ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାଣିଜ୍ୟ ଶୁଳ୍କ ଯୁଦ୍ଧ ମଧ୍ୟରେ ପାରସ୍ପରିକ ସଫଳତା ପାଇଁ ଭାରତକୁ ଏକ ପ୍ରମୁଖ ଅଂଶୀଦାର ଭାବରେ ବେଜିଂ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ଚୀନ୍ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଆହ୍ୱାନ ଦେଇଛନ୍ତି। ୱାଙ୍ଗ ଦୁଇ ଏସୀୟ ମହାଶକ୍ତି ମଧ୍ୟରେ ସହଯୋଗ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଗତ ଏକ ବର୍ଷ ମଧ୍ୟରେ ସକାରାତ୍ମକ ଅଗ୍ରଗତି ହୋଇଛି। ୱାଙ୍ଗ୍ କହିଛନ୍ତି, ଚୀନ୍ ସର୍ବଦା ବିଶ୍ୱାସ କରିଆସିଛି ଯେ ପାରସ୍ପରିକ ସହଯୋଗୀ ହେବା ଏବଂ ‘ଡ୍ରାଗନ୍ ଓ ଏଲିଫ୍ୟାଣ୍ଟ ଡ୍ୟାନ୍ସ’ ଲକ୍ଷ୍ୟ ହାସଲ କରିବା ଉଭୟ ପକ୍ଷ ପାଇଁ ଏକମାତ୍ର ସଠିକ୍ ବିକଳ୍ପ। ପୂର୍ବ ଲଦାଖରେ ଦୀର୍ଘ ୪ ବର୍ଷ ଧରି ଚାଲିଥିବା ସାମରିକ ବିବାଦର ସମାଧାନ ଦିଗରେ ସଫଳତା ହାସଲ କରିବାରେ ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ବୈଠକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଚୀନ୍ର ଏଭଳି ବୟାନ ଏଭଳି ସମୟରେ ଆସିଛି ଯେତେବେଳେ ଟ୍ରମ୍ପ ସମସ୍ତ ଚୀନ୍ ଆମଦାନି ଉପରେ ଶୁଳ୍କକୁ ୧୦%ରୁ ୨୦%କୁ ବୃଦ୍ଧି କରିଛନ୍ତି। ଏହାର ଜବାବରେ ଚୀନ୍ ଆମେରିକାର କୃଷିଜାତ ଦ୍ରବ୍ୟ ଉପରେ ପ୍ରତିଶୋଧମୂଳକ ଶୁଳ୍କ ଲଗାଇ ଦୁଇ ଦେଶକୁ ପୂର୍ଣ୍ଣ ବାଣିଜ୍ୟ ଯୁଦ୍ଧର ନିକଟତର କରିଛି।
ନିଜ ଅଭିଭାଷଣରେ ୱାଙ୍ଗ ଉଭୟ ଦେଶ ପରସ୍ପରକୁ ସମର୍ଥନ କରିବାକୁ ଅନୁରୋଧ କରିବା ସହ ପାରସ୍ପରିକ ସହଯୋଗ ସେମାନଙ୍କ ନାଗରିକଙ୍କ ମୌଳିକ ସ୍ୱାର୍ଥରେ ବୋଲି କହିଥିଲେ। ଭାରତ-ଚୀନ୍ ସମ୍ପର୍କକୁ ସୁଦୃଢ଼ କରିବାର ସମ୍ଭାବ୍ୟ ବୈଶ୍ୱିକ ପ୍ରଭାବ ଉପରେ ଆଲୋକପାତ କରି ଚୀନ୍ ମନ୍ତ୍ରୀ କହିଛନ୍ତି ଯେ ବେଜିଂ ଓ ନୂଆଦିଲ୍ଲୀ ମଧ୍ୟରେ ଏକତା ଅନ୍ତର୍ଜାତୀୟ ସମ୍ପର୍କରେ ଗଣତନ୍ତ୍ରକୁ ବଢ଼ାଇବ ଏବଂ ବିଶ୍ୱ ମଞ୍ଚରେ ଗ୍ଲୋବାଲ ସାଉଥ୍ର ସ୍ଥିତିକୁ ସୁଦୃଢ଼ କରିବ। ଦୁଇ ଦେଶ ମଧ୍ୟରେ ବିବାଦକୁ କୂଟନୀତି ମାଧ୍ୟମରେ ସମାଧାନ କରାଯାଇପାରିବ ଏବଂ ମିଳିତ ଲକ୍ଷ୍ୟ ହାସଲ ପାଇଁ ସହଯୋଗ ଗୁରୁତ୍ୱପୂର୍ଣ୍ଣ ରହିବ। ଚୀନ୍ର ଏଭଳି ଆଭିମୁଖ୍ୟ ଭାରତ-ଚୀନ୍ ଦ୍ବିପାକ୍ଷିକ ସଂପର୍କକୁ ଏକ ନୂଆ ମୋଡ଼ ଦେଇପାରେ ବୋଲି କୁହାଯାଉଛି।
Follow Us