ଜିଏସ୍‌ଟିରେ ପରିବର୍ତ୍ତନ: ‘କୋଇଲାରେ ଓଡ଼ିଶାକୁ ଅଧିକ ଲାଭ ମିଳିବ’

ଜିଏସ୍‌ଟିରେ ଅଣାଯାଇଥିବା ପରିବର୍ତ୍ତନକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ବାଗତ କରିବା ସହ ପ୍ରଶଂସା କରିଛନ୍ତି। ବିକଶିତ ଭାରତ ଗଠନ ଲାଗି ଉଦ୍ଦିଷ୍ଟ ଏହି ସଂସ୍କାର ପ୍ରକ୍ରିୟାକୁ ଓଡ଼ିଶାବାସୀ ପୂର୍ଣ୍ଣ ସମର୍ଥନ ଜଣାଉଛନ୍ତି।

sffssfxcc

ନୂଆଦିଲ୍ଲୀ: ଜିଏସ୍‌ଟିରେ ଅଣାଯାଇଥିବା ପରିବର୍ତ୍ତନକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ବାଗତ କରିବା ସହ ପ୍ରଶଂସା କରିଛନ୍ତି। ବିକଶିତ ଭାରତ ଗଠନ ଲାଗି ଉଦ୍ଦିଷ୍ଟ ଏହି ସଂସ୍କାର ପ୍ରକ୍ରିୟାକୁ ଓଡ଼ିଶାବାସୀ ପୂର୍ଣ୍ଣ ସମର୍ଥନ ଜଣାଉଛନ୍ତି। ଏଥିପାଇଁ ସେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଜିଏସଟି ପରିଷଦକୁ କୃତଜ୍ଞତା ଜଣାଇଛନ୍ତି। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ‌ଜିଏସ୍‌ଟିର ଏହି ଐତିହାସିକ ସଂସ୍କାର ଏକ ମୁକ୍ତ ଏବଂ ସ୍ବଚ୍ଛ ଅର୍ଥନୀତି ସୃଷ୍ଟି କରିବ, ଅନୁପାଳନ ବୋଝ ହ୍ରାସ କରିବ, କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଉପକୃତ କରିବ ଏବଂ ଦେଶରେ ବାଣିଜ୍ୟ ବ୍ୟବସାୟକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଅନ୍ୟପକ୍ଷରେ କୋଇଲା ଉପରେ ଜିଏସ୍‌ଟି ହାରକୁ ୫ ପ୍ରତିଶତରୁ ବୃଦ୍ଧି କରାଯାଇ ୧୮ ପ୍ରତିଶତ କରାଯାଇଛି। ଏହାଦ୍ବାରା ଓଡ଼ିଶା ବିଶେଷ ଭାବେ ଉପକୃତ ହେବ। ୩ରୁ ୪ ଗୁଣା ଅଧିକ ରାଜସ୍ବ ଏ ବାବଦରେ ଓଡ଼ିଶାକୁ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦୁପତ୍ର କାରବାର କ୍ଷେତ୍ରରେ ଓଡ଼ିଶା ଦେଶର ଏକ ପ୍ରମୁଖ ରାଜ୍ୟ। ପୂର୍ବରୁ କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଆଦାୟ କରାଯାଉଥିଲା। ଏହା ୫ ପ୍ରତିଶତକୁ ହ୍ରାସ କରାଯାଇଛି। ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଏହା ଆନନ୍ଦର ବିଷୟ। ଏହାଦ୍ବାରା ସେମାନଙ୍କ କେନ୍ଦୁପତ୍ର ବିକ୍ରି ବଢ଼ିବ। କେନ୍ଦୁପତ୍ର ତୋଳାଳି ଉଚିତ ମୂଲ୍ୟ ପାଇବା ଫଳରେ ସେମାନଙ୍କ ଉପାର୍ଜନ ବଢ଼ିବ। ରାଜ୍ୟରେ ‌କେନ୍ଦୁପତ୍ର ତୋଳାଳିଙ୍କଠାରୁ ସରକାର ଏବଂ ବିଭିନ୍ନ ସଂସ୍ଥା କେନ୍ଦୁପତ୍ର ସଂଗ୍ରହ ସହିତ ବିକ୍ରି କରିଥାନ୍ତି। ବିଭିନ୍ନ ସଂସ୍ଥା ଠିକ୍‌ ସମୟରେ କେନ୍ଦୁପତ୍ର ତୋଳାଳିଙ୍କୁ ଅର୍ଥ ‌ପଇଠ କରିବାରେ ସମର୍ଥ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।  

କେନ୍ଦୁପତ୍ର ତୋଳାଳିଙ୍କ ଉପାର୍ଜନ ବଢ଼ିବ
ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତବର୍ଗଙ୍କୁ ଫାଇଦା

