Odisha Sun Times
ନୂଆଦିଲ୍ଲୀ:ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ପକ୍ଷରୁ ନିର୍ମାଣ କରାଯାଉଥିବା ୬ଟି ବ୍ୟାରେଜ କାମ ଉପରେ ରୋକ ଲଗାଇବା ଲାଗି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍ରେ ଓଡ଼ିଶା କରିଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଆଜି ଜବାବ ରଖିଛି ଛତିଶଗଡ଼।
ଓଡ଼ିଶାର ଆବେଦନକୁ ଗ୍ରହଣ କରି ଡିସେମ୍ବର ୧ ତାରିଖ ସୁଦ୍ଧା ପକ୍ଷ ରଖିବା ଲାଗି ଛତିଶଗଡ଼କୁ ନୋଟିସ ଜାରି କରିଥିଲେ ଟ୍ରିବ୍ୟୁନାଲ୍। ସୋମବାର ଜଷ୍ଟିସ୍ ଏ.ଏମ୍ ଖାନ୍ଓ୍ଵିଲ୍କରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ନିକଟରେ ଛତିଶଗଡ଼ ଏକ ସତ୍ୟପାଠ ଜରିଆରେ ନିଜର ଜବାବ ରଖିଛି।
ଆଜି ଟ୍ରିବ୍ୟୁନାଲଙ୍କ ନିକଟରେ ସତ୍ୟପାଠ ଦାଖଲ କରି ଛତିଶଗଡ଼ ପକ୍ଷରୁ କୁହାଯାଇଛି କି, ନିଜ ଜଳ ସଂପଦର ବ୍ୟବହାର କରିବାର ଅଧିକାର ରାଜ୍ୟର ରହିଛି। ଓଡ଼ିଶା ଯେଉଁ ୬ଟି ବ୍ୟାରେଜ ନିର୍ମାଣ ବନ୍ଦ କରିବାକୁ ଚାହୁଁଛି ତାହା ହେଲେ ମହାନଦୀର ପ୍ରାକୃତିକ ଜଳ ପ୍ରବାହ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ତେଣୁ ଏହାର ନିର୍ମାଣ ଦ୍ୱାରା ଓଡ଼ିଶାକୁ ତତ୍କାଳ କୌଣସି କ୍ଷତିର ଆଶଙ୍କା ନାହିଁ।
/sambad/media/post_attachments/wp-content/uploads/2018/04/Mahanadi_rajim-2-300x155.jpg)
ଅନ୍ୟପକ୍ଷରେ ଏହି ସତ୍ୟପାଠରେ କୁହାଯାଇଛି କି ବ୍ୟାରେଜ ନିର୍ମାଣ ଲାଗି ଜଳପ୍ରବାହ କ୍ଷତିଗ୍ରସ୍ତ ହେଉଥିବା ଯୁକ୍ତି ଦର୍ଶାଇ ଓଡ଼ିଶା ଯେଉଁ ତଥ୍ୟ ଉପସ୍ଥାପନ କରିଛି ତାହା ବିଶ୍ୱାସଯୋଗ୍ୟ ନୁହେଁ। ଏହା କୌଣସି ବୈଜ୍ଞାନିକ ଅନୁଧ୍ୟାନ ଉପରେ ଆଧାରିତ ନୁହେଁ।
ଗତ ଅକ୍ଟୋବର ୯ ତାରିଖରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍ରେ ଓଡ଼ିଶା ପକ୍ଷରୁ ୫୭୦ ପୃଷ୍ଠା ସମ୍ବଳିତ ୨ଟି ଭଲ୍ୟୁମ୍ରେ ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାଖଲ କରାଯାଇ ଛତିଶଗଡ଼ ଦ୍ବାରା ମହାନଦୀର ଉପରମୁଣ୍ଡରେ ନିର୍ମାଣ କରାଯାଉଥିବା ବ୍ୟାରେଜ୍ ଗୁଡ଼ିକର ନିର୍ମାଣ କାର୍ଯ୍ୟ ବନ୍ଦ କରାଯିବା ସହ ବ୍ୟାରେଜ୍ ଗେଟ୍ କଲ୍ମା, ସାରାଡ଼ିହି, ମିରୋନି, ବସନ୍ତପୁର, ସିଅରିନାରାୟଣ, ସାମୋଧା ଦ୍ବାରା ମହାନଦୀକୁ ସ୍ବାଭାବିକ ଜଳପ୍ରବାହରେ ଯେଭଳି ବ୍ୟାହତ ନହୁଏ ସେନେଇ ଆାଦେଶ ଜାରି କରିବାପାଇଁ ପ୍ରାର୍ଥନା କରାଯାଇଥିଲା।
ଅକ୍ଟୋବର ୧୩ରେ ଟ୍ରିବ୍ୟୁନାଲ୍ର ପ୍ରଥମ ଶୁଣାଣିରେ ଓଡ଼ିଶାର ଆବେଦନ ଉପରେ ଛତିଶଗଡ଼କୁ ନୋଟିସ୍ ଜାରି କରି ଡିସେମ୍ବର ୧ ସୁଦ୍ଧା ଜବାବ ଦାଖଲ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।
Follow Us