Image Courtesy of India Today
ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖାଠାରୁ ୧୧ କିଲୋମିଟର୍ ଦୂରରେ ଚୀନ୍ ସୀମାନ୍ତ ପ୍ରତିରକ୍ଷା ଗ୍ରାମ ନିର୍ମାଣ କରୁଥିବା କଥା ବିଶେଷସୂତ୍ରରୁ ଉଦ୍ଧାର କରି ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
ଏହି ସୀମାନ୍ତ ଗ୍ରାମଗୁଡ଼ିକରେ ୨୫୦ ଲେଖାଏଁ ବାସଗୃହ ରହିଛି। ସେହିପରି, ଉତ୍ତରାଖଣ୍ଡଠାରୁ ପ୍ରାୟ ୩୫ କିଲୋମିଟର୍ ଦୂରରେ ମଧ୍ୟ ଚୀନ୍ ପ୍ରାୟ ୫୫/୫୬ଟି ଘର ନିର୍ମାଣ କରୁଛି। ଏହି ଘରସବୁ ‘ପିପୁଲସ୍ ଲିବରେସନ୍ ଆର୍ମି’ର ତତ୍ତ୍ବାବଧାନରେ ନିର୍ମାଣ ଚାଲିଛି। କେବଳ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ୪୦୦ ଗ୍ରାମ ନିର୍ମାଣ କରିବା ପାଇଁ ଚୀନ୍ ଯୋଜନା କରିଥିବା କୁହାଯାଉଛି।
ଉଲ୍ଲେଖଯୋଗ୍ୟ, ଚୀନ୍ ସହିତ ଉତ୍ତରାଖଣ୍ଡର ୩୫୦ କିଲୋମିଟର୍ ଦୀର୍ଘ ସୀମାନ୍ତ ରହିଛି। ଜୀବିକା ଉପାର୍ଜନ ସୁବିଧା ନ ପାଇ ଉତ୍ତରାଖଣ୍ଡର ଅଧିକାଂଶ ସୀମାନ୍ତବର୍ତ୍ତୀ ଗ୍ରାମରୁ ଲୋକେ ବାହାରକୁ ଚାଲିଯାଉଛନ୍ତି।
Image Courtesy of The Hinduସୂଚନାଯୋଗ୍ୟ, ଚୀନ୍ ନିର୍ମାଣ କରୁଥିବା ଉକ୍ତ ଗ୍ରାମସମୂହ ହେଉଛି ସମସ୍ତ ସୁବିଧା ଥିବା ବଡ଼ ବଡ଼ ପରିସର।
ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ଚୀନ୍ର କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖିଥିବା କଥା ପୂର୍ବରୁ ଭାରତୀୟ ସେନା କହିଥିଲା। ସେଥିପାଇଁ, ଉତ୍ତରାଖଣ୍ଡ ଅନ୍ତର୍ଗତ ଘାଟିଆବାଗର-ଲିପୁଲେଖ ରାସ୍ତାରେ ବୁନ୍ଦି ଓ ଗାର୍ବିୟାଙ୍ଗ୍କୁ ସଂଯୋଗ କରି ଗୋଟାଏ ୬ କିଲୋମିଟର୍ ସୁଡ଼ଙ୍ଗପଥ ବା ‘ଟନେଲ୍’ ଖନନ କରାଯିବ ବୋଲି ଜଣେ ବରିଷ୍ଠ ‘ବିଆର୍ଓ’ ଅଧିକାରୀ ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’କୁ କହିଛନ୍ତି।
ଏହି ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ହୀରକ ବିମଳ ଗୋସ୍ବାମୀ କହିଛନ୍ତି, ଏହି ସୁଡ଼ଙ୍ଗପଥର ସର୍ବେକ୍ଷଣ କାର୍ଯ୍ୟ ‘ଆଟିନୋକ୍ ଇଣ୍ଡିଆ’କୁ ଦିଆଯାଇଛି। କମ୍ପାନି ସର୍ବେକ୍ଷଣ କାର୍ଯ୍ୟ ମଧ୍ୟ ଆରମ୍ଭ କରି ଦେଇଛି ଏବଂ ବର୍ଷେ ମଧ୍ୟରେ ଚୂଡ଼ାନ୍ତ ପ୍ରସ୍ତାବ ଦାଖଲ କରିବ। ୪/୫ ବର୍ଷ ମଧ୍ୟରେ ଏହି ୨୦୦୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ।
ଏହି ସୁଡ଼ଙ୍ଗ ପଥରେ ସବା ଶେଷ ସୀମାନ୍ତ ପୋଷ୍ଟ୍କୁ ବିନା ବାଧାରେ ଯାତ୍ରା କରିହେବ।
Follow Us