Image Courtesy of NDTV
ଡେରା ଗାଜି ଖାନ୍: ଗୋଟାଏ ଚୋରି ମାମଲାରେ ନିର୍ଦ୍ଦୋଷତା ପ୍ରମାଣ କରିବା ଲାଗି ଜଣେ ପିଲାକୁ ‘ଉତ୍ତପ୍ତ କୁରାଢ଼ି ଚଟାଇବା’କୁ ବାଧ୍ୟ କରିଥିବା ଅଭିଯୋଗରେ ପାକିସ୍ତାନର ତିନିଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଥା ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟ କରିଛି।
ସମ୍ବାଦପତ୍ର ‘ଡନ୍’ ରିପୋର୍ଟ ଅନୁସାରେ, ଫଜଲା କଛର ବର୍ଡର୍ ମିଲିଟାରି ପୋଲିସ୍ (ବିଏମ୍ପି) ତୁମାନ ବୁଜ୍ଦାର୍ ଉପରୋକ୍ତ ତିନି ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି।
ସନ୍ଦିଗ୍ଧ ଅଭିଯୁକ୍ତ ଜଣକ ହେଉଛି ତେହ୍ସୀବ୍ ବୋଲି ମେଣ୍ଢାଜଗୁଆଳ ପିଲାଟିଏ। ସେ କୁଆଡ଼େ ଗୋଟାଏ ଚା କେଟିଲ୍ ଚୋରି କରିଥିଲା। ପିଲାଟିର ବାପା ଜାନ୍ ମହମ୍ମଦଙ୍କ ରିପୋର୍ଟକୁ ଆଧାର କରି ସମ୍ପୃକ୍ତ ତିନି ବ୍ୟକ୍ତିଙ୍କ ନାମରେ ମାମଲା ପଞ୍ଜିକୃତ ହୋଇଥିବା କଥା ପାକିସ୍ତାନୀ ପ୍ରକାଶନ ‘ଡନ୍’ କହିଛି। ପୁଲିସ ଗିରଫ କରିଥିବା ତିନି ବ୍ୟକ୍ତି ହେଉଛନ୍ତି- ସିରାଜ, ଅବ୍ଦୁଲ୍ ରହୀମ ଏବଂ ମହମ୍ମଦ ଖାଁ।
ଜିଭ ପୋଡ଼ି ଯାଇଥିବା ତେହ୍ସୀବ୍କୁ ଚିକିତ୍ସା ନିମନ୍ତେ ‘ତହସିଲ୍ ହେଡ୍କ୍ବାର୍ଟର୍ସ ହସ୍ପିଟାଲ୍’କୁ ନିଆଯାଇଥିଲା।
Image Courtesy of Inshortsପ୍ରକାଶିତ ରିପୋର୍ଟ ଅନୁସାରେ, ତଖ୍ତ୍ ସୁଲାଇମାନ ତହସିଲ୍ ଅନ୍ତର୍ଗତ ବାଲୋଚ୍ ଜନଜାତିରେ କୌଣସି ଅପରାଧ ସହ ସଂଶ୍ଳୀଷ୍ଟ ବୋଲି ସନ୍ଦେହ ହେଉଥିବା ବ୍ୟକ୍ତି ବିଶେଷଙ୍କ ନିର୍ଦ୍ଦୋଷତା ପ୍ରମାଣ କରିବା ଲାଗି ଏବେ ମଧ୍ୟ ନିର୍ମମ ଜଳ ଓ ଅଗ୍ନି ପରୀକ୍ଷା ପ୍ରଥା ବଜାୟ ରଖିଛନ୍ତି। ଯଦି ସନ୍ଦିଗ୍ଧ ଏକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ପାଣି ଭିତରେ ବୁଡ଼ି ରହି ଜୀବନ୍ତ ଉଠି ଆସେ, ସେ ନିର୍ଦୋଷ ବୋଲି ପ୍ରମାଣିତ ହୁଅନ୍ତି। ଯଦି ସେ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ପାଣିରୁ ବାହାରି ଆସନ୍ତି ତେବେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଏ।
ସେହିଭଳି, ଜଳନ୍ତା କୋଇଲା ଉପରେ ଚାଲି ଚାଲି ଯାଇ ବା ଉତ୍ତପ୍ତ ଲୁହା ଚାଟିବା ପରେ ଯଦି ଜଣେ ଅକ୍ଷତ ରହନ୍ତି, ତେବେ ସେ ନିର୍ଦୋଷ ବୋଲି ପ୍ରମାଣିତ ହୁଅନ୍ତି। ନଚେତ୍ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ପାଆନ୍ତି।
ସମ୍ପ୍ରତି ପାକିସ୍ତାନରେ ପିଲାମାନଙ୍କ ଉପରେ ଯୌନାଚାର, ଅପହରଣ ଏବଂ ବାଲ୍ୟବିବାହ ସମେତ କେତେଗୁଡ଼ିଏ ଅପରାଧ ବୃଦ୍ଧି ପାଇଛି। ପିଲାମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ପରିସଂଖ୍ୟାନ କରୁଥିବା ‘ସାହିଲ୍’ ପ୍ରତିଷ୍ଠାନର ରିପୋର୍ଟ ‘କ୍ରୁଏଲ୍ ନମ୍ବର୍ସ ୨୦୨୦’ ଅନୁସାରେ, ୨୦୨୦ରେ ପାକିସ୍ତାନରେ ଦୈନିକ ହାରାହାରି ୮ଜଣ ପିଲାଙ୍କ ଉପରେ କୌଣସି ନା, କୌଣସି ପ୍ରକାରର ଅତ୍ୟାଚାର କରାଯାଉଛି।
Follow Us