Times Now
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଚେତନ ଚୌହାନ ଆଉ ନାହାନ୍ତି। କରୋନା ମହାମାରୀ ବିରୋଧରେ ଲଢ଼େଇ କରି ଶେଷରେ ହାର୍ ମାନିଗଲେ ଚୌହାନ। ଗତମାସରୁ ଚିକିତ୍ସିତ ହେଉଥିବା ୭୩ ବର୍ଷ ବୟସ୍କ ଚୌହାନଙ୍କର ରବିବାର ପରଲୋକ ଘଟିଛି। ସେ କେବଳ ଜଣେ ପୂର୍ବତନ କ୍ରିକେଟ ଖେଳାଳି ନ ଥିଲେ; ସକ୍ରିୟ ରାଜନୀତିରେ ଯୋଗ ଦେଇ ସେ ମଧ୍ୟ ସଫଳ ହୋଇଥିଲେ। ସଂପ୍ରତି ସେ ଉତ୍ତର ପ୍ରଦେଶ ସରକାରରେ ଜଣେ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ରହିଥିଲେ। ତେଣୁ ତାଙ୍କର ଏଭଳି ମୃତ୍ୟୁରେ ଭାରତୀୟ କ୍ରିକେଟ ଜଗତ ସ୍ତବ୍ଧ ହୋଇଯାଇଥିବା ବେଳେ ରାଜନୈତିକ ମହଲରେ ମଧ୍ୟ ଶୋକର ଛାୟା ଖେଳିଯାଇଛି। କରୋନାରେ ପ୍ରାଣ ହରାଇବାରେ େସ ହେଉଛନ୍ତି ରାଜ୍ୟର ଦ୍ବିତୀୟ ମନ୍ତ୍ରୀ।
ଜୁଲାଇ ୧୨ ତାରିଖରେ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିବା ପରେ ଚେତନଙ୍କୁ ଉତ୍ତର ପ୍ରଦେଶର ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧୀ ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା କ୍ରମେ ବିଗିଡ଼ିବାରେ ଲାଗିଥିଲା। ନିଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ପ୍ରାୟ ୩୬ ଘଣ୍ଟା ଧରି ଜୀବନ ରକ୍ଷାକାରୀ ବ୍ୟବସ୍ଥା ମଧ୍ୟରେ ତାଙ୍କୁ ରଖାଯାଇଥିଲା। ଶେଷରେ ରବିବାର ଦିନ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ତାଙ୍କ ସାନ ଭାଇ ପୁଷ୍ପେନ୍ଦ୍ର ଚୌହାନ କହିଛନ୍ତି।
ଭାରତର କିଂବଦନ୍ତି ଖେଳାଳି ସୁନିଲ ଗାଭାସ୍କରଙ୍କ ଲମ୍ବା ସମୟର ପ୍ରାରମ୍ଭିକ ଯୋଡ଼ିଦାର ଭାବେ ଚେତନ ଚୌହାନଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଥିଲା। ୧୯୬୯ରୁ ୧୯୮୧ ମସିହା ପର୍ଯ୍ୟନ୍ତ ସେ ମୋଟ ୪୦ ଟେଷ୍ଟ ଖେଳି ୨୦୪୮ ରନ୍ ଏବଂ ୭ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ୧୫୩ ରନ୍ କରିଥିଲେ। ନିଜ ପିଢ଼ିରେ ଅନ୍ୟତମ ସାହସିକ ବ୍ୟାଟ୍ସମ୍ୟାନ୍ ଭାବେ ପରିଗଣିତ ଚୌହାନ ୨୨ ବର୍ଷ ବୟସରେ ମୁମ୍ବାଇ ବିପକ୍ଷରେ ପଦାର୍ପଣ କରିଥିଲେ। ୧୯୭୯ ଦି ଓଭାଲ ଟେଷ୍ଟ୍ରେ ଗାଭାସ୍କରଙ୍କ ସହ ୨୧୩ ରନ୍ର ଭାଗୀଦାରି ଜଣେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ତାଙ୍କ ଆନ୍ତର୍ଜାତିକ ଜୀବନର ଅନ୍ୟତମ ସ୍ମରଣୀୟ ମୁହୂର୍ତ୍ତ ଥିଲା। ସେହି ଭାଗୀଦାରିରେ ଚୌହାନ୍ଙ୍କ ଅବଦାନ ଥିଲା ୮୦ ରନ୍। ଏହି ପାଳି ବେଳେ ଉଭୟ ଗାଭାସ୍କର ଓ ଚୌହାନ ମଧ୍ୟ ପ୍ରଥମ ୱିକେଟ୍ ଭାଗୀଦାରିର ଭାରତୀୟ କୀର୍ତ୍ତିମାନକୁ ଭାଙ୍ଗି ଦେଇଥିଲେ। ଏହା ପୂର୍ବରୁ ୧୯୩୬ରେ ଓଲ୍ଡ ଟ୍ରାଫୋର୍ଡ ଟେଷ୍ଟରେ ବିଜୟ ମର୍ଚ୍ଚାଣ୍ଟ ଓ ମୁସ୍ତାକ ଅଲ୍ଲୀଙ୍କ ନାମରେ ୨୦୩ ରନ୍ର ଭାଗୀଦାରି କୀର୍ତ୍ତିମାନ ରହିଥିଲା। ନିଜ ଖେଳ ଜୀବନରେ ଚୌହାନ୍ ଟେଷ୍ଟ୍ରେ ଆଦୌ ଶତକ ହାସଲ ନ କରି ମଧ୍ୟ ୨୦୦୦ ରନ୍ କରିବାରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ହେବାର ଗୌରବ ପାଇଥିଲେ। ଏହାଛଡ଼ା ତାଙ୍କ ନାମରେ ୨ଟି ଟେଷ୍ଟ ୱିକେଟ୍ ରହିଛି।
ରଣଜୀ ଟ୍ରଫିରେ ଏହି ମହାନ୍ ଖେଳାଳି ଉଭୟ ଦିଲ୍ଲୀ ଓ ମହାରାଷ୍ଟ୍ର ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ। ଖେଳ ଜୀବନ ପରେ ସେ ଦିଲ୍ଲୀ ଆଣ୍ଡ୍ ଡିଷ୍ଟ୍ରିକ୍ଟ କ୍ରିକେଟ୍ ଆସୋସିଏସନ୍ (ଡିଡିସିଏ)ର ବିଭିନ୍ନ ପଦପଦବିରେ ଦାୟିତ୍ବ ତୁଲାଇଥିଲେ। ଡିଡିସିଏର ସେ ସଭାପତି, ଉପସଭାପତି, ସଂପାଦକ ଏବଂ ମୁଖ୍ୟ ଚୟନକର୍ତା ଭାବେ କାର୍ଯ୍ୟ କରିଥିଲା ବେଳେ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ବେଳେ ସେ ପ୍ରବନ୍ଧକ ରହିଥିଲେ।
Follow Us