ସେ କହିଲେ, ବୀମା ପ୍ରିମିୟମ୍‌ ଉପରୁ କର ଆଦାୟ ନ କରିବା ନିଷ୍ପତ୍ତି ମଧ୍ୟବିତ୍ତ ଓ ନିମ୍ନ ଆୟକାରୀ ପରିବାରମାନଙ୍କୁ ବୀମାଭୁକ୍ତ ହେବାକୁ ଉତ୍ସାହିତ କରିବ। ପାନ ମସଲା, ବିଡି, ଓ ତମାଖୁଜାତ ଦ୍ରବ୍ୟକୁ ଛାଡ଼ି ଅନ୍ୟ ସବୁ ଦ୍ରବ୍ୟ ଉପରୁ କ୍ଷତିପୂରଣ ସେସ୍‌କୁ ଆସନ୍ତା ସେପ୍ଟେମ୍ବର ୨୨ରୁ ପ୍ରତ୍ୟାହାର କରାଯିବା ନିଷ୍ପତ୍ତି ସ୍ବାଗତଯୋଗ୍ୟ। ଅନେକ ଜୀବନ ରକ୍ଷାକାରୀ ଔଷଧ ଉପରୁ କର ହ୍ରାସ, ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ପରିବାରମାନଙ୍କ ଉପଯୁକ୍ତ ଚିକିତ୍ସାରେ ସହାୟକ ହେବ। କୋଇଲା ଉତ୍ପାଦନରେ ଆଦାୟ କରାଯାଉଥିବା ସେସ୍‌କୁ ଉଚ୍ଛେଦ କରାଯାଇଛି। ସେସ୍‌ ଉଚ୍ଛେଦ ଓଡ଼ିଶା ପାଇଁ ସ୍ବାଗତଯୋଗ୍ୟ। ଏହାଦ୍ବାରା ଓଡ଼ିଶା ଉପକୃତ ହେବ। ଔଷଧ, ଦୁଗ୍ଧଜାତ ଦ୍ରବ୍ୟ, ପ୍ରକ୍ରିୟାକୃତ ଖାଦ୍ୟ ସହିତ ସାଧାରଣ ଲୋକ ବ୍ୟବହାର କରୁଥିବା ଅନ୍ୟ ପ୍ରାୟ ୧୫୦ରୁ ଅଧିକ ସାମଗ୍ରୀ ଯଥା ୨୫୦୦ ଟଙ୍କାରୁ କମ ମୂଲ୍ୟର ବସ୍ତ୍ର ସାମଗ୍ରୀ ଓ ଜୋତା, ସଂରକ୍ଷିତ କରାଯାଇଥିବା ମାଛ, ମାଂସ, ଚିଙ୍ଗୁଡ଼ି, କଙ୍କଡ଼ା, ଛତୁ, ଜାମ, ଜେଲି, ଫଳରସ, ପ୍ୟାକ୍‌ ହୋଇଥିବା ନମ୍‌କିନ୍‌, ଭୁଜିଆ ଓ ମିକ୍ସଚର୍‌, ସୋୟା ବଡ଼ି, ବିରି ଓ ମୁଗ ବଡ଼ି, ମଧୁମେହ ରୋଗୀଙ୍କ ଖାଦ୍ୟ, ଗାଲିଚା, ଥର୍ମୋମିଟର, ଜ୍ୟାମିତି ବାକ୍ସ, ଟୁଥ୍‌ପେଷ୍ଟ, ଟିଭି, ଛତା, ବାସନକୁସନ, ସିଲେଇ ମେସିନ, ସାଇକଲ୍‌, ପାନିଆ, ମୁଣ୍ଡ କଣ୍ଟା, ସାମ୍ପୁ, କେଶ ତୈଳ, ସେଭିଂ କ୍ରିମ୍‌ ଉପରୁ କର ହ୍ରାସ ହୋଇଛି। ଯାହା ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ପରିବାରର ଖର୍ଚ୍ଚ ହ୍ରାସ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି। ସିମେଣ୍ଟ୍‌ ଉପରୁ କର ହ୍ରାସ ଶିଳ୍ପ ଓ ସାଧାରଣ ଲୋକଙ୍କ ପାଇଁ ମାଇଲଖୁଣ୍ଟ ହେବ। ଷ୍ଟାର୍ଟଅପ୍ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ସରଳ ଓ ସହଜ କରାଯାଇଛି। ଛୋଟ କାର୍, ଦୁଇଚକିଆ ଏବଂ ତିନିଚକିଆ ଗାଡ଼ି ଉପରୁ ଟିକସ ହ୍ରାସ ଦ୍ବାରା ମଧ୍ୟବିତ୍ତ ବର୍ଗ ଉପକୃତ ହେବେ। ପେନ୍‌ସିଲ୍‌, ରବର, ମାନଚିତ୍ର ଓ ଆଟ୍‌ଲାସ୍‌କୁ କରମୁକ୍ତ କରାଯାଇଛି ବୋଲି ସେ କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe