The Conversation
ନୂଆଦିଲ୍ଲୀ: ଏକ ଏଲ୍ନିନୋ ପ୍ରଭାବିତ ବର୍ଷରେ ଭାରତରେ ସ୍ୱାଭାବିକଠାରୁ କମ୍ ମୌସୁମୀ ବର୍ଷା ହେବା ନେଇ ଉଦ୍ବେଗ ପ୍ରକାଶ ପାଉଥିବା ବେଳେ ଚଳିତ ଜୁଲାଇରେ ବର୍ଷା ସ୍ୱାଭାବିକଠାରୁ ୧୫ ପ୍ରତିଶତ ଅଧିକ ହୋଇଛି। ବିଶ୍ବର ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, ଏହି ବିରୋଧାଭାସର କାରଣ ହେଉଛି ବିଶ୍ୱତାପନ ଯୋଗୁ ପାଣିପାଗ ନେଇ ରହିଥିବା ପୁରୁଣା ଅବଧାରଣାରେ ପରିବର୍ତ୍ତନ ଘଟୁଛି ଏବଂ ପାଣିପାଗକୁ ପ୍ରଭାବିତ କଲାଭଳି ନୂଆ ମେକାନିଜ୍ମ (ସଂଯନ୍ତ୍ର) ଆପଣେଇବାର ଆବଶ୍ୟକତା ଆସିଛି। ୟୁରୋପ ଓ ଆମେରିକାରେ ୨୦୨୩ ପାଇଁ ହୋଇଥିବା ପାଣିପାଗ ପୂର୍ବାନୁମାନ ମଧ୍ୟ ଭୁଲ୍ ସାବ୍ୟସ୍ତ ହୋଇଛି। ତାପମାତ୍ରା ସଂକ୍ରାନ୍ତ ପୂର୍ବାନୁମାନକୁ ଭୁଲ୍ ପ୍ରମାଣିତ କରି ଏବେ ୟୁରୋପ ପ୍ରବଳ ଗ୍ରୀଷ୍ମଲହରିରେ ଛଟପଟ ହେଉଛି ।
ନିକଟରେ ହୋଇଥିବା ଏକ ପର୍ଯ୍ୟବେକ୍ଷଣରେ ମିଆମି/ସିଆଇଏମ୍ଏଏସ୍ ବିଶ୍ୱବିଦ୍ୟାଳୟର ପାଣିପାଗ ବିଶେଷଜ୍ଞ ଏମିଲି ବେକର କହିଛନ୍ତି ଯେ, ସାଧାରଣତଃ ସମୁଦ୍ରପୃଷ୍ଠ ତାପମାତ୍ରା (ଏସ୍ଏସ୍ଟି)ରେ ଅନିୟମିତା ଯେତେ ଅଧିକ ହେବ ବାୟୁମଣ୍ଡଳରେ ତାହାର ପ୍ରତିକ୍ରିୟା ସେତେ ଅଧିକ ଦେଖିବାକୁ ମିଳିବ ଏବଂ ବର୍ଷା ଓ ତାପମାତ୍ରା ଢାଞ୍ଚା ଉପରେ ଏଲ୍ନିନୋର ପ୍ରଭାବ ଅଧିକ ସ୍ଥାୟୀ ହେବ। ତଥାପି ଉଷ୍ମ ସମୁଦ୍ର ଏହି ସମ୍ପର୍କକୁ ଜଟିଳ କରିପାରେ। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଟେରୋଲୋଜି (ଆଇଆଇଟିଏମ୍)ର ପୂର୍ବତନ ବୈଜ୍ଞାନିକ ବିନୀତ କୁମାର କହିଛନ୍ତି, ବିଶ୍ୱ ଏସ୍ଏସ୍ଟିରେ ରେକର୍ଡ ଉଷ୍ମତା ହେତୁ ସମୁଦ୍ର ତାପମାତ୍ରା ଗ୍ରେଡିଏଣ୍ଟ୍ ପାରମ୍ପରିକ ଏଲ୍ନିନୋ ସ୍ଥିତି ସହ ସମାନ ନୁହେଁ। ଫଳସ୍ୱରୂପ, ମହାସାଗରରେ ଏଲ୍ନିନୋ ଥିବା ସତ୍ତ୍ବେ ବାୟୁମଣ୍ଡଳ ଉପରେ ତାହାର ପ୍ରତିକ୍ରିୟା ଦୁର୍ବଳ। ସେଥିପାଇଁ ଚଳିତବର୍ଷ ମୌସୁମୀ ଉପରେ ଏଲ୍ନିନୋର ପ୍ରଭାବ ନଗଣ୍ୟ ରହିଛି। ଆଇଆଇଟିଏମ୍ ବୈଜ୍ଞାନିକ ସ୍ବପ୍ନା ପାନିକାଲ କହିଛନ୍ତି ଯେ, ସମ୍ପ୍ରତି ଆଇପିସିସି (ଜଳବାୟୁ ପରିବର୍ତ୍ତନ ଉପରେ ଆନ୍ତଃ ସରକାରୀ ପ୍ୟାନେଲ୍) ରିପୋର୍ଟରେ ଦର୍ଶାଯାଇଛି ଯେ, ବିଶ୍ବ ଭୂପୃଷ୍ଠ ତାପମାତ୍ରା ବୃଦ୍ଧି ସହିତ ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି ପାଇଛି ଏବଂ ଗ୍ରୀଷ୍ମକାଳୀନ ମୌସୁମୀ ବର୍ଷା ଆଗାମୀ ଦଶନ୍ଧିଗୁଡ଼ିକରେ ପରିବର୍ତ୍ତନଶୀଳ ହେବ ବୋଲି ଆକଳନ କରାଯାଇଛି।
Follow Us