ନୂଆଦିଲ୍ଲୀ : ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଆଜି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମଙ୍କ ଜାମିନ ଆବେଦନ ସୁପ୍ରିମକୋର୍ଟରେ ମଂଜୁର ହୋଇଛି। ସିବିଆଇ ମାମଲାରେ ଆଜି ସୁପ୍ରିମକୋର୍ଟର ବିଚାରପତି ଆର ଭାନୁମତୀ, ବିଚାରପତି ଏଏସ୍ ବୋପନ୍ନା ଏବଂ ବିଚାରପତି ହୃଷୀକେଶ ରାୟ ଚିଦମ୍ବରମଙ୍କୁ ଜାମିନ ମଂଜୁର କରିଛନ୍ତି। ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ତାଙ୍କ ଜାମିନ ମଂଜୁର ହୋଇଛି। ତେବେ ଚିଦମ୍ବରମ ଜେରା ପାଇଁ ହାଜର ହେବେ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଚିଦମ୍ବରମଙ୍କୁ ସିବିଆଇ ମାମଲାରେ ଜାମିନ ମଂଜୁର ହୋଇଥିଲେ ମଧ୍ୟ ଇଡି ମାମଲାରେ ସେ ଆସନ୍ତା ଅକ୍ଟୋବର ୨୪ ପର୍ଯ୍ୟନ୍ତ ଇଡି ହାଜତରେ ରହିବେ। ଆଜି ଶୁଣାଣି ସମୟରେ ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟା ଚିଦମ୍ବରମଙ୍କ ଜାମିନ ଆବେଦନକୁ ବିରୋଧ କରାଯାଇଥିଲା। ଚିଦମ୍ବରମ ଦେଶ ଛାଡ଼ି ଚାଲିଯିବାର ଭୟ ରହିଛି ଏବଂ ସେ ସାକ୍ଷ୍ୟଙ୍କୁ ପ୍ରଭାବିତ କରିପାରନ୍ତି ବୋଲି ସିବିଆଇ ଦାବି କରିଥିଲେ। ଅନ୍ୟପକ୍ଷରେ ଚିଦମ୍ବରମଙ୍କ ପକ୍ଷରୁ ତାଙ୍କ ଓକିଲ କପିଲ ସିବଲ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ, ତାଙ୍କ ମହକିଲ ଦେଶ ଛାଡ଼ି କୁଆଡ଼େ ଚାଲି ଯିବେନି। ଉଭୟ ପକ୍ଷର ଯୁକ୍ତି ଶୁଣିବାପରେ ସୁପ୍ରିମକୋର୍ଟ ଚିଦମ୍ବରମଙ୍କ ଜାମିନ ମଂଜୁର କରିଛନ୍ତି। ତେବେ ଚିଦମ୍ବରମ ଟ୍ରାଏଲ୍ କୋର୍ଟଙ୍କ ବିନା ଅନୁମତିରେ ଦେଶ ଛାଡ଼ି ଅନ୍ୟତ୍ର କୁଆଡ଼େ ଯାଇ ପାରିବେନି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆଜି ସିବିଆଇ ମାମଲାରେ ଜାମିନ ମିଳିଥିଲେ ମଧ୍ୟ ସେ ଇଡି ମାମଲାରେ ଅକ୍ଟୋବର ୨୪ ପର୍ଯ୍ୟନ୍ତ ହେପାଜତରେ ଥିବାରୁ ଏବେ ସେ ତିହାର ଜେଲ୍ରୁ ବାହାରି ପାରିବେ ନାହିଁ।
ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲା: ଚିଦମ୍ବରମଙ୍କୁ ଜାମିନ
Advertisment
Follow Us