Children under 18 can't see inappropriate content: Social media algorithms banned in New York
ନ୍ୟୁୟର୍କ: ନ୍ୟୁୟର୍କର ଆଟର୍ଣ୍ଣି ଜେନେରାଲ ପିଲାମାନଙ୍କ ପାଇଁ କ୍ଷତିକାରକ ଏବଂ ଆଡିକ୍ଟିଭ୍ ସୋସିଆଲ ମିଡିଆ ଫିଡ୍ ବନ୍ଦ କରିବା ପାଇଁ ନୂତନ ନିୟମ ପ୍ରସ୍ତାବ ଦେଇଛନ୍ତି। ଏଥିରେ ବ୍ୟବହାରକାରୀଙ୍କ ବୟସ ଯାଞ୍ଚ୍ କରିବା ପାଇଁ ଏକ ବ୍ୟବସ୍ଥା ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ଗତ ବର୍ଷ ପାସ୍ ହୋଇଥିବା ସେଫ୍ ଆକ୍ଟ (ଷ୍ଟପ୍ ଆଡିକ୍ଟିଭ୍ ଫିଡ୍ ଏକ୍ସପ୍ଲୋରେସନ ଆକ୍ଟ) ସୋସିଆଲ ମିଡିଆ କମ୍ପାନିଗୁଡ଼ିକୁ ପିତାମାତାଙ୍କ ଅନୁମତି ବିନା ୧୮ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କୁ ଆଲଗୋରିଦମ୍-ଆଧାରିତ ବ୍ୟକ୍ତିଗତ ଫିଡ୍ ଦେଖାଇବାକୁ ନିଷେଧ କରିଛି।
ଟିକ୍ ଟକ୍ ଏବଂ ଇନଷ୍ଟାଗ୍ରାମ୍ ଭଳି ପ୍ଲାଟଫର୍ମରେ ୧୮ ବର୍ଷରୁ କମ୍ ବୟସ୍କ ବ୍ୟବହାରକାରୀମାନେ କେବଳ ସେମାନେ ଅନୁସରଣ କରୁଥିବା ଆକାଉଣ୍ଟରୁ ପୋଷ୍ଟ ଦେଖି ପାରିବେ। ଆଇନ ଅନୁଯାୟୀ କମ୍ପାନିଗୁଡ଼ିକୁ ରାତି ୧୨ଟାରୁ ସକାଳ ୬ଟା ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ବିଜ୍ଞପ୍ତି ପଠାଇବା ନିଷେଧ କରାଯାଇଛି। ଏହା ସହିତ ପ୍ରସ୍ତାବିତ ନିୟମରେ ବ୍ୟବହାରକାରୀଙ୍କ ବୟସ ନିର୍ଣ୍ଣୟ ଏବଂ ପିତାମାତାଙ୍କ ଅନୁମତି ନେବା ପାଇଁ ମାନଦଣ୍ଡ ଅନ୍ତର୍ଭୁକ୍ତ କରାଯାଇଛି।
ଆଟର୍ଣ୍ଣି ଜେନେରାଲ ଲେଟିସିଆ ଜେମ୍ସଙ୍କ କାର୍ଯ୍ୟାଳୟ କହିଛି ଯେ, କମ୍ପାନିଗୁଡ଼ିକ ବିଭିନ୍ନ ପ୍ରକାରର ବିଦ୍ୟମାନ ପଦ୍ଧତି ବ୍ୟବହାର କରି ଉପଭୋକ୍ତାଙ୍କ ବୟସ ଯାଞ୍ଚ୍ କରିପାରିବେ। ତେବେ ସେହି ପଦ୍ଧତିଗୁଡ଼ିକ ନିର୍ଭରଯୋଗ୍ୟ ଏବଂ ଡାଟା ସୁରକ୍ଷା ସୁନିଶ୍ଚିତ କରୁଥିବା ଜରୁରୀ। ଉଦାହରଣ ସ୍ୱରୂପ, କମ୍ପାନିଗୁଡ଼ିକ ଏକ ଅପଲୋଡ୍ ହୋଇଥିବା ଫଟୋ ମାଗିପାରିବେ କିମ୍ବା କାହାର ବୟସ ୧୮ ବର୍ଷରୁ ଅଧିକ ବୋଲି ନିଶ୍ଚିତ କରିବା ପାଇଁ ଇମେଲ୍ ଏବଂ ଫୋନ୍ ନମ୍ବର ଯାଞ୍ଚ କରିପାରିବେ।
ଯଦି ୧୮ ବର୍ଷରୁ କମ୍ ବୟସର ଉପଭୋକ୍ତା ଆଲଗୋରିଦମ-ଆଧାରିତ ଫିଡ୍ ବ୍ୟବହାର କରିବାକୁ ଚାହାନ୍ତି, ତେବେ କମ୍ପାନିଗୁଡ଼ିକୁ ସେମାନଙ୍କ ପିତାମାତାଙ୍କଠାରୁ ଅନୁମତି ନେବାକୁ ପଡିବ। ଆଇନ ବିଶେଷଜ୍ଞମାନଙ୍କ ଅନୁସାରେ, କ୍ୟୁରେଟେଡ୍ ଫିଡ୍ ପିଲା ଏବଂ କିଶୋରମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ସକ୍ରିୟ ରହିବାକୁ ଉତ୍ସାହିତ କରରିଥାଏ। ଯାହା ମାନସିକ ସ୍ୱାସ୍ଥ୍ୟ ସମସ୍ୟାକୁ ଅଧିକ ଗମ୍ଭୀର କରୁଛି। ନୂତନ ନିୟମ ଘୋଷଣା କରି ଜେମ୍ସ କହିଛନ୍ତି ଯେ, ସୋସିଆଲ ମିଡିଆର ଆଡିକ୍ଟିଭ୍ ବୈଶିଷ୍ଟ୍ୟଗୁଡ଼ିକ ପିଲା ଏବଂ କିଶୋରମାନଙ୍କ ମଧ୍ୟରେ ଚିନ୍ତା ଏବଂ ଅବସାଦ ହାର ବୃଦ୍ଧି କରୁଛି। ବର୍ତ୍ତମାନ, ଏହି ନିୟମଗୁଡ଼ିକ ୬୦ ଦିନ ପାଇଁ ସାଧାରଣ ପରାମର୍ଶ ଏବଂ ଆପତ୍ତି ପାଇଁ ଖୋଲା ରହିବ।
ଆମେରିକାରେ ଅନଲାଇନ୍ ବୟସ ଯାଞ୍ଚ ଆଇନ ବୃଦ୍ଧି ପାଉଛି, କିନ୍ତୁ ଡିଜିଟାଲ୍ ଗୋପନୀୟତା ଏବଂ ଅଭିବ୍ୟକ୍ତିର ସ୍ୱାଧୀନତାକୁ ସମର୍ଥନ କରୁଥିବା ସଂଗଠନଗୁଡ଼ିକ ଏହାକୁ ବିରୋଧ କରୁଛନ୍ତି। ଏପର୍ଯ୍ୟନ୍ତ ୨୦ରୁ ଅଧିକ ରାଜ୍ୟ ଏପରି ଆଇନ ପାସ୍ କରିଛନ୍ତି। ଯଦିଓ ଅନେକ ରାଜ୍ୟରେ ସେମାନେ ଆଇନଗତ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି। ନ୍ୟୁୟର୍କ ଆଟର୍ଣ୍ଣି ଜେନେରାଲଙ୍କ କାର୍ଯ୍ୟାଳୟ ଅନୁଯାୟୀ, ଇନଷ୍ଟାଗ୍ରାମ୍ ଏବଂ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକ ଗତ କିଛି ମାସ ମଧ୍ୟରେ ଭିନ୍ନ ଭିନ୍ନ ନିୟମ କାର୍ଯ୍ୟକାରୀ କରୁଛନ୍ତି। ନିୟମ ଚୂଡ଼ାନ୍ତ ହେବା ପରେ, କମ୍ପାନିଗୁଡ଼ିକୁ ସେଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ୧୮୦ ଦିନ ସମୟ ଦିଆଯିବ।
Follow Us