ନୂଆଦିଲ୍ଲୀ: ସେବେ ଟ୍ରମ୍ପଙ୍କୁ ଗୁଳି, ଏବେ ତାଙ୍କ ଘନିଷ୍ଠ ସହଯୋଗୀଙ୍କୁ ଗୁଳି । ୨୦୨୪ ଜୁଲାଇ ୧୩ ତାରିଖରେ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ ହୋଇଥିଲା ଆଉ ଏବେ ସେପ୍ଟେମ୍ବର ୧୦ ତାରିଖରେ ଚାର୍ଲି ର୍କିକଙ୍କୁ ଗୁଳିମାଡ଼ । ଅବଶ୍ୟ ସେବେ ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଟ୍ରମ୍ପ କିନ୍ତୁ ଏଥର ଗୁଳିମାଡରେ ବର୍ତ୍ତିପାରି ନାହାନ୍ତି ତାଙ୍କ ସହଯୋଗୀ ଚାର୍ଲି । ଭାଷଣ ଦେଉଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଚାର୍ଲିଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଆମେରିକାରେ ଚହଳ ସୃଷ୍ଟି ହୋଇଛି । ଏଥିସହ ଆମେରିକାର ରାଜନୈତିକ ହିଂସା ଇତିହାସରେ ପୁଣି ଥରେ ଆଉ ଏକ କଳଙ୍କିତ ଅଧ୍ୟାୟ ଯୋଡ଼ି ହୋଇଯାଇଛି।
ବର୍ଷେ ତଳେ ପେନ୍ସିଲଭାନିଆର ବଟ୍ଲରରେ ଏକ ନିର୍ବାଚନୀ ରାଲିରେ ଭାଷଣ ଦେଉଥିବା ବେଳେ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ଗୋଟିଏ ଗୁଳି ଟ୍ରମ୍ପଙ୍କ ଡାହାଣ କାନର ଉପର ଭାଗରେ ବାଜିଥିଲା । ଆକ୍ରମଣ ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଆକ୍ରମଣରେ ଟ୍ରମ୍ପ ଅଳ୍ପକେ ବର୍ତ୍ତିଥିଲେ ବି ରାଲିରେ ଉପସ୍ଥିତ ଥିବା ଜଣେ ସମର୍ଥକଙ୍କ ମୃତ୍ୟୁ ହୋଇଥିଲା ।
ଆଉ ବର୍ଷେ ପରେ ତାଙ୍କ ଘନିଷ୍ଠ ସହଯୋଗୀଙ୍କୁ ସମାନ ଷ୍ଟାଇଲ ଗୁଳିମାଡ଼ ଏବଂ ଆକ୍ରମଣ । ଚାର୍ଲି ବି ଭାଷଣ ଦେବା ବେଳେ ଗୁଳି ଖାଇ ଟଳି ପଡିଛନ୍ତି । ଟ୍ରମ୍ପ ଏବଂ ତାଙ୍କ ସହ ଥିବା ଲୋକଙ୍କ ସହ ଏମିତି କାହିଁକି ହେଉଛି ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଏଭଳି ସମାନ ଢଙ୍ଗରେ ଆକ୍ରମଣ ରାଜନୈତିକ ହିଂସା ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି ତାହା ଅସ୍ପଷ୍ଟ…
କଞ୍ଜରଭେଟିଭ ଆକ୍ଟିଭିଷ୍ଟ ଚାର୍ଲି ର୍କିକଙ୍କୁ ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଇଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟାକରାଯାଇଛି । ୟୁତାହ କଲେଜରେ ଏକ କାର୍ଯ୍ୟକ୍ରମରେ ଖୋଲା ମଞ୍ଚର ଚାର୍ଲି ର୍କିକ ଭାଷଣ ଦେଉଥିବା ବେଳେ ସେ ଗୁଳି ମାଡ଼ରେ ଟଳିପଡିଛନ୍ତି । ୨୦୦ ମିଟର ଦୂର ଏକ ବିଲ୍ଡିଂରୁ ତାଙ୍କୁ ଗୁଳି କରାଯାଇଛି । ଯାହାକୁ ନେଇ ଆମେରିକାରେ ରାଜନୈତିକ ହିଂସା ଭୟ ବଢିଛି ।
ଚାର୍ଲି ର୍କିକ ହେଉଛନ୍ତି ୟୁଥ ଇନ ଆମେରିକାର ସହପ୍ରତିଷ୍ଠାତା ଏବଂ ସିଇଓ । ଚାର୍ଲି ର୍କିକଙ୍କ ପାଇଁ ଟ୍ରମ୍ପଙ୍କୁ ନିର୍ବାଚନରେ ଯୁବପିଢିଙ୍କ ଅଧିକ ସମର୍ଥନ ମିଳିଥିଲା । ଜଣେ ପୋଡକାଷ୍ଟର ଭାବେ ସେ ଯୁବପିଢିଙ୍କ ମଧ୍ୟରେ ବେଶ୍ ପରିଚିତ ଥିବା ବେଳେ ଟ୍ରମ୍ପଙ୍କ ବିଜୟ ପଛରେ ଥିଲା ଚାର୍ଲିଙ୍କ ବଡ଼ ହାତ । କୁହାଯାଏ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ସହ ସିଏ ଥିଲେ ଡାହାଣ ହାତ ।
US President Donald Trump posts, "In honour of Charlie Kirk, a truly Great American Patriot, I am ordering all American flags throughout the United States lowered to half mast until Sunday evening at 6 P.M." https://t.co/nL2iQNRts3pic.twitter.com/U4oSyAuY8E
— ANI (@ANI) September 10, 2025
୩୧ ବର୍ଷିୟ ଚାର୍ଲି ର୍କିକଙ୍କ ମୃତ୍ୟୁ ନେଇ ଟ୍ରମ୍ପ ଭାଙ୍ଗି ପଡିବା ସହ ମର୍ମାହତ ହୋଇଛନ୍ତି । ରାଜନୈତିକ ହିଂସା ଏବଂ ଗୁଳିକାଣ୍ଡରେ ପଛରେ ଯେଉଁମାନେ ବି ଅଛନ୍ତି କାହାରିକୁ ଛଡାଯିବନି ବୋଲି ଟ୍ରମ୍ପ କହିଛନ୍ତି । ଚାର୍ଲିଙ୍କ ପରିବାର ପ୍ରତି ସମଦେବନା ଜଣାଇ ଚାର୍ଲିଙ୍କୁ ଲଭ ୟୁ ବୋଲି ଲେଖିଛନ୍ତି ଟ୍ରମ୍ପ । ତାସହ ଚାର୍ଲିଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ତାଙ୍କ ସମାନାର୍ଥେ ଦେଶର ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରବିବାର ସନ୍ଧ୍ଯା ୬ଟା ଯାଏଁ ଦେଶର ସମସ୍ତ ଆମେରିକୀୟ ପତାକା ଅର୍ଦ୍ଧନମିତ ରହିବ ।
ଅଧିକ ପଢନ୍ତୁ-
ଗୁଳିମାଡ଼ରେ ଟଳିପଡ଼ିଲେ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ… ଚାର୍ଲିଙ୍କ ମୃତ୍ୟୁରେ ମର୍ମାହତ ଆମେରିକାର ରାଷ୍ଟ୍ରପତି