ଛତିଶଗଡ଼ ମାଓ ଆକ୍ରମଣ : ଯବାନଙ୍କୁ ୩ ପଟୁ ଘେରିଥିଲେ ମାଓବାଦୀ

Advertisment

ପାହାଡ଼ରୁ ରକେଟ ଲଞ୍ଚର୍‌, ଏଲ୍‌ଏମ୍‌ଜିରେ ଆକ୍ରମଣ ହୋଇଥିଲା

ପାହାଡ଼ରୁ ରକେଟ ଲଞ୍ଚର୍‌, ଏଲ୍‌ଏମ୍‌ଜିରେ ଆକ୍ରମଣ ହୋଇଥିଲା

ଛତିଶଗଡ଼ ମାଓ ଆକ୍ରମଣ : ଯବାନଙ୍କୁ ୩ ପଟୁ ଘେରିଥିଲେ ମାଓବାଦୀ

ରାୟପୁର : ଛତିଶଗଡ଼ର ସୁକୁମା ଓ ବିଜାପୁର ସୀମା ସ୍ଥିତ ଜଙ୍ଗଲରେ ମାଓବାଦୀଙ୍କ ସହ ହୋଇଥିବା ଏନ୍‌କାଉଣ୍ଟରରେ ସୁରକ୍ଷା ବାହିନୀର ୨୨ ଯବାନ ସହିଦ ହୋଇଯାଇଛନ୍ତି। ମାଓ କମାଣ୍ଡର ହିଡ଼ମା ଏବଂ ତା’ର ବାଟାଲିୟନକୁ ଠାବ କରିବା ପାଇଁ ଯବାନଙ୍କ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ମାଓବାଦୀମାନେ ସୁରକ୍ଷା ବାହିନୀର ପ୍ରତ୍ୟେକଟି ଗତିବିଧି ଉପରେ ନଜର ରଖିଥିଲେ ଏବଂ ସେମାନଙ୍କ ଯୋଜନା ମୁତାବକ ଯବାନମାନେ ଘଞ୍ଚ ଜଂଗଲ ଭିତରେ ଏକ ପାହାଡ଼ ତଳି ଅଂଚଳର ଗ୍ରାମ ନିକଟକୁ ଆସିବା ମାତ୍ରେ ୩ ପଟୁ ଘେରାବନ୍ଦୀ କରି ଆକ୍ରମଣ ଆରମ୍ଭ କରିଦେଇଥିଲେ। ମାଓବାଦୀଙ୍କ ଏଭଳି ଅଚାନକ ଘେରାବନ୍ଦୀ ଭିତରେ ଯବାନ ପୋଜିସନ୍‌ ନେବା ପୂର୍ବରୁ ସେମାନଙ୍କ ଉପରେ ଏଲ୍‌ଏମ୍‌ଜିରୁ ଗୁଳି ବର୍ଷା ଆରମ୍ଭ ହୋଇଯାଇଥିଲା। ପାହାଡ଼ ଉପରୁ ଏଲ୍‌ଏମ୍‌ଜିରୁ ଗୁଳି ବର୍ଷା ସହିତ ରକେଟ୍‌ ଲଞ୍ଚର ବ୍ୟବହାର କରି ମାଓବାଦୀମାନେ ପ୍ରଚଣ୍ଡ ଆକ୍ରମଣ କରିଥିଲେ।

publive-image

ଏହି ଆକ୍ରମଣର ନେତୃତ୍ବ ନିଜେ ହିଡ଼ମା ନେଉଥିବା ବେଳେ ପ୍ରାୟ ୫ ଘଣ୍ଟା ଧରି ଏନ୍‌କାଉଣ୍ଟର ଚାଲିଥିଲା। ଦୁଇଟି ପାହାଡ଼ର ମଧ୍ୟବର୍ତ୍ତୀ ଅଂଚଳରେ ୧ ଶହରୁ ୨ ଶହ ମିଟର ଦୂରତା ଭିତରେ ଯବାନଙ୍କ ଉପରେ ମାଓବାଦୀମାନେ ଗୁଳିବର୍ଷା କରିଥିଲେ। ମାଓବାଦୀଙ୍କ ଏଭଳି ଚକ୍ରବ୍ୟୁହ ଭିତରେ ବି ଯବାନମାନେ ଦୃଢ଼ତାର ସହ ସେମାନଙ୍କର ମୁକାବିଲା କରିଥିଲେ। ଏଥିରେ ବହୁ ସଂଖ୍ୟାରେ ମାଓବାଦୀ ମୃତାହତ ହୋଇଥିବା ଜଣାପଡ଼ିଛି। ଅତି କମ୍‌ରେ ୧୫ ମାଓବାଦୀ ଘଟଣାସ୍ଥଳରେ ହିଁ ନିପାତ ହୋଇଥିବା କୁହାଯାଉଛି। ମାଓବାଦୀମାନେ ଘଟଣାସ୍ଥଳରୁ ୪ଟି ଟ୍ରାକ୍ଟରରେ ମୃତାହତଙ୍କୁ ନେଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ସେମାନେ ଆକ୍ରମଣ ପରେ ମୃତ ଯବାନଙ୍କ ଅସ୍ତ୍ରଶସ୍ତ୍ର, ବୁଲେଟ୍‌-ପ୍ରୁଫ୍‌ ଜ୍ୟାକେଟ୍‌ ଓ ଜୋତା ଆଦି ଛଡ଼ାଇ ନେଇଥିବା ଜଣାଯାଇଛି। ପ୍ରାୟ ୪ ଶହ ମାଓବାଦୀ ଏବଂ ସେମାନଙ୍କର ୨୦୦ରୁ ଅଧିକ ସ୍ଥାନୀୟ ସମର୍ଥକ (ଜନ ମିଲିସିଆ) ଏହି ଆକ୍ରମଣରେ ସାମିଲ ଥିଲେ। ଆଜି ମଧ୍ୟାହ୍ନ ସୁଦ୍ଧା ସମସ୍ତ ୨୨ ଯବାନଙ୍କ ଶବ ଉଦ୍ଧାର ହୋଇଥିବା ବେଳେ ମାଓବାଦୀମାନେ ଆଇଇଡି ଖଂଜିଥିବା ଆଶଙ୍କାରେ ଗ୍ରହଣ କରାଯାଇଥିବା ସତର୍କତା ପଦକ୍ଷେପ ଯୋଗୁଁ ମୃତ ଦେହ ଉଦ୍ଧାରରେ ବିଳମ୍ବ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe