Image Courtesy of India Today
ଚେନ୍ନାଇ: ମୋବାଇଲ୍ ଛଡ଼ାଇନେବାକୁ ଚେଷ୍ଟା କରୁଥିବା ଦୁଇଜଣ ବ୍ୟକ୍ତିଙ୍କ ସହିତ ଧସ୍ତାଧସ୍ତି କରି ଚେନ୍ନାଇରେ ଗୋଟାଏ ଲୋକାଲ୍ ଟ୍ରେନ୍ରୁ ପଡ଼ିଯାଇ ଆହତ ହୋଇଥିବା ଜଣେ ଯୁବତୀଙ୍କର ଶନିବାର ଦିନ ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।
ସୂଚନାଯୋଗ୍ୟ, ଗତ ରବିବାର ଅର୍ଥାତ୍ ଜୁଲାଇ ୨ ତାରିଖ ଦିନ ଘଟିଥିବା ଏହି ଅଘଟଣରେ ଆହତ ହୋଇ ୨୨ ବର୍ଷୀୟ ଯୁବତୀ ଏସ୍. ପ୍ରୀତି ଡାକ୍ତରଖାନାରେ ଚିକିତ୍ସାଧୀନା ଥିଲେ।
ପୁଲିସ କହିବା ଅନୁସାରେ, ଚେନ୍ନାଇର ଇନ୍ଦିରା ନଗର ଷ୍ଟେସନ୍ରେ ଟ୍ରେନ୍ର ଫୁଟ୍ବୋର୍ଡରେ ଠିଆ ହୋଇ ପ୍ରୀତି ମୋବାଇଲ୍ ଫୋନ୍ରେ କଥାବାର୍ତ୍ତା କରୁଥିଲେ। ସେତିକିବେଳେ ଦୁଇଜଣ ବ୍ୟକ୍ତି ମୋବାଇଲ୍ ଫୋନ୍ ଛଡ଼ାଇ ନେବାକୁ ଉଦ୍ୟମ କରିବାରୁ ପ୍ରୀତି ବାଧା ଦେବା ସମୟରେ ଟ୍ରେନ୍ରୁ ପ୍ଲାଟ୍ଫର୍ମକୁ ଖସିପଡ଼ିଥିଲେ।
ଘଟଣାସ୍ଥଳରେ ପ୍ରୀତି ଚେତା ହରାଇ ପଡ଼ିଥିବା ବେଳେ ଦୁଇ ଅଭିଯୁକ୍ତ ତାଙ୍କ ଫୋନ୍ ନେଇ ପଳାଇ ଯାଇଥିଲେ ବୋଲି ପୁଲିସ କହିଛି।
Image Courtesy of The Hinduସାଇବର୍ କ୍ରାଇମ୍ ୟୁନିଟ୍ ସହାୟତାରେ ପ୍ରୀତିଙ୍କ କଲ୍ ରେକର୍ଡ ଉପଯୋଗ କରି ପୁଲିସ ଚୋରି ହୋଇଯାଇଥିବା ଉକ୍ତ ମୋବାଇଲ୍ ଫୋନ୍ର ଲୋକେସନ୍ ବା ଅବସ୍ଥିତି ଟ୍ରାକ୍ କରିବାରେ ସମର୍ଥ ହୋଇଥିଲେ।
ଟ୍ରାକ୍ ହୋଇଥିବା ଲୋକେସନ୍ରେ ପହଞ୍ଚି ପୁଲିସ୍ ବେସାନ୍ତ ନଗରର ଗୋଟାଏ ମାଛ ଦୋକାନରେ କାମ କରୁଥିବା ରାଜୁ ନାମକ ଜଣେ ବ୍ୟକ୍ତିଙ୍କୁ ଧରିଥିଲେ। ତାଙ୍କୁ ପଚରା ଉଚରା କରାଯିବାରୁ ସେ କହିଲା କି, ୨୦୦୦ ଟଙ୍କା ଦେଇ ୨ଜଣ ବ୍ୟକ୍ତିଙ୍କଠାରୁ ସେ ଫୋନ୍ଟି କିଣିଛନ୍ତି।
ଏହାପରେ ପୁଲିସ ତଦନ୍ତ ଚଳାଇ ଏହି ମାମଲାରେ ସମ୍ପୃକ୍ତ ଥିବା ମଣିମାରନ୍ ଓ ବିଘ୍ନେଶ ନାମକ ଦୁଇ ଅଭିଯୁକ୍ତଙ୍କୁ ଠାବ କରି ଧରିଥିଲା। ଦୁହେଁ ପ୍ରୀତିଙ୍କଠାରୁ ଫୋନ୍ ଛଡ଼ାଇ ନେଇଥିଲେ ଓ ସେଥିଯୋଗୁଁ ସେ ଟ୍ରେନ୍ରୁ ପଡ଼ିଯାଇଥିବା କଥା ସ୍ବୀକାର କଲେ। ଦୁହିଁଙ୍କୁ ଗିରଫ କରି ପୁଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।
Follow Us