Image Courtesy of Zee News
ନୂଆଦିଲ୍ଲୀ: ଝିଅମାନଙ୍କ ଲାଗି ଆଇନସମ୍ମତ ସର୍ବନିମ୍ନ ବିବାହ ବୟସ ସଂଶୋଧନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ବୟସ ଧାର୍ଯ୍ୟ ନିମନ୍ତେ ଗଠିତ କମିଟି ଠାରୁ ରିପୋର୍ଟ ମିଳିବା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ ଛଅ ବର୍ଷରେ ସରକାରଙ୍କର କେତେଗୁଡ଼ିଏ ଉଦ୍ୟମ କାରଣରୁ ଦେଶରେ ପ୍ରଥମ କରି ଶିକ୍ଷା କ୍ଷେତ୍ରରେ ପୁଅଙ୍କ ଠାରୁ ଝିଅଙ୍କର ଆଡ୍ମିସନ୍ ଅନୁପାତ ଅଧିକ ହୋଇଛି।
ଆଜି ‘ଖାଦ୍ୟ ଓ କୃଷି ସଙ୍ଗଠନ’ର ୭୫ତମ ବାର୍ଷିକୀ ଅବସରରେ ଏକ ୭୫ ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରି ଭିଡିଓ କନ୍ଫରେନ୍ସିଙ୍ଗ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।
Image Courtesy of India Timesକମିଟିର ରିପୋର୍ଟ ବିଷୟରେ ଏବଂ ସରକାର କେବେ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ପଚାରି ସମଗ୍ର ଦେଶରୁ ଅନେକ ମହିଳାଙ୍କ ଠାରୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଚିଠି ଆସୁଥିବାରୁ ସେ କହିଲେ, ଝିଅମାନଙ୍କ ସକାଶେ ବିବାହ ନିମନ୍ତେ ଉପଯୁକ୍ତ ବୟସ ସ୍ଥିର କରିବା ଲାଗି ଗୁରୁତ୍ବପୂର୍ଣ୍ଣ ବିଚାରବିମର୍ଶ ଚାଲିଛି। ରିପୋର୍ଟ ଦାଖଲ ହେବା କ୍ଷଣି ସରକାର ନିଷ୍ପତ୍ତି ଗ୍ରହଣ କରିବେ ବୋଲି ମୁଁ ସେମାନଙ୍କୁ ପ୍ରତିଶ୍ରୁତି ଦେଉଛି।
ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ସମ୍ପ୍ରତି ଝିଅମାନଙ୍କର ସର୍ବନିମ୍ନ ଆଇନସମ୍ମତ ବିବାହ ବୟସ ୧୮ ଓ ପୁଅମାନଙ୍କର ୨୧ ବର୍ଷ ରହିଛି। ସ୍ବାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ସଂକ୍ରାନ୍ତରେ ସରକାର ବିଚାରବିମର୍ଶ କରୁଛନ୍ତି ଏବଂ ଏଥିନିମନ୍ତେ ଏକ କମିଟି ଗଠନ କରାଯାଇଛି।
Follow Us