ସମଲିଙ୍ଗୀ ବିବାହର ସ୍ୱୀକୃତିକୁ କେନ୍ଦ୍ର ସରକାରଙ୍କ ବିରୋଧ, ସୁପ୍ରିମକୋର୍ଟରେ ଦାଖଲ କଲେ ସତ୍ୟପାଠ

Advertisment
ସମଲିଙ୍ଗୀ ବିବାହର ସ୍ୱୀକୃତିକୁ କେନ୍ଦ୍ର ସରକାରଙ୍କ ବିରୋଧ, ସୁପ୍ରିମକୋର୍ଟରେ ଦାଖଲ କଲେ ସତ୍ୟପାଠ

aajtak

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହର ସ୍ୱୀକୃତିକୁ କେନ୍ଦ୍ର ସରକାରଙ୍କ ବିରୋଧ। ସୁପ୍ରିମକୋର୍ଟରେ ଦାଖଲ କଲେ ସତ୍ୟପାଠ। ଆଜି ସମଲିଙ୍ଗୀ ବିବାହକୁ ଅନୁମତି ଦେବା ପାଇଁ ହୋଇଥିବା ଆବେଦନକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି। ସୁପ୍ରିମକୋର୍ଟରେ ଜବାବ ଦାଖଲ କରି କେନ୍ଦ୍ର ସରକାର ସମସ୍ତ ୧୫ଟି ଆବେଦନକୁ ବିରୋଧ କରିଥିବା ଜଣାପଡ଼ିଛି। ସମଲିଙ୍ଗୀ ବିବାହକୁ ଆଇନଗତ ଅନୁମୋଦନ ଦିଆଯାଇପାରିବ ନାହିଁ ବୋଲି କେନ୍ଦ୍ର କହିବା ସହ ଏହା ଭାରତୀୟ ପରିବାରର ଚିନ୍ତାଧାରା ବିରୋଧୀ ବୋଲି କହିଛନ୍ତି।

ସତ୍ୟପାଠରେ କୁହାଯାଇଛି ଯେ, ଭାରତୀୟ ପରିବାର ଜଣେ ପୁରୁଷ ଓ ଜଣେ ନାରୀର ସମନ୍ବୟରେ ନେଇ ଗଠିତ। ଏକ ଭାରତୀୟ ପରିବାରରେ ସ୍ୱାମୀ-ସ୍ତ୍ରୀଙ୍କଠାରୁ ଜନ୍ମ ହୋଇଥିବା ପିଲାମାନଙ୍କର ଚିନ୍ତାଧାରା ସହିତ ସମଲିଙ୍ଗୀ ସମ୍ପର୍କକୁ ତୁଳନା କରାଯାଇପାରିବ ନାହିଁ। ବିବାହର ମାନେ ମୁଖ୍ୟତଃ ବିପରୀତ ଲିଙ୍ଗର ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଏକ ମିଳନକୁ ବୁଝାଏ। ଏହି ସଂଜ୍ଞା ସାମାଜିକ, ସାଂସ୍କୃତିକ ଏବଂ ଆଇନଗତ ଭାବରେ ବିବାହର ଧାରଣା ଏବଂ ଧାରାରେ ଅନ୍ତର୍ଭୁକ୍ତ ହୋଇଛି। ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେଇ ଏହାକୁ ନଷ୍ଟ କରାଯିବା ଉଚିତ୍ ନୁହେଁ।

ସତ୍ୟପାଠରେ ଆହୁରି କୁହାଯାଇଛି ଯେ, ଆମ ଦେଶର ସାମାଜିକ ଓ ଧାର୍ମିକ ମୂଲ୍ୟବୋଧ ଆଧାରିତ ପରିବାରର ଚିନ୍ତାଧାରା ଓ ଏ ସଂକ୍ରାନ୍ତୀୟ ଆଇନକୁ ଅଦାଲତଙ୍କ ପକ୍ଷରେ ବଦଳାଇବା ସମ୍ଭବ ନୁହେଁ। ତେଣୁ ସମଲିଙ୍ଗୀ ବିବାହକୁ ଅନୁମତି ଦେବା ପାଇଁ ହୋଇଥିବା ଆବେଦକୁ ଖାରଜ କରାଯିବା ଉଚିତ୍।

ତେବେ କେନ୍ଦ୍ର ଦାଖଲ କରିଥିବା ଏହି ସତ୍ୟପାଠ ଉପରେ ଆସନ୍ତାକାଲି ସୁପ୍ରିମକୋର୍ଟ ଶୁଣାଣି କରିବେ। ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ୍ ପି.ଏସ୍ ନରସିଂହ ଏବଂ ଜେ.ବି ପାରଦୀୱାଲାଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe