Image Courtesy of The New Indian Express
ଭୁବନେଶ୍ବର: ପୂର୍ବରୁ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ଅନୁସାରେ, କୋଭିଡ୍-୧୯ଦ୍ବାରା ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ କରନ୍ତୁ ବୋଲି ଦାବି କରିବା ଲାଗି କଂଗ୍ରେସ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି।
ପତ୍ରରେ ଶ୍ରୀ ମିଶ୍ର ଲେଖିଛନ୍ତି, ୨୦୨୦ ମାର୍ଚ ୧୪ରେ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଜାରି କରିଥିବା ବିଜ୍ଞପ୍ତିରେ ଉଲ୍ଲେଖ କରିଥିଲେ ଯେ, ମୃତବ୍ୟଙ୍କ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। କିନ୍ତୁ, କୋଭିଡ୍-୧୯ ମୁକାବିଲା କରିବାକୁ ଅର୍ଥ ନିଅଣ୍ଟ ପଡ଼ିବ ଦର୍ଶାଇ ୨୦୨୧ ସେପ୍ଟେମ୍ବର ୧୧ ତାରିଖ ଦିନ କେନ୍ଦ୍ର ସରକାର ସୁପ୍ରିମ୍ କୋର୍ଟରେ ସତ୍ୟପାଠ ଦାଖଲ କରି ସହାୟତା ରାଶିକୁ ୫୦ ହଜାର ଟଙ୍କାକୁ ହ୍ରାସ କରିଛନ୍ତି। ‘ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ’ ଅଧୀନରେ ଦିଆଯିବାକୁ ଥିବା ଏହି ସହାୟତା ରାଶିରୁ ୭୫% କେନ୍ଦ୍ର ସରକାର ଓ ୨୫% ରାଜ୍ୟ ସରକାର ବହନ କରିବେ।
ସେ ଆହୁରି ମଧ୍ୟ ଲେଖିଛନ୍ତି, ଦେଶର ବହୁଳାଂଶ ଜନତାଙ୍କୁ କୋଭିଡ୍-୧୯ ମହାମାରୀ ପ୍ରଭାବିତ କରିଛି। ଲୋକେ ଅସମୟରେ ମୃତ୍ୟୁବରଣ କରିଛନ୍ତି, ବ୍ୟବସାୟ ବନ୍ଦ ହୋଇ ଯାଇଛି ଓ ଲୋକେ ପ୍ରବାସୀ ହେବାକୁ ବାଧ୍ୟ ହୋଇଛନ୍ତି। ଚଳିବା ପାଇଁ ଲୋକେ ସେମାନଙ୍କର ସଞ୍ଚିତ ଅର୍ଥ ଶେଷ କରିବା ସହ ବହୁ ପରିମାଣର ଅର୍ଥ ଋଣ କରିଛନ୍ତି। ଲୋକେ ଅବସ୍ଥାରେ ଥିବାବେଳେ କେନ୍ଦ୍ର ସରକାରଙ୍କ ଘୋଷିତ ‘ବିପର୍ଯ୍ୟୟ ପରିଚାଳନା ପାଣ୍ଠି’ରୁ ଦିଆଯିବାକୁ ଥିବା ୫୦ ହଜାର ଟଙ୍କା ସହାୟତା ରାଶି ଅତି ନଗଣ୍ୟ ମନେହୁଏ।
ସରକାର ପେଟ୍ରୋଲ୍ ଦର ବୃଦ୍ଧି କରି ଟିକସ ସଂଗ୍ରହ କରୁଥିବା ବେଳେ କର୍ପୋରେଟ୍ଗୁଡ଼ିକ ପ୍ରତି ଟିକସ କୋହଳ କରୁଛନ୍ତି। କିନ୍ତୁ, ଦେଶର ନାଗରିକମାନଙ୍କ ପ୍ରତି ସଦୟ ହେଉ ନାହାନ୍ତି। କେବଳ ସେତିକି ନୁହେଁ, ଭୂତାଣୁ ସଂକ୍ରମଣ ରୋକିବା ଲାଗି କେନ୍ଦ୍ର ସରକାର ମାସ୍କ ପରିଧାନ ଏବଂ ସାମାଜିକ ଦୂରତ୍ବ ବଜାୟ ରଖିବା ପରି ଅନେକ ନିୟମ ଜାରି କଲେ। ସେସବୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିବିଶେଷଙ୍କ ଠାରୁ ଜରିମାନା ଆକାରରେ ବିପୁଳ ଅର୍ଥ ଆଦାୟ କରାଯିବା ସତ୍ତ୍ବେ ମୃତ ବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ସରକାର ଅସମର୍ଥ ହେଉଛନ୍ତି।
ପ୍ରଭାବିତ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଦିଆଗଲେ ସେଥିରୁ କେନ୍ଦ୍ର ସରକାରଙ୍କୁ ୩ ଲକ୍ଷ ଟଙ୍କା ଏବଂ ରାଜ୍ୟ ସରକାରଙ୍କୁ ୧ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ତେଣୁ, ଏଭଳି କଠିନ ସମୟରେ ସହାୟତା ରାଶି ପରିମାଣକୁ ସଂଶୋଧନ କରିବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଠାରେ ଦାବି ଜଣାନ୍ତୁ ବୋଲି ସେ କହିଛନ୍ତି।
ଏହାଛଡ଼ା, କୋଭିଡ୍-୧୯ ମୃତ୍ୟୁ ରେଜିଷ୍ଟର୍କୁ ତୁରନ୍ତ ସଂଶୋଧନ କରିବା ଲାଗି ମଧ୍ୟ ସେ ଉକ୍ତ ପତ୍ରରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। କୋଭିଡ୍-୧୯ ପ୍ରଥମ ଓ ଦ୍ବିତୀୟ ଲହରରେ ଅନେକ ଲୋକ ମୃତ୍ୟୁବରଣ କରିଥିଲେ ମଧ୍ୟ ତାହା ପଞ୍ଜିକୃତ ହୋଇ ନାହିଁ। ସେସବୁର ସଠିକ୍ ଅନୁସନ୍ଧାନ କରି ତାଲିକାଭୁକ୍ତ କରାଯାଇ ପାରିଲେ ଲୋକେ ଅନୁକମ୍ପା ରାଶି ପାଇ ଉପକୃତ ହୁଅନ୍ତେ।
Follow Us