ଚନ୍ଦ୍ର ଅଭିମୁଖେ ଭାରତ : ଇତିହାସ ରଚିଲା ଭାରତ, ଚନ୍ଦ୍ରଯାନ-୨ର ସଫଳ ଉତ୍‌କ୍ଷେପଣ

Advertisment

୧୬ ମିନିଟ୍‌ ପରେ କକ୍ଷପଥରେ ଅବସ୍ଥାପିତ, ସେପ୍‌ଟେମ୍ବର ୭ରେ ଚନ୍ଦ୍ରରେ ଅବତରଣ

୧୬ ମିନିଟ୍‌ ପରେ କକ୍ଷପଥରେ ଅବସ୍ଥାପିତ, ସେପ୍‌ଟେମ୍ବର ୭ରେ ଚନ୍ଦ୍ରରେ ଅବତରଣ

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଆଜି ଚନ୍ଦ୍ରଯାନ-୨ର ସଫଳ ଉତ୍‌କ୍ଷେପଣ କରି ଇତିହାସ ସୃଷ୍ଟି କରିଛି। ଏହି ଉତ୍‌କ୍ଷେପଣ ସହିତ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ପାଇଁ ଭାରତର ସବୁଠାରୁ ବଡ଼ ମିସନ୍‌ର ଶୁଭାରମ୍ଭ ହୋଇଛି। ଚନ୍ଦ୍ରଯାନ-୨କୁ ଆଜି ଶ୍ରୀହରିକୋଟା ପ୍ରକ୍ଷେପଣ କେନ୍ଦ୍ରରୁ ଅପରାହ୍ନ ୨ଟା ୪୩ ମିନିଟରେ ଛଡ଼ା ଯାଇଥିଲା। ୩ ଲକ୍ଷ ୮୪ ହଜାର କିଲୋମିଟର ଯାତ୍ରାରେ ବାହାରି ଯାଇଥିବା ଚନ୍ଦ୍ରଯାନ ୨ ଉତ୍‌କ୍ଷେପଣର ଠିକ୍‌ ୧୬ ମିନିଟ୍‌ ପରେ କକ୍ଷପଥରେ ଅବସ୍ଥାପିତ ହୋଇଥିଲା। ପ୍ରାୟ ୪୮ ଦିନ ପରେ ୬ରୁ ୮ ସେପ୍ଟେମ୍ବର ମଧ୍ୟରେ ଚନ୍ଦ୍ରଯାନ-୨ ଚନ୍ଦ୍ରରେ ଅବତରଣ କରିବ।

ଇସ୍ରୋ ମୁଖ୍ୟ କେ. ଶିବନ ଚନ୍ଦ୍ରଯାନର ସଫଳ ଉତ୍‌କ୍ଷେପଣ ସଂପର୍କରେ ଘୋଷଣା କରି କହିଥିଲେ ଯେ ଆଜିର ସଫଳତା ଭାରତର ଚନ୍ଦ୍ର ଅବତରଣ ଦିଗରେ ଏକ ବହୁତ ବଡ଼ ପଦକ୍ଷେପ। ଯାନ୍ତ୍ରିକ ତ୍ରୁଟିକୁ ନିର୍ଦ୍ଧାରିତ ସମୟରେ ସୁଧାରି ଚନ୍ଦ୍ରଯାନ-୨କୁ ସଫଳତାର ସହ ଉତ୍‌କ୍ଷେପଣ କରିବା ପୂରା ଟିମ୍‌ ପାଇଁ ବହୁତ ବଡ଼ ଚ୍ୟାଲେଂଜ ଥିଲା।

publive-image

ଇସ୍ରୋର ଗୌରବମୟ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଇସ୍ରୋକୁ ଅଭିନନ୍ଦନ ଜଣାଇ କହିଛନ୍ତି, ମହାକାଶ ଗବେଷଣା ଏବଂ ଆବିଷ୍କାର ଦିଗରେ ଆଜିର ସଫଳତା ନୂଆ ଦିଗନ୍ତ ସୃଷ୍ଟି କରିବ। ଆମେରିକା ମଧ୍ୟ ଭାରତକୁ ଅଭିନନ୍ଦନ ଜଣାଇଛି।

