ଚେନ୍ନାଇ: ପ୍ରତିରକ୍ଷା ପ୍ରଦର୍ଶନୀ ଉଦ୍ଘାଟନ ପାଇଁ ଆଜି ଚେନ୍ନାଇ ଗସ୍ତ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୋର୍ଦାର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। କାବେରୀ ଜଳ ପରିଚାଳନା ବୋର୍ଡ ଗଠନ କ୍ଷେତ୍ରରେ କେନ୍ଦ୍ର ଅବହେଳାର ପ୍ରତିବାଦରେ ହଜାର ହଜାର ବିକ୍ଷୋଭକାରୀ କଳା ପତାକା , କଳା ବେଲୁନ୍ ଓ ପ୍ଲାକାର୍ଡ ସହ ଚେନ୍ନାଇ ବିମାନ ବନ୍ଦରରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କଡ଼ା ନିରାପତ୍ତା ବନ୍ଦୋବସ୍ତ ସତ୍ତ୍ୱେ ବହୁ ସଂଖ୍ୟାରେ ଜନତା ବିରୋଧ ପ୍ରଦର୍ଶନ କରି ରାସ୍ତାକୁ ଓହ୍ଲାଇବାରୁ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା। ବିମାନ ବନ୍ଦର ସଂଲଗ୍ନ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ବଡ଼ ଧରଣର ଟ୍ରାଫିକ୍ ସମସ୍ୟା ଦେଖାଦେଇଥିଲା। ଅନେକ ବିକ୍ଷୋଭକାରୀ ‘ମୋଦି ଫେରିଯାଅ’ ସ୍ଲୋଗାନ ଦେଇ ବିପଜ୍ଜନକ ଷ୍ଟଣ୍ଟ୍ ପ୍ରଦର୍ଶନ କରିବାକୁ ମଧ୍ୟ ପଛାଇ ନଥିଲେ। ଟ୍ଵିଟରରେ ‘ଗୋ ବ୍ୟାକ୍ ମୋଦି’ ସ୍ଲେଗାନ ଟ୍ରେଣ୍ଡ୍ କରିବା ସହ ବିରୋଧର ମାତ୍ରା ମଧ୍ୟ ବଢ଼ିବାରେ ଲାଗିଥିଲା। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଡିଏମ୍୍କେ ସୁପ୍ରିମୋ ତଥା ପୂର୍ବ ମୁଖ୍ୟମନ୍ତ୍ରୀ ଏମ୍୍ କରୁଣାନିଧି କଳା କୁର୍ତ୍ତା ପିନ୍ଧିଥିଲେ। ଡିଏମ୍୍କେ ନେତ୍ରୀ ତଥା ପୂର୍ବ କେନ୍ଦ୍ରମନ୍ତ୍ରୀ କନିମୋଝି ତାଙ୍କ ସମର୍ଥକଙ୍କ ସହିତ ମୋଦିଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ରାସ୍ତାକୁ ଓହ୍ଲାଇଥିଲୋ। ଚେନ୍ନାଇ ବିମାନ ବନ୍ଦରରୁ ମୋଦି ଏକ ହେଲିକପ୍୍ଟର ଯୋଗେ ପ୍ରତିରକ୍ଷା ପ୍ରଦର୍ଶନୀସ୍ଥଳକୁ ଯାଇଥିବା ବେଳେ ରାସ୍ତାରେ ବହୁ ସଂଖ୍ୟାରେ ଲୋକେ କଳା ବେଲୁନ ଉଡ଼ାଇଥିଲେ। ଚେନ୍ନାଇ ପୁଲିସ କଳା ବେଲୁନ ଭର୍ତ୍ତି ହୋଇଥିବା ଏକ ଭ୍ୟାନ୍କୁ ଜବତ କରିଥିଲା ଏବଂ ଉଗ୍ର ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେଉଥିବା ଲୋକଙ୍କୁ ବଳପୂର୍ବକ ଘଉଡ଼ାଇଥିବା ଦେଖିବାକୁ ମିଳିଥିଲା। ଚେନ୍ନାଇ ଆଇଆଇଟି ଛାତ୍ରଛାତ୍ରୀମାନେ ମଧ୍ୟ ପ୍ରଶାସନିକ ଭବନ ସମ୍ମୁଖରେ କେନ୍ଦ୍ର ସରକାର ଓ ମୋଦିଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଜି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବିମାନ ବନ୍ଦର ଯିବାକୁ ମଧ୍ୟ ନେତାଙ୍କୁ ହଟହଟା ହେବାକୁ ପଡ଼ିଥିଲା। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ୧ କିମି ଚାଲି ଚାଲି ଯାଇ ବିମାନ ବନ୍ଦର ଭିତରକୁ ପ୍ରବେଶ କରିଥିଲେ।
ଚେନ୍ନାଇରେ ମୋଦିଙ୍କୁ ପ୍ରବଳ ବିରୋଧ
Advertisment
Follow Us