୩୧ ମାସ ପରେ ବିଧାନସଭାକୁ ଫେରିଲେ ଚନ୍ଦ୍ରବାବୁ ନାଇଡ଼ୁ

Advertisment
୩୧ ମାସ ପରେ ବିଧାନସଭାକୁ ଫେରିଲେ ଚନ୍ଦ୍ରବାବୁ ନାଇଡ଼ୁ

ଅମରାବତୀ: ଟିଡିପି (ତେଲୁଗୁ ଦେଶମ ପାର୍ଟି) ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ ଆଜି ଆନ୍ଧ୍ରପ୍ରଦେଶ ବିଧାନସଭାକୁ ଫେରିଛନ୍ତି। ନିଜ ପରିବାରକୁ ଅପମାନ ପାଇଁ ବିଧାନସଭା ଛାଡ଼ିବାର ୩୧ ମାସ ପରେ ନାଇଡୁ ଆଜି ବିଧାନସଭା ଫେରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୧ ନଭେମ୍ବରରେ ନାଇଡ଼ୁ ପ୍ରତିଜ୍ଞା କରିଥିଲେ ଯେ ସେ ମୁଖ୍ୟମନ୍ତ୍ରୀ ହେବାପରେ ହିଁ ବିଧାନସଭାକୁ ଫେରିବେ। ୨୦୨୪ରେ ଉଭୟ ଆନ୍ଧ୍ର ବିଧାନସଭା ଏବଂ ‌ଲୋକସଭା ନିର୍ବାଚନରେ ଟିଡିପିକୁ ବିପୁଳ ବିଜୟ ମିଳିଛି। ଟିଡିପି ୧୭୫ ଆସନ ବିଶିଷ୍ଟ ଆନ୍ଧ୍ର ବିଧାନସଭାରେ ୧୩୫ ଆସନ‌‌ରେ ଜିତିଛି। ଅନ୍ୟପକ୍ଷେ ଏହାର ସହଯୋଗୀ ଦଳ ଜନସେନା ଏବଂ ବିଜେପି ଯଥାକ୍ରମେ ୨୧ ଏବଂ ୮ ଆସନରେ ଜିତିଛନ୍ତି। ନାଇଡ଼ୁ ଆଜି ମୁଖ୍ୟମନ୍ତ୍ରୀ ଭାବେ ବିଧାନସଭାକୁ ପ୍ରବେଶ କରିବା ସମୟରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଏହା ନାଇଡ଼ୁଙ୍କ ଚତୁର୍ଥ କାର୍ଯ୍ୟକାଳ।

ନାଇଡ଼ୁ ୨୦୨୧ ନଭେମ୍ବର ୧୯ରେ ବିଧାନସଭା ଛାଡ଼ି ଦେଇଥିଲେ। ସେ ସମୟରେ କ୍ଷମତାରେ ଥିବା ୱାଇଏସ୍‌ଆରସିପି (ୱାଇଏସଆର କଂଗ୍ରେସ ପାର୍ଟି) ନାଇଡ଼ୁଙ୍କ ପତ୍ନୀଙ୍କୁ ନେଇ ଅପମାନଜନକ ଟିପ୍ପଣୀ ଦେବାରୁ ସେ ଗୃହ ବର୍ଜନ କରିଥିଲେ। ସେତେବେଳେ ନାଇଡ଼ୁ କହିଥିଲେ, ‘ଆଜିଠାରୁ ମୁଁ ଆଉ ବିଧାନସଭା ଆସିବିନାହିଁ। ମୁଖ୍ୟମନ୍ତ୍ରୀ ହେବାପରେ ହିଁ ମୁଁ ବିଧାନସଭା ଆସିବି। ମହାଭାରତରେ ଦ୍ରୌପଦୀ ଅପମାନିତ ହେବାକୁ ଉଲ୍ଲେଖ କରି ନାଇଡ଼ୁ କହିଥିଲେ ବିଧାନସଭା ଏବେ ‘କୌରବ ସଭା’ରେ ପରିଣତ ହୋଇଛି। ତେବେ ନାଇଡ଼ୁ ଯେଉଁ ପ୍ରତିଜ୍ଞା କରିଥିଲେ ତାହା ସେ ପୂରଣ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ଭାବେ ହିଁ ବିଧାନସଭାକୁ ଫେରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe