Image Courtesy of India Today
ନୂଆଦିଲ୍ଲୀ: ଆଜି ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଚରଣଜିତ୍ ସିଂହ ଚନ୍ନୀ ଇସ୍ତଫା ଦେଇଛନ୍ତି। ମାର୍ଚ ୧୬ ତାରିଖରେ ନବନିର୍ବାଚିତ ଭଗୱନ୍ତ ମାନ୍ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି ବୋଲି ‘ଆପ୍’ ସୂତ୍ରରୁ ଜଣାପଡ଼ିଛି।
ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେବା ପାଇଁ ଆଜି ଅପରାହ୍ଣ ପ୍ରାୟ ସାଢ଼େ ୧୨ଟା ବେଳେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନୀ ଚଣ୍ଡୀଗଡ଼ସ୍ଥିତ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ୨୦୨୨ ବିଧାନସଭା ନିର୍ବାଚନରେ କଂଗ୍ରେସ ପରାସ୍ତ ହେବା ସହ ମୁଖ୍ୟମନ୍ତ୍ରୀ ଚନ୍ନୀ ମଧ୍ୟ ୨ଟିଯାକ ଆସନରୁ ପରାସ୍ତ ହୋଇଛନ୍ତି।
Image Courtesy of Tribune Indiaଇସ୍ତଫା ଦେଇ ଆସିବା ପରେ ପଞ୍ଜାବର ବିଦାୟୀ ମୁଖ୍ୟମନ୍ତ୍ରୀ ଚନ୍ନୀ କହିଛନ୍ତି, ପଞ୍ଜାବବାସୀଙ୍କ ସେବା ପାଇଁ ଆମେ ସର୍ବଦା ରହିଥିବୁ। ଆମେ ନିଜ ନିଜର କର୍ତ୍ତବ୍ୟ ପରିପୂରଣ କରିବା ସହ ଜନସାଧାରଣଙ୍କ ଗହଣରେ ରହିବୁ। ଗତ ୧୧୧ ଦିନରେ ଆରମ୍ଭ ହୋଇଥିବା ଜନମଙ୍ଗଳ ପ୍ରକଳ୍ପ ଏବଂ ଯୋଜନାଗୁଡ଼ିକୁ ଚାଲୁ ରଖିବାକୁ ନୂଆ ସରକାରଙ୍କୁ ଅନୁରୋଧ କରୁଛି।
ତେଣେ, ପଞ୍ଜାବରେ ବିଜୟ ହାସଲ କରିଥିବା ‘ଆପ୍’କୁ ପ୍ରଧାନମନ୍ତ୍ରୀ ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟ୍ କରି ଆଜି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ପଞ୍ଜାବ ନିର୍ବାଚନରେ ବିଜୟ ନିମନ୍ତେ ‘ଆପ୍’କୁ ଅଭିନନ୍ଦନ ଜଣାଉଛି। ପଞ୍ଜାବର ମଙ୍ଗଳ ପାଇଁ କେନ୍ଦ୍ରରୁ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଉଛି।
ଏହାର ଉତ୍ତରରେ ‘ଆପ୍’ ମୁଖ୍ୟ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଲେଖିଛନ୍ତି: ଆପଣଙ୍କୁ ଧନ୍ୟବାଦ ମହାଶୟ।
Follow Us