Image Courtesy of thefastnewz
ନୂଆଦିଲ୍ଲୀ: ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର୍ଥୀମାନଙ୍କୁ ବେଳାଏ ଗରମ ଭୋଜନ ଯୋଗାଇ ଦେବା ଲାଗି ଆଜି କେନ୍ଦ୍ର ସରକାର ‘ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା’ ବା ‘ପିଏମ୍-ପୋଷଣ ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଆଗାମୀ ୫ ବର୍ଷରେ ଉପରୋକ୍ତ ଯୋଜନାରେ ୧,୩୦,୭୯୫ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ମଧ୍ୟ କେନ୍ଦ୍ର ସରକାର ଘୋଷଣା କରିଛନ୍ତି।
ସମ୍ପ୍ରତି ବିଦ୍ୟାଳୟଗୁଡ଼ିକରେ ଚାଲିଥିବା ‘ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ’ ସ୍ଥାନରେ ‘ପିଏମ୍-ପୋଷଣ ଯୋଜନା’ ପ୍ରବର୍ତ୍ତନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘କ୍ୟାବିନେଟ୍ କମିଟି ଅନ୍ ଇକୋନୋମିକ୍ ଆଫେୟାର୍ସ’ (ସିସିଇଏ) ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।
ସମଗ୍ର ଦେଶରେ ଥିବା ୧୧.୨ ଲକ୍ଷ ବିଦ୍ୟାଳୟରେ ୧ମ ରୁ ୮ମ ପର୍ଯ୍ୟନ୍ତ ନାମ ଲେଖାଇଥିବା ୧୧.୮ କୋଟି ଶିକ୍ଷାର୍ଥୀଙ୍କ ପାଇଁ ଏହି ଯୋଜନା ଲାଗୁ ହେବ। ଏ ସଂକ୍ରାନ୍ତ ବିବୃତିରେ ସରକାର କହିଛନ୍ତି, ୨୦୨୧-୨୨ ରୁ ୨୦୧୫-୨୬ ଅର୍ଥାତ୍ ୫ ବର୍ଷ ପର୍ଯ୍ୟନ୍ତ ଚାଲୁ ହେବାକୁ ଥିବା ଏହି ଯୋଜନା ନିମନ୍ତେ କେନ୍ଦ୍ର ସରକାର ୫୪୦୬୧.୭୩ କୋଟି ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର ୩୧୭୩୩.୧୭ କୋଟି ଟଙ୍କା ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଖାଦ୍ୟଶସ୍ୟ ନିମନ୍ତେ କେନ୍ଦ୍ର ସରକାର ଅତିରିକ୍ତ ୪୫,୦୦୦ କୋଟି ଟଙ୍କା ବହନ କରିବେ। ତେଣୁ, ଏହି ଯୋଜନାର ସମୁଦାୟ ବ୍ୟୟ ଅଟକଳ ହେଉଛି ୧୩୦୭୯୪.୯ କୋଟି ଟଙ୍କା।
Image Courtesy of The Indian Expressସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚାଲୁଥିବା ପ୍ରାକ୍-ପ୍ରାଥମିକ ଅଥବା ବାଳବାଟିକାରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଉକ୍ତ ଯୋଜନା ସମ୍ପ୍ରସାରଣ କରାଯିବ।
ଏହି ଯୋଜନାରେ କ’ଣ ଭୋଜନ ଦିଆଯିବ ତାହା କେନ୍ଦ୍ର ସରକାର ସ୍ଥିର କରିବେ ନାହିଁ; ରାଜ୍ୟମାନେ ନିଜ ଇଚ୍ଛାମତେ ସେ ସଂକ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ କରିପାରିବେ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ସେମାନେ କହିଛନ୍ତି, ସ୍ଥାନୀୟ ପୋଷକତତ୍ତ୍ବ ସମ୍ବଳିତ ଭୋଜନ ସାମଗ୍ରୀ ସାମିଲ କରିବାକୁ ରାଜ୍ୟମାନଙ୍କୁ ଅନୁମତି ମିଳିବ। ପୂର୍ବରୁ ଏ ବ୍ୟବସ୍ଥା ନ ଥିଲା। ଆକାଙ୍କ୍ଷୀ ଜିଲ୍ଲା ଏବଂ ବହୁସଂଖ୍ୟକ ରକ୍ତହୀନତା ଦେଖାଯାଉଥିବା ଜିଲ୍ଲାଗୁଡ଼ିକରେ ପିଲାମାନଙ୍କୁ ଅତିରିକ୍ତ ପୋଷକତତ୍ତ୍ବ ଥିବା ଭୋଜନ ଯୋଗାଇ ଦେବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଏହି ଯୋଜନାରେ କୃଷକ ଓ ମହିଳା ସ୍ବୟଂ-ସହାୟକ ଗୋଷ୍ଠୀମାନଙ୍କର ସମ୍ପୃକ୍ତିକୁ ଉତ୍ସାହ ଦିଆଯିବ।
ଏହି ଯୋଜନା ଅଧୀନରେ ସମସ୍ତ ଜିଲ୍ଲା ପାଇଁ ‘ସୋସିଆଲ୍ ଅଡିଟ୍’ ବାଧ୍ୟତାମୂଳକ କରାଯାଇଛି। ପ୍ରତି ୫ ବର୍ଷରେ ଥରେ ଏହି ଯୋଜନା ନବିକରଣ କରାଯିବ ବୋଲି ସେମାନେ କହିଛନ୍ତି।
Follow Us