ଫାଶୀ ନିଶ୍ଚିତ ! ଅଧିକ କିଛି କରାଯାଇପାରିବ ନାହିଁ ବୋଲି କହିଲେ ଭାରତ ସରକାର

New Project (12)

ନୂଆଦିଲ୍ଲୀ: ଅଧିକ କିଛି କରାଯାଇପାରିବ ନାହିଁ। ୟେମେନରେ ଫାଶୀ ପାଇବାକୁ ଯାଉଥିବା ନର୍ସଙ୍କୁ ବଞ୍ଚାଇବା ପାଇଁ କରାଯାଇଥିବା ଆବେଦନ ଉପରେ ଏଭଳି ଉତ୍ତର ଦେଇଛନ୍ତି ଭାରତ ସରକାର। ୟେମେନ‌କୁ ଚାକିରି କରିବାକୁ ଯାଇଥିବା ନର୍ସ ନିମିଶା ପ୍ରିୟା ଜଣେ ୟେମେନ ନାଗରିକଙ୍କ ହତ୍ୟା ପାଇଁ ୨୦୧୭ମସିହାରୁ ଜେଲ ଦଣ୍ଡ ଭୋଗୁଛନ୍ତି। ଏହି ଅପରାଧର ଦଣ୍ଡ ସ୍ବରୂପ ତାଙ୍କୁ ଫାଶୀ ଦେବାକୁ ‌ୟେମେନ ନିଷ୍ପତ୍ତି ନେଇଥିବା ବେଳେ ତାଙ୍କୁ ବଞ୍ଚାଇବା ପାଇଁ ତୁରନ୍ତ ଏହି ଘଟଣା ଉପରେ ଧ୍ୟାନ ଦେବାକୁ ଭାରତର ସୁପ୍ରିମକୋର୍ଟରେ ଏକ ଅବେଦନ କରାଯାଇଥିଲା।

ଆବେଦନରେ କୁହାଯାଇଥିଲା ଯେ, ନିମିଶା ପ୍ରିୟାକୁ ଜୁଲାଇ ୧୬ରେ ଫାଶୀ ଦିଆଯିବ। ଯଦି କେନ୍ଦ୍ର ସରକାର କୂଟନୈତିକ ସ୍ତରରେ ହସ୍ତକ୍ଷେପ କରନ୍ତି, ତେବେ ଏହି ମାମଲାରେ ଏକ ସମାଧାନ ମିଳିପାରିବ। ଏହି ଆବେଦନ ପାଇବା ପରେ କୋର୍ଟ ସରକାରଙ୍କୁ ଜବାବ ‌ମାଗିଥିବା ବେଳେ ଅଧିକ କିଛି କରାଯାଇପାରିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସରକାର।

ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଆଟର୍ଣ୍ଣି-ଜେନେରାଲ ଆର ଭେଙ୍କଟରମଣି କୋର୍ଟଙ୍କୁ କହିଛନ୍ତି ଯେ, "ସମସ୍ତ ସମ୍ଭାବ୍ୟ ପ୍ରୟାସ କରାଯାଉଛି, କିନ୍ତୁ ଅଧିକ କିଛି କରାଯାଇପାରିବ ନାହିଁ। ଫାଶୀ ରୋକିବାକୁ ଏକମାତ୍ର ବାଟ ରହିଛି। ଯଦି ମୃତକଙ୍କ ପରିବାର ବ୍ଲଡ୍ ମନି(ମୃତକଙ୍କ ପରିବାରୁ କ୍ଷତିପୂରଣ ଆକାରରେ ଅଭିଯୁକ୍ତର ପରିବାର ଦେଉଥିବା ଟଙ୍କା) ନେବାକୁ ରାଜି ହୁଅନ୍ତି ତେବେ ଯାଇ ଫାଶୀକୁ ଅଟକାଯାଇପାରିବ।"

ଏହା ପୂର୍ବରୁ ନିମିଶାଙ୍କ ପରିବାର ବ୍ଲଡ୍ ମନି ଦେବାକୁ ଚେଷ୍ଟା କରିଥିଲେ ବି ମୃତକଙ୍କ ପରିବାର ଏହାକୁ ନେବାକୁ ମନା କରିଦେଇଥିଲେ।

ଉଲ୍ଲେଖଯୋଗ୍ୟ, ୟେମେନରେ ରହୁଥିବା ଜଣେ ଭାରତୀୟ ନର୍ସ ଟଙ୍କା ରୋଜଗାର ପାଇଁ ସେଠାକୁ ଯାଇଥିଲେ। ଟଙ୍କା ରୋଜଗାର କରି ସେ ନିଜ ପରିବାରର ଦାୟିତ୍ବ ନେବେ ଓ ନିଜର ଏକ କ୍ଲିନିକ ଖୋଲିବେ ବୋଲି ଭାବିଥିଲେ। ହେଲେ କିଛି ବର୍ଷ ମଧ୍ୟରେ ତାଙ୍କର ସବୁ ସ୍ବପ୍ନ ଭାଙ୍ଗି ଚୁରମାର ହୋଇଯାଇଥିଲେ। ନର୍ସ ପରିବର୍ତ୍ତେ ସେ ବନିଯାଇଥିଲେ କଏଦୀ।

୨୦୧୭ରେ ୟେମେନ ନାଗରିକ ତଲଲ ଅବଦୋ ମହଦିଙ୍କ ହତ୍ୟା ମାମଲାରେ ନର୍ସ ନିମିଶା ପ୍ରିୟା ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏକ ବର୍ଷ ପରେ ତାଙ୍କୁ ୟେମେନର ଏକ ଟ୍ରାଏଲ କୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥିଲା। ସେହି ଦିନଠାରୁ ନର୍ସଙ୍କ ପରିବାର ଝିଅକୁ ମୁକ୍ତ କରିବା ପାଇଁ ସଂଗ୍ରାମ କରିଆସୁଛନ୍ତି। ଟ୍ରାଏଲ କୋର୍ଟର ଆଦେଶ ବିରୋଧରେ ନର୍ସଙ୍କ ପରିବାର ୟେମେନର ସୁପ୍ରିମକୋର୍ଟଙ୍କ ନିକଟକୁ ମଧ୍ୟ ଯାଇଥିଲେ। କିନ୍ତୁ ୨୦୨୩ ମସିହାରେ ତାଙ୍କ ଆବେଦନ ଖାରଜ କରାଯାଇଥିଲା। ଏହା ପରେ ୟେମେନର ରାଷ୍ଟ୍ରପତି ୨୦୨୪ରେ ମଧ୍ୟ ନର୍ସଙ୍କ ପରିବାର ଆବେଦନକୁ ଖାରଜ କରି ମୃତ୍ୟୁଦଣ୍ଡକୁ ଅନୁମୋଦନ ଦେଇଥିଲେ। ନର୍ସଙ୍କ ମୁକ୍ତି ତଲଲ ଅବଦୋ ମହଦିଙ୍କ ପରିବାର ଏବଂ ତାଙ୍କ ଆଦିବାସୀ ନେତାଙ୍କ କ୍ଷମା ଉପରେ ନିର୍ଭରଶୀଳ ଥିଲା। ସେମାନେ କ୍ଷମା ନଦେବାରୁ ନର୍ସଙ୍କ ମୃତ୍ୟୁଦଣ୍ଡକୁ ଗ୍ରହଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe