Image Courtesy of The Times of India
ନୂଆଦିଲ୍ଲୀ: ଆଧାର ଓ ଭୋଟର ପରିଚୟପତ୍ରକୁ ଲିଙ୍କ୍ କରିବା ପାଇଁ ଉଦ୍ଦିଷ୍ଟ ଆଇନକୁ ବିରୋଧ କରି କଂଗ୍ରେସ ପକ୍ଷରୁ ରଣଦୀପ ସିଂହ ସୂର୍ଯେୱାଲା ସୁପ୍ରିମ୍କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ସୂର୍ଯେୱାଲା କହିଛନ୍ତି ଯେ ଏହି ଆଇନ ହେଉଛି ଅସାମ୍ବିଧାନିକ ଏବଂ ଏହା ନାଗରିକଙ୍କ ବ୍ୟକ୍ତିଗତ ଗୋପନୀୟତା ଓ ସମାନତାର ଅଧିକାରକୁ କ୍ଷୁଣ୍ଣ କରୁଛି। କୋର୍ଟ ଏହି ମାମଲାର ଶୁଣାଣି ସୋମବାର କରିବାକୁ ଧାର୍ଯ୍ୟ କରିଛନ୍ତି। ନିର୍ବାଚନ କମିସନ ନିର୍ବାଚନୀ ସଂସ୍କାର ପ୍ରକ୍ରିୟାର ଅଂଶ ସ୍ବରୂପ ଭୋଟର କାର୍ଡ ସହ ଆଧାର ଲିଙ୍କ କରିବାକୁ ଆରମ୍ଭ କରିଛନ୍ତି। ଏହାଦ୍ବାରା ଜଣେ ଲୋକ ନାଁରେ ଏକାଧିକ ଭୋଟର କାର୍ଡ ଥିଲେ ବା ଏକାଧିକ ସ୍ଥାନରେ ଭୋଟର ତାଲିକାରେ ତାଙ୍କ ନାଁ ପଞ୍ଜୀକୃତ ହୋଇଥିଲେ ତାହା ଧରାପଡ଼ିଯିବ ଏବଂ ତା’ର ସଂଶୋଧନ ହୋଇପାରିବ।
ନିର୍ବାଚନ ଆଇନ (ସଂଶୋଧନ) ବିଲ୍ ଅନୁଯାୟୀ ଭୋଟର ଭାବେ ନାମ ପଞ୍ଜୀକରଣ କରିବାକୁ ଚାହୁଥିବା ଲୋକଙ୍କୁ ଅଧିକାରୀମାନେ ତାଙ୍କ ପରିଚୟକୁ ସୁନିଶ୍ଚିତ କରିବା ଲାଗି ଆଧାର ନମ୍ବର ମାଗିପାରିବେ। ଏହାଦ୍ବାରା କେହି ଏକାଧିକ ରାଜ୍ୟରେ ନିଜର ନାମ ପଞ୍ଜୀକରଣ କରିପାରିବେ ନାହିଁ। କିନ୍ତୁ ବିରୋଧୀ ଦଳଙ୍କ ଯୁକ୍ତି ହେଉଛି ଆଧାର-ଭୋଟର ଆଇଡି ଲିଙ୍କ୍ ହେବା ଦ୍ବାରା ଅଣ-ନାଗରିକମାନେ ଦେଶରେ ଭୋଟ ଦେବାର ସୁଯୋଗ ପାଇପାରନ୍ତି। କଂଗ୍ରେସ ଏହି ବିଲ୍କୁ ବିରୋଧ କରିବା ସହ କହିଛି ଯେ ଗତ ଶୀତ ଅଧିବେଶନରେ ବିନା ବାସ୍ତବ ବିତର୍କରେ ଏହି ଆଇନ ପାସ୍ ହୋଇଛି। ୨୪ ଘଣ୍ଟା ଭିତରେ ଉଭୟ ସଦନରେ ଏହି ଆଇନ ପାସ୍ ହୋଇଥିଲା। କଂଗ୍ରେସ ଛଡ଼ା ଡିଏମ୍କେ, ଏନ୍ସିପି, ତୃଣମୂଳ କଂଗ୍ରେସ, ଶିବସେନା ଓ ବିଏସ୍ପି ମଧ୍ୟ ଏହି ଆଇନକୁ ବିରୋଧ କରିଛନ୍ତି।
Follow Us