ଚନ୍ଦ୍ରଯାନ-୨କୁ ଭାରତର ସବୁଠାରୁ ଶକ୍ତିଶାଳୀ ରକେଟ୍‌ ଜିଏସ୍‌ଏଲ୍‌ଭି ଏମ୍‌କେ-୩ ଦ୍ବାରା ଉତ୍‌କ୍ଷେପଣ କରାଯାଇଛି। ଏହା ସଫଳତାର ସହ ପୃଥିବୀର କକ୍ଷ ପଥରେ ଅବସ୍ଥାପିତ ହୋଇଥିବା ବେଳେ ୧୬ ଦିନ ପର୍ଯ୍ୟନ୍ତ ପୃଥିବୀ ପରିକ୍ରମା କରି ଚନ୍ଦ୍ର ଆଡ଼କୁ ବଢ଼ିବ। ଏହି ସମୟ ମଧ୍ୟରେ ଚନ୍ଦ୍ରଯାନର ସର୍ବାଧିକ ବେଗ ପ୍ରତି ସେକେଣ୍ଡ ପିଛା ୧୦ କିମି ରହିବ ଏବଂ ସର୍ବନିମ୍ନ ଗତି ସେକେଣ୍ଡ ପ୍ରତି ୩ କିମି ରହିବ। ପୃଥିବୀର କକ୍ଷ ପଥରେ ୧୬ ଦିନ ପରିକ୍ରମା କରିବା ପରେ ଚନ୍ଦ୍ରଯାନ-୨ରୁ ରକେଟ୍‌ ଅଲଗା ହୋଇଯିବ ଏବଂ ଏହାର ୫ ଦିନ ପରେ ଚନ୍ଦ୍ରଯାନ-୨ ଚନ୍ଦ୍ରର କକ୍ଷରେ ପହଞ୍ଚିବ। ଏହି ସମୟରେ ଏହାର ଗତି ସେକେଣ୍ଡ ପିଛା ୧୦ କିମି ରହିବ। ଚନ୍ଦ୍ର କକ୍ଷରେ ୨୭ ଦିନ ପରିକ୍ରମା କରିବ‌ା ପରେ ଅବତରଣ ପ୍ରକ୍ରିୟା ଆରମ୍ଭ ହେବ।

ସୂଚନାଯୋଗ୍ୟ ଯେ ଜିଏସ୍‌ଏଲ୍‌ଭି ଏମ୍‌କେ-୩ ରକେଟ୍‌ରେ କେତେକ ବୈଷୟିକ ତ୍ରୁଟି ଯୋଗୁଁ ୧୫ ଜୁଲାଇରେ ଚନ୍ଦ୍ରଯାନ-୨ର ପ୍ରକ୍ଷେପଣକୁ ଅଟକାଇ ଦିଆଯାଇଥିଲା । ରକେଟ୍‌ରେ ଥିବା ତ୍ରୁଟି ସୁଧାରିବା ପରେ ଆଜି ଏହାର ସଫଳ ଉତ୍‌କ୍ଷେପଣ ମହାକାଶ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ଦେଇଛି। ଜିଏସ୍‌ଏଲ୍‌ଭି ଏମ୍‌କେ-୩ ‘ବାହୁବଳୀ’ ରକେଟ୍‌ ୩.୮ ଟନ୍‌ର ଚନ୍ଦ୍ରଯାନକୁ ବହନ କରିଥିବା ବେଳେ ଚନ୍ଦ୍ରଯାନ-୨ରେ ଖଂଜା ଯାଇଥିବା ‘ପେଲୋଡ’ ଗୁଡ଼ିକ ଚନ୍ଦ୍ରର ଗଠନ ଏବଂ ପୃଥିବୀ ସହ ଏହାର ତାଳମେଳକୁ ନେଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିବେ। ଗୋଟିଏ ଅର୍ବିଟର , ଗୋଟିଏ ଲ୍ୟାଣ୍ଡର (ବିକ୍ରମ) ଏବଂ ଗୋଟିଏ ରୋଭର (ପ୍ରଜ୍ଞା)କୁ ନେଇ ଗଠିତ ହୋଇଛି ଚନ୍ଦ୍ରଯାନ-୨। ଭାରତର ମହାକାଶ ଅଗ୍ରଦୂତ ବିକ୍ରମ ସରାଭାଇଙ୍କ ସ୍ମୃତିରେ ଇସ୍ରୋ ଚନ୍ଦ୍ରଯାନର ଲ୍ୟାଣ୍ଡର୍‌ ନାମ ‘ବିକ୍ରମ’ ଏବଂ ରୋଭରର ନାମ ‘ପ୍ରଜ୍ଞା’ ରଖିଛି। ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ। ଏହାପରେ ରୋଭର ଲ୍ୟାଣ୍ଡରଠାରୁ ଅଲଗା ହୋଇ ଚନ୍ଦ୍ରପୃଷ୍ଠରେ ୧୪ ଦିନ ପର୍ଯ୍ୟନ୍ତ ଅନୁଧ୍ୟାନ ଜାରି ରଖିବ। ଚନ୍ଦ୍ରପୃଷ୍ଠରେ ବରଫ ପାଲଟି ଯାଇଥିବା ଜଳ ସନ୍ଧାନର ଲକ୍ଷ୍ୟ ମଧ୍ୟ ଏହି ମିସନ୍‌ର ଅନ୍ତର୍ଭୁକ୍ତ। ଆମେରିକା, ରୁଷ୍‌ ଏବଂ ଚୀନ୍‌ ପରେ ଭାରତ ଚତୁର୍ଥ ଦେଶ ଭାବେ ଚନ୍ଦ୍ରରେ ସୂକ୍ଷ୍ମ ଅବତରଣ କରିବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe