ଚୀନ୍‌-ଆମେରିକା ମୁହାଁମୁହିଁ

Advertisment

ଆର୍ଥିକ କଟକଣାର ପ୍ରତିବାଦ ଜଣାଇଲା ଚୀନ୍‌ ବୈଦେଶିକ ମନ୍ତ୍ରାଳୟ, ଉତ୍ତର କୋରିଆର ଅର୍ଥନୀତିକୁ ଭୁଶୁଡ଼ାଇବାକୁ ଯୋଜନା

ଆର୍ଥିକ କଟକଣାର ପ୍ରତିବାଦ ଜଣାଇଲା ଚୀନ୍‌ ବୈଦେଶିକ ମନ୍ତ୍ରାଳୟ, ଉତ୍ତର କୋରିଆର ଅର୍ଥନୀତିକୁ ଭୁଶୁଡ଼ାଇବାକୁ ଯୋଜନା

ଚୀନ୍‌-ଆମେରିକା ମୁହାଁମୁହିଁ

ବେଜିଂ: ଉତ୍ତର କୋରିଆ ସହିତ ଭିତିରିଆ ଅର୍ଥନୈତିକ ସଂପର୍କ ଥିବା ଅଭିଯୋଗରେ ଯୁକ୍ତରାଷ୍ଟ୍ର ଆମେରିକା ଚୀନ୍‌ର ଅନେକ କମ୍ପାନି ଉପରେ କଟକଣା ଲଗାଇଛି। କେତେକ ବଡ଼ କମ୍ପାନିଙ୍କ ବିରୋଧରେ ପ୍ରତିବନ୍ଧକ ଅତ୍ୟନ୍ତ କଡ଼ାକଡ଼ି ରହିଥିବା ଜଣାପଡ଼ିଛି। ଏଥିରେ ଉତ୍ତର କୋରିଆ ସହ ସଂପର୍କ ଥିବା ୫୦ରୁ ଅଧିକ ଚୀନ୍‌ କମ୍ପାନି ରହିଛନ୍ତି। ଗତ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏହି କଟକଣା ସମ୍ପର୍କରେ ଘୋଷଣା କରିଛନ୍ତି। ଆମେରିକାର ଏହି ବଡ଼ ଧରଣର ଆର୍ଥିକ କଟକଣା ଦ୍ୱାରା ଆଣବିକ ଶକ୍ତିରେ ବଳିୟାନ ଉତ୍ତର କୋରିଆ ବହୁମାତ୍ରାରେ ପ୍ରଭାବିତ ହେବ। ତେବେ ଆମେରିକାର ଏହି କଟକଣାକୁ ଚୀନ୍‌ ଘୋର ବିରୋଧ କରିଛି। ଚୀନ୍‌ ସମେତ ଉତ୍ତର କୋରିଆ, ସିଙ୍ଗାପୁର, ତାଇଓ୍ଵାନ୍‌, ହଂକଂ, ମାର୍ସାଲ ଦ୍ୱୀପ, ତାଞ୍ଜାନିଆ, ପାନାମା ଓ କମୋରସ୍‌ ଆଦି ସ୍ଥାନରେ ଥିବା କିମ୍ବା ପଞ୍ଜୀକୃତ ହୋଇଥିବା କମ୍ପାନି ଗୁଡ଼ିକ ପାଇଁ ଆମେରିକାର ଏହି କଟକଣା ଲାଗୁ ହେବ। ଆଣବିକ ଓ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମରୁ ଉତ୍ତର କୋରିଆ ହଟିବା ପାଇଁ ଆମେରିକା ଏହି ପଦକ୍ଷେପ ଗ୍ରହଣ କରିଛି। ବିଶେଷକରି ଉତ୍ତର କୋରିଆର ଆର୍ଥିକ ସ୍ଥିତି ଏବଂ ତୈଳ ଯୋଗାଣକୁ କ୍ଷତି ପହଞ୍ଚାଇବା ପାଇଁ ଆମେରିକା ଏହି କଟକଣା ଲଗାଇଛି।

ତେବେ ଚୀନ୍‌ କଂପାନି ଓ ଲୋକଙ୍କ ଉପରେ ଆମେରିକାର ଏଭଳି ଦାଦାଗିରି ଓ ଏକପାଖିଆ କଟକଣାକୁ ଚୀନ୍‌ ସରକାର ଦୃଢ଼ ବିରୋଧ କରିଛନ୍ତି। ଚୀନ୍‌ ବୈଦୈଶିକ ବ୍ୟାପାର ମନ୍ତ୍ରାଳୟର ପ୍ରବକ୍ତା ଗେଙ୍ଗ୍‌ ସୁଆଙ୍ଗ୍‌ ଶନିବାର ଏନେଇ ପ୍ରତିବାଦ ଜଣାଇଛନ୍ତି। ଦୁଇ ଦେଶ ମଧ୍ୟରେ ସଂପର୍କକୁ ଖରାପ କରିବାକୁ ନଦେବା ଲାଗି ଏଭଳି ଖରାପ ପ୍ରଥାକୁ ତୁରନ୍ତ ବନ୍ଦ କରିବା ଲାଗି ଆମେ ଆମେରିକାକୁ ଜଣାଇଛୁ ବୋଲି ସେ କହିଛନ୍ତି। ଉତ୍ତର କୋରିଆକୁ ତେଲ ଯୋଗାଣ ବନ୍ଦ କରିବା ଲାଗି ଆମେରିକା ଦେଉଥିବା ପ୍ରସ୍ତାବ ସହ ଚୀନ୍‌ ରାଜି ହେଉନାହିଁ। ଏହାଦ୍ୱାରା ଉତ୍ତର କୋରିଆର ଅର୍ଥନୀତି ଭୁଶୁଡ଼ି ପଡ଼ିବ ବୋଲି ଚୀନ୍‌ ମତ ଦେଉଛି। କିନ୍ତୁ ଜାତିସଂଘ ପକ୍ଷରୁ ଲଗାଯାଇଥିବା କଟକଣାକୁ କାର୍ଯ୍ୟକାରୀ କରିବାକୁ ଚୀନ୍‌ ରାଜି ଅଛି। ଜାତିସଂଘ ନିରାପତ୍ତା ପରିଷଦର ସଂକଳ୍ପ ଉଲ୍ଲଂଘନ କରୁଥିବା କାର୍ଯ୍ୟରେ ନିୟୋଜିତ ହେବାକୁ ଆମେ ଆମର ନାଗରିକ ଓ କମ୍ପାନି ଗୁଡ଼ିକୁ ଦେବୁନାହିଁ ବୋଲି ପ୍ରବକ୍ତା ଶ୍ରୀ ଗେଙ୍ଗ୍‌ କହିଛନ୍ତି। ତେବେ ଜାତିସଂଘର କଟକଣାକୁ ଏଡାଇ ଯେଉଁମାନେ ପୋଙ୍ଗୟାଙ୍ଗ୍‌କୁ ସହଯୋଗ କରୁଛନ୍ତି ସେମାନଙ୍କ ବିରୋଧରେ ଆମେ ନୂଆ ପଦକ୍ଷେପ ନେଇଛୁ ବୋଲି ଆମେରିକା କହିଛି। ଉତ୍ତର କୋରିଆର ସାମରିକ ବାହିନୀ ଓ ଅର୍ଥନୀତି ରୁଷିଆ ଓ ଚୀନ୍‌ର ତୈଳ ଓ କୋଇଲା ଆମଦାନୀ ଉପରେ ମାତ୍ରାଧିକଭାବେ ନିର୍ଭରଶୀଳ ରହିଆସିଛି। ତେଣୁ ଆମେରିକାର ଏହି ନୂଆ କଟକଣା ଉତ୍ତର କୋରିଆର ଅର୍ଥନୀତିକୁ ଆହୁରି ଦୁର୍ବଳ କରିଦେବ ବୋଲି ଆକଳନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe