ସାହିତ୍ୟ ଅକାଦେମି ସାଧାରଣ ପରିଷଦ ପୁନର୍ଗଠିତ

Advertisment

ଚନ୍ଦ୍ରଶେଖର କମ୍ବର ସଭାପତି, ମାଧବ କୌଶିକ ଉପସଭାପତି

ଚନ୍ଦ୍ରଶେଖର କମ୍ବର ସଭାପତି, ମାଧବ କୌଶିକ ଉପସଭାପତି

ସାହିତ୍ୟ ଅକାଦେମି ସାଧାରଣ ପରିଷଦ ପୁନର୍ଗଠିତ

ନୂଆଦିଲ୍ଲୀ : ଭାରତର ସର୍ବୋଚ୍ଚ ସାହିତ୍ୟ ଅନୁଷ୍ଠାନ କେନ୍ଦ୍ର ସାହିତ୍ୟ ଅକାଦେମିର ସାଧାରଣ ପରିଷଦ ଆଜି ପୁନର୍ଗଠିତ ହୋଇଛି। ଏଥିପାଇଁ ହୋଇଥିବା ନିର୍ବାଚନରେ ଜ୍ଞାନପୀଠ ପୁରସ୍କାର ବିଜେତା ବିଶିଷ୍ଟ କନ୍ନଡ଼ ଲେଖକ ଚନ୍ଦ୍ରଶେଖର କମ୍ବର ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ ବିଖ୍ୟାତ ହିନ୍ଦୀ କବି ମାଧବ କୌଶିକ ଉପସଭାପତି ହୋଇଛନ୍ତି। ଏହି ନିର୍ବାଚନର ଉଲ୍ଲେଖନୀୟ କଥାଟି ହେଉଛି, ବହୁବର୍ଷର ବ୍ୟବଧାନରେ ଏଥର ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ଚଳିତ ବର୍ଷ ଅକାଦେମିର ସଭାପତି ପଦ ପାଇଁ ତିନିଜଣ ଜ୍ଞାନପୀଠ ବିଜେତା ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଶ୍ରୀ କମ୍ବରଙ୍କ ବ୍ୟତୀତ ଅନ୍ୟ ଦୁଇଜଣ ହେଉଛନ୍ତି ବିଶିଷ୍ଟ ଓଡ଼ିଆ ଲେଖିକା ପ୍ରତିଭା ରାୟ ଏବଂ ବିଖ୍ୟାତ ମରାଠୀ ଲେଖକ ଭାଲଚନ୍ଦ୍ର ନେମାଡ଼େ। ନିର୍ବାଚନରେ ଶ୍ରୀ କମ୍ବର ମୋଟ୍‌ ୮୯ଟି ଭୋଟ୍‌ରୁ ୫୬ଟି ଭୋଟ୍‌ ପାଇ ବିଜୟୀ ହୋଇଥିବାବେଳେ ଶ୍ରୀମତୀ ରାୟ ୨୯ଟି ଏବଂ ସାଙ୍କେତିକ ଭାବେ ଲଢ଼ିଥିବା ଶ୍ରୀ ନେମାଡ଼େ ୪ଟି ଭୋଟ୍‌ ପାଇଥିଲେ। ଶ୍ରୀ କମ୍ବର ପୂର୍ବରୁ ଅକାଦେମିର ଉପସଭାପତି ଦାୟିତ୍ୱରେ ଥିଲେ। ଅକାଦେମିର ସଭାପତି ହେବାରେ ଶ୍ରୀ କମ୍ବର ହେଉଛନ୍ତି ବିନାୟକ କ୍ରିଷ୍ଣା ଗୋକକ୍‌ ଓ ୟୁ.ଆର୍‌. ଅନନ୍ତମୂର୍ତ୍ତିଙ୍କ ପରେ ତୃତୀୟ କନ୍ନଡ଼ ଲେଖକ।

ଏହା ସହିତ ଆଜି ଅକାଦେମିର ବିଭିନ୍ନ ଭାରତୀୟ ଭାଷାର ଉପଦେଷ୍ଟା ମଣ୍ଡଳୀ ପାଇଁ ଆବାହକ ନିର୍ବାଚନ ଅନୁଷ୍ଠିତ ହୋଇଛି। ଅକାଦେମିର ସାଧାରଣ ପରିଷଦକୁ ନିର୍ବାଚିତ ଦୁଇଜଣ ବିଶିଷ୍ଟ ସାହିତ୍ୟିକ ଡକ୍ଟର ବିଜୟାନନ୍ଦ ସିଂହ ଏବଂ ବିଶିଷ୍ଟ କବି ଅମରେଶ ପଟ୍ଟନାୟକଙ୍କ ମଧ୍ୟରୁ ଓଡ଼ିଆ ଭାଷା ମଣ୍ଡଳୀର ଆବାହକ ଏବଂ କାର୍ଯ୍ୟକାରିଣୀ ସମିତିକୁ ଡକ୍ଟର ସିଂହ ନିର୍ବାଚିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe