୍ ଡାଉନଲୋଡ୍ କରିବାକୁ ବାଧ୍ୟତାମୂଳକ କରିଛନ୍ତି। ସରକାର କହିଛନ୍ତି ଯେ, ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସମେତ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ସେତେବେଳେ ଅଫିସ ଆସିବା ଆରମ୍ଭ କରିବେ, ଯେତେବେଳେ ଆପ୍ ସେମାନଙ୍କର ସ୍ଥିତିକୁ 'ନିରାପଦ' କିମ୍ବା 'କମ୍ ବିପଦ' ଦେଖାଇବ ।
ବୁଧବାର ସରକାରଙ୍କ ଦ୍ୱାରା ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି ଯେ, କର୍ମଚାରୀମାନେ ଘରୁ ବାହାରିବା ପୂର୍ବରୁ ଆପରେ ସେମାନଙ୍କର ସ୍ଥିତି ଯାଞ୍ଚ କରିବାକୁ ପଡ଼ିବ। ଯଦି କର୍ମଚାରୀମାନେ ଆପରେ 'ମଧ୍ୟମ କିମ୍ବା ଉଚ୍ଚ ବିପଦ'ର ବାର୍ତ୍ତା ପାଆନ୍ତି ତେବେ ସେମାନଙ୍କୁ ଅଫିସକୁ ଆସିବାର ଆବଶ୍ୟକତା ନାହିଁ | ଏଭଳି ସୂଚନା ପାଇଲେ ୧୪ଦିନ ପର୍ଯ୍ୟନ୍ତ ସଙ୍ଗରୋଧରେ ରୁହନ୍ତୁ | ଯୁଗ୍ମ ସଚିବ ସ୍ତରର ଅଧିକାରୀମାନେ ଏହାକୁ ଅନୁସରଣ କରିବେ। ଏହି ନିର୍ଦ୍ଦେଶ କେନ୍ଦ୍ର ସରକାରଙ୍କ ସହ ଜଡିତ ସ୍ୱୟଂଶାସିତ କର୍ମଚାରୀଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ |
ଖୁବ ଶୀଘ୍ର ଫିଚର ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଆରୋଗ୍ୟ ସେତୁ ଆପ୍ ଲଞ୍ଚ ହେବ | କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ଏହି ସୂଚନା ଆସିଛି। କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ, ଫିଚର ଫୋନ୍ ପାଇଁ ଆରୋଗ୍ୟ ସେତୁ ମୋବାଇଲ୍ ଆପ୍ ପ୍ରସ୍ତୁତ ହେଉଛି, ଏହା ଖୁବ୍ ଶୀଘ୍ର ଲଞ୍ଚ ହେବ। ତେବେ ସରକାର ଏପର୍ଯ୍ୟନ୍ତ ଏହି ଆପର ଶୁଭାରମ୍ଭ ତାରିଖ ସମ୍ପର୍କରେ ସୂଚନା ଦେଇ ନାହାଁନ୍ତି।
Follow Us