ଜେଲ୍‌ରୁ ଜାମିନରେ ମୁକୁଳିଲେ ଚିଦମ୍ବରମ

ଜେଲ୍‌ରୁ ଜାମିନରେ ମୁକୁଳିଲେ ଚିଦମ୍ବରମ

India Today

ନୂଆଦିଲ୍ଲୀ : ଆଇଏନ୍‌ଏକ୍ସ ମିଡିଆ ମନି ଲଣ୍ଡ୍ରିଂ ମାମଲାରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମଙ୍କୁ ସୁପ୍ରିମକୋର୍ଟ ଆଜି ଜାମିନ ମଞ୍ଜୁର କରିଛନ୍ତି। ତିହାର ଜେଲ୍‌ରେ ଦୀର୍ଘ ୧୦୦ ଦିନରୁ ଅଧିକ ସମୟ ଧରି ବନ୍ଦୀ ଥିବା ଚିଦମ୍ବରମ ଆଜି ଜେଲ୍‌ରୁ ମୁକୁଳିଛନ୍ତି।

ଜଷ୍ଟିସ୍‌ ଆର ଭାନୁମତୀଙ୍କ ନେତୃତ୍ବାଧୀନ ୩ ଜଣିଆ ଖଣ୍ଡପୀଠ ଚିଦମ୍ବରମଙ୍କୁ ଜାମିନ ମଂଜୁର କରିଛନ୍ତି। ତେବେ କୋର୍ଟ ଚିଦମ୍ବରମଙ୍କୁ ଜାମିନ ଦେବାସହ କିଛି ସର୍ତ୍ତ ରଖିଛନ୍ତି। ବିନା
ଅନୁମତି‌ରେ ଚିଦମ୍ବରମ ଦେଶ ଛାଡ଼ି ଯାଇପାରିବେ ନାହିଁ। ଚିଦମ୍ବରମ ଗଣମାଧ୍ୟମରେ ସାକ୍ଷାତକାର ମଧ୍ୟ ଦେଇପାରିବେ ନାହିଁ। ମାମଲା ସଂକ୍ରାନ୍ତରେ ଚିଦମ୍ବରମ କୌଣସି ଟିପ୍ପଣୀ ରଖିବାପାଇଁ କୋର୍ଟ ମନା କରିଛନ୍ତି। ଏଥିସହ ଚିଦମ୍ବରମ ସାକ୍ଷ୍ୟଙ୍କୁ ପ୍ରଭାବିତ କରିବାକୁ ‌ଚେଷ୍ଟା କରିବେ ନାହିଁ। ଚିଦମ୍ବରମ ତଦନ୍ତପ୍ରକ୍ରିୟାରେ ସଂପୂର୍ଣ୍ଣ ସହଯୋଗ କରିବାକୁ ମଧ୍ୟ କୋର୍ଟ କହିଛନ୍ତି। ତାଙ୍କୁ ୨ ଲକ୍ଷ ଟଙ୍କାର ‌ବେଲ୍‌ ବଣ୍ଡ୍‌ ସହ ଦୁଇଟି ସମାନ ମୂଲ୍ୟର ବ୍ୟକ୍ତିଗତ ମୁଚାଲିକା ଦାଖଲ ପାଇଁ କୁହାଯାଇଛି।

ଇଡି ପକ୍ଷରୁ ଆଜି ଚିଦମ୍ବରମଙ୍କ ଜାମିନକୁ ବିରୋଧ କରାଯାଇଥିଲା। ଚିଦମ୍ବରମ ଜେଲ୍‌ରେ ଥାଇ ମଧ୍ୟ ଗୁରୁତ୍ବପୂର୍ଣ୍ଣ ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସଲିସିଟର ଜେନେରାଲ ତୁଷାର ମେହଟା କହିଥିଲେ। ମନି ଲଣ୍ଡ୍ରିଂ ପରି ଅର୍ଥନୈତିକ ଅପରାଧ ଏକ ଗମ୍ଭୀର ବିଷୟ। ଏହା କେବଳ ଦେଶର ଅର୍ଥନୀତିକୁ ପ୍ରଭାବିତ କରୁନାହିଁ ବରଂ ଏହା ସମ୍ପୂର୍ଣ୍ଣ ବ୍ୟବସ୍ଥା ଉପରୁ ଲୋକଙ୍କ ଭରସା ତୁଟାଇଦେବ ବୋଲି ସେ କହିଥିଲେ। କିନ୍ତୁ ଚିଦମ୍ବରମଙ୍କ ଆଇନଜୀବୀ କପିଲ୍‌ ଶିବଲ ଏବଂ ଅଭିଷେକ ମନୁ ସିଂଘଭି ଏସବୁ ଯୁକ୍ତିକୁ ଖଣ୍ଡନ କରିଥିଲେ। ଚିଦମ୍ବରମ ଉକ୍ତ ମାମଲାରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଜଡ଼ିତ ଥିବା ନେଇ କୌଣସି ପ୍ରମାଣ ନାହିଁ କି ସେ ସାକ୍ଷୀଙ୍କୁ ପ୍ରଭାବିତ କରୁଥିବା ନେଇ ମଧ୍ୟ କୌଣସି ପ୍ରମାଣ ନାହିଁ ବୋଲି ସେମାନେ ଯୁକ୍ତି ରଖିଥିଲେ। ଏହାପ‌ରେ କୋର୍ଟ କହିଥିଲେ ଯେ କଂଗ୍ରେସ ନେତା ଚିଦମ୍ବରମ ସାକ୍ଷୀମାନଙ୍କୁଙ୍କୁ ପ୍ରଭାବିତ କିମ୍ବା ଧମକ ଦେଇଥିବା ନେଇ କୌଣସି ପ୍ରମାଣଯୋଗ୍ୟ ତଥ୍ୟ ନାହିଁ।

ଉଲ୍ଲେଖଯୋଗ୍ୟ ଯେ ଚିଦମ୍ବରମ ଅଗଷ୍ଟ୨୧ ତାରିଖରୁ ଜେଲ୍‌ରେ ଅଛନ୍ତି। ଦୁର୍ନୀତି ମାମଲାରେ ସେ ସିବିଆଇ ଦ୍ବାରା ଅଗଷ୍ଟ ୨୧ରେ ଗିରଫ ହୋଇଥିଲେ। ତେବେ ଅକ୍ଟୋବର ୨୨ ତାରିଖରେ ତାଙ୍କୁ ସିବିଆଇ ମାମଲାରେ ସୁପ୍ରିମକୋର୍ଟ ଜାମିନ ଦେଇଥିଲେ। କିନ୍ତୁ ଏହାର ୬ ଦିନ ପୂର୍ବରୁ ମନି ଲଣ୍ଡ୍ରିଂ ମାମଲାରେ ଇଡି ଚିଦମ୍ବରମଙ୍କୁ ଗିରଫ କରିଥିବାରୁ ଚିଦମ୍ବରମ ଜେଲ୍‌ରୁ ମୁକୁଳି ପାରିନଥିଲେ। ଇଡି ମାମଲାରେ ଦିଲ୍ଲୀ ହାଇକୋର୍ଟ ବାରମ୍ବାର ଚିଦମ୍ବରମଙ୍କ ଜାମିନ ପ୍ରତ୍ୟାଖ୍ୟାନ କରିବା ପରେ ଚିଦମ୍ବରମ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe