Image Courtesy of India Today
ନୂଆଦିଲ୍ଲୀ: ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ପୋଷ୍ଟ ଗ୍ରାଜୁଏଟ୍ ସୁପର ସ୍ପେସାଲିଟି (ନିଟ୍-ଏସ୍ଏସ୍) ପାରୀକ୍ଷା ପ୍ରଶ୍ନ ଢାଞ୍ଚାରେ ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ ଘୋଷଣାକୁ ନେଇ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଉକ୍ତ ପରିବର୍ତ୍ତନ ବିରୋଧରେ କରାଯାଇଥିବା ଆବେଦନ ଉପରେ ଉତ୍ତର ରଖିବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷମାନଙ୍କ ସହ ବୈଠକ କରି ଅକ୍ଟୋବର ୪ରେ ପ୍ରସ୍ତୁତ ହୋଇ ଆସିବା ପାଇଁ କୋର୍ଟ ସରକାରଙ୍କୁ କହିଛନ୍ତି।
ସୂଚନାଯୋଗ୍ୟ ଯେ, ପରୀକ୍ଷା ଆଉ ଅଳ୍ପଦିନ ଥିବାବେଳେ ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ ଘୋଷଣାକୁ ବିରୋଧ କରି ୪୧ ଜଣ ସ୍ନାତକୋତ୍ତର ଡାକ୍ତର ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ। ସାଧାରଣ ଭେଷଜ ଛାତ୍ରମାନଙ୍କୁ ଅନୁକମ୍ପା ଦେଖାଇବା ପାଇଁ ଏହି ପରିବର୍ତ୍ତନ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।
୨୦୧୮ ନିଟ୍-ଏସ୍ଏସ୍ ପରୀକ୍ଷାରେ ୪୦ ପ୍ରତିଶତ ପ୍ରଶ୍ନ ସାଧାରଣ ଭେଷଜରୁ ଏବଂ ୬୦ ପ୍ରତିଶତ ସୁପର ସ୍ପେସାଲିଟିରୁ ଆସିଥିଲା। ଏଥର ସବୁ ପ୍ରଶ୍ନ ସାଧାରଣ ଭେଷଜରୁ ଆସିବ ବୋଲି ନୋଟିସ୍ ଜାରି କରାଯାଇଛି। ଅଭିଯୋଗରେ ଦର୍ଶାଯାଇଛି ଯେ ନିଟ୍-ଏସ୍ଏସ୍ ୨୦୨୧ ଜୁଲାଇ ୨୩ରେ ଘୋଷଣା କରାଯାଇଥିଲା। କିନ୍ତୁ ପରୀକ୍ଷା ପ୍ରଶ୍ନ ଢାଞ୍ଚାରେ ପରିବର୍ତ୍ତନ ବିଷୟରେ ମାସକରୁ ଅଧିକ ସମୟ ପରେ ଅଗଷ୍ଟ ୩୧ରେ ନୋଟିସ୍ ଦିଆଗଲା। ନଭେମ୍ବର ୧୩, ୧୪ରେ ହେଉଥିବା ପରୀକ୍ଷା ନୋଟିସ୍ ତାରିଖଠାରୁ ପ୍ରାୟ ଦୁଇମାସ ବାକି ଥିବା ବେଳେ ଏତେ କମ୍ ସମୟ ଭିତରେ ସେମାନେ କିପରି ପ୍ରସ୍ତୁତ ହୋଇପାରିବେ? ୪୧ ଡାକ୍ତରଙ୍କ ଆବେଦନ ଅନୁଯାୟୀ ସେମାନେ ପୁରୁଣା ଢାଞ୍ଚାରେ ୩ ବର୍ଷ ହେଲା ପ୍ରସ୍ତୁତ ହୋଇଆସୁଛନ୍ତି।
ଏବେ ୨ ମାସରେ ନୂଆ ଢାଞ୍ଚା ପାଇଁ କିପରି ପ୍ରସ୍ତୁତ ହେବେ? ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଓ ବିଭି ନାଗରତ୍ନାଙ୍କ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି ନୂଆ ଢାଞ୍ଚା ପ୍ରଚଳନ ପାଇଁ ସରକାର ଏତେ ତରତର କାହିଁକି? ‘ଡାକ୍ତରମାନଙ୍କୁ କ୍ଷମତା ଖେଳର ଫୁଟ୍ବଲ୍ ଭାବନାହିଁ। ଅସମ୍ବେଦନଶୀଳ ଅମଲାତନ୍ତ୍ରୀଙ୍କ ଦୟା ଉପରେ ଆମେ ଡାକ୍ତରମାନଙ୍କୁ ଛାଡ଼ିଦେଇ ପାରିବୁ ନାହିଁ। କ୍ଷମତା ଅଛି ବୋଲି ଆପଣମାନେ ଅବିଚାରିତ ଭାବରେ ତାହା ଜାହିର କରିପାରିବେ ନାହିଁ।’ ବୋଲି ଜଷ୍ଟିସ୍ ନାଗରତ୍ନା କହିଛନ୍ତି। ଏହା ସେମାନଙ୍କ କ୍ୟାରିୟରର ପ୍ରଶ୍ନ। ଶେଷ ମୁହୂର୍ତ୍ତରେ ଆପଣ ପ୍ରଶ୍ନପତ୍ରର ଢାଞ୍ଚା ବଦଳାଇପାରିବେ ନାହିଁ। ଡାକ୍ତରୀ ଛାତ୍ରମାନେ ପରୀକ୍ଷା ପୂର୍ବରୁ ମାସ ମାସ ଧରି ସୁପର ସ୍ପେସାଲିଟି କୋର୍ସ ପାଇଁ ପ୍ରସ୍ତୁତ ହୋଇଥାନ୍ତି। ସରକାର ନୂତନ ଢାଞ୍ଚା ଏବେ ଲାଗୁ ନ କରି ଆସନ୍ତାବର୍ଷଠାରୁ କାହିଁକି ଲାଗୁ କରିପାରିବେ ନାହିଁ? ଡାକ୍ତରମାନଙ୍କ ସହ ସେମ୍ବଦନଶୀଳତାର ସହିତ ବ୍ୟବହାର କରିବା ଉଚିତ ବୋଲି ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଥିଲେ।
Follow